ମାନବିକତା ଦେଖାଇଲେ ଓଡିଆ ଅଭିନେତା ସବ୍ୟସାଚୀ : ଅଭିନେତାଙ୍କ ହସ୍ତକ୍ଷେପର ୧୬ ଦିନ ପରେ ଦୁବାଇରୁ ଫେରିଲା ଓଡିଆଙ୍କ ମରଶରୀର ; ଶ୍ରମିକ ଭାବେ କାମ କରିବାକୁ ଯାଇ ପ୍ରାଣ ହରାଇଥିଲେ ଖଲ୍ଲିକୋଟର ବଳରାମ 

587

କନକ ବ୍ୟୁରୋ : ମାନବିକାତା ଦେଖାଇଲେ ଓଡିଆ ଅଭିନେତା ସବ୍ୟସାଚୀ । ୧୬ ଦିନ ପରେ ଦୁବାଇରୁ ଫେରିଲା ଓଡିଆଙ୍କ ମରଶରୀର । ଗଂଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ଖୋଜାପଲ୍ଲୀ ଗାଁର ବଳରାମ ପ୍ରଧାନ ଦେଢ ବର୍ଷ ହେବ ଦୁବାଇରେ କାମ କରୁଥିଲେ । ଗତ ଜୁନ୍ ୨୯ ତାରିଖରେ ବଳରାମ ସଂଧ୍ୟାରେ ଘର ସହିତ ଫୋନରେ କଥା ହୋଇଥିଲେ । ତେବେ ରାତି ୧୨ଟାରେ ଖବର ଆସିଥିଲା ବଳରାମଙ୍କ ମୃତ୍ୟୁ ହୋଇଯାଇଛି । ଏହାକୁ ନେଇ ଘରେ ଶୋକର ଛାୟା ଖେଳିଯାଇଥିଲା । ଦୁବାଇରୁ କେମିତି ଫେରାଇ ଆଣିବେ ମୃତଦେହ ଚିନ୍ତାରେ ପଡିଥିଲେ ପରିବାର । କାରଣ ପାଖରେ ସେତିକି ଅର୍ଥ ନଥିଲା, କି ମିଳିଥିଲା ପ୍ରଶାସନର ସହ ଯୋଗ । ଏପରି ସମସ୍ୟା ନେଇ ଜାଣିବାକୁ ପାଇଥିଲେ ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର । ବଳରାମଙ୍କ ଭାଇ ଗଣେଶଙ୍କ ସହିତ ସଂପର୍କ କରି ଦୁବାଇରୁ ବଳରାମଙ୍କ ମରଶରୀର ଆଣିବାକୁ ସବ୍ୟସାଚୀ ନିଜେ ଉଦ୍ୟମ କରିଥିଲେ । ବିଦେଶରୁ ସିଧାସଳଖ ବିମାନବନ୍ଦର ଯାଏଁ ମୃତଦେହ ଆଣିବାର କୌଣସି ନିୟମ ନଥିବାରୁ ସେ ଦୁବାଇର କନସୋଲେଟ୍ ଜେନେରାଲ ଅଫ୍ ଇଣ୍ଡିଆ ଓ ଦୁବାଇ ପୋଲିସକୁ ଯୋଗାଯୋଗ କରିଥିଲେ । ପୋଲିସ ପ୍ରଶାସକ ଅନୁପ ସାହୁ ମଧ୍ୟ ଏଥିରେ ସହାୟତା କରିଥିଲେ ।

ଏୟାରଇଣ୍ଡିଆ ଭୁବନେଶ୍ୱରର ବରିଷ୍ଠ ପ୍ରବନ୍ଧକଙ୍କୁ ଇମେଲ୍ କରିବା ପରେ ମାନବିକତା ଦୃଷ୍ଟି କୋଣରୁ ଦୁବାଇରୁ ବଳରାମଙ୍କ ମରଶରୀର ଫେରାଇ ଆଣିବାକୁ ବାଟ ଫିଟିଥିଲା । ସବୁ ବ୍ୟବସ୍ଥା ପରେ ଦୁବାଇ ଓଡିଆ ସମାଜ ସହ ଯୋଗୀ ଏକ ଚାର୍ଟର ବିମାନ ବ୍ୟବସ୍ଥା କରିବାରୁ ମରଶରୀର ବିମାନ ବନ୍ଦରକୁ ଆସିବା ପରେ ଏକ ଆଂବୁଲାନ୍ସ ଜରିଆରେ ବୁଧବାର ରାତିରେ ପହଁଚିଥିଲା ଘରେ ।

ବଳରାମ ଯେଉଁ କମ୍ପାନୀରେ କାମ କରୁଥିଲେ, ସବ୍ୟସାଚୀ ସେହି କମ୍ପାନୀ କର୍ତୃପକ୍ଷଙ୍କ ସହିତ କଥା ହୋଇଛନ୍ତି କିପରି ତାଙ୍କ ପରିବାରକୁ କମ୍ପାନୀ ତରଫରୁ ସହାୟତା ମିଳିପାରିବ । ବଳରାମଙ୍କ ଦୁଇ ପୁଅଙ୍କର ପାଠପଢା ଖର୍ଚ ବହନ କରିବାକୁ ନିଜେ ସବ୍ୟସାଚୀ ପ୍ରତିଶ୍ରୁତି ବି ଦେଇଛନ୍ତି । ସବ୍ୟସାଚୀଙ୍କ ଏପରି ମାନବିକତା ଦେଖି ସବ୍ୟସାଚୀଙ୍କୁ ତାଙ୍କର ଆଉ ଜଣେ ପୁଅ ବୋଲି କହିଛନ୍ତି ମୃତ ବଳରାମଙ୍କ ମାଆ ।