ନିୟମଗିରି ପାହାଡ ଉପରେ ଷ୍ଟବେରୀ ଚାଷ । ୧ ଏକର ଜମିରେ ଷ୍ଟ୍ରବେରୀ ଚାଷ କରୁଛନ୍ତି କୁର୍ଲି ଗାଁର ଲାକୁନୁଜା କେସିକା

148

କନକ ବ୍ୟୁରୋ : ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ ଆବାସ ସ୍ଥଳି ନିୟମଗିରି ବେଶ ପରିଚିତ । ଏଠାରେ ବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆଙ୍କ ଜୀବନ ଜିବିକା ନିୟମଗିରି ପାହାଡରୁ ହିଁ ମିଳିଥାଏ । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରି ଜିବିକା ନିର୍ବାହ କରିଥାନ୍ତି । ସାଧାରଣତଃ ଏମାନେ ପାହାଡିଆ ଅଂଚଳରେ ଏହି ସବୁ ଚାଷ କରିବାରେ ସମର୍ଥ ହୋଇଥାନ୍ତି । ତେବେ କୁର୍ଲି ଗାଁର ଲାକୁନୁଜା କେସିକା ଦିର୍ଘ ବର୍ଷ ଧରି ପରିବା ଚାଷ ପାଇଁ ୧ ଏକର ପରିମିତ ଏକ ସମତଳ ଜାଗା ନିର୍ମାଣ କରି ପାହାଡ ଉପରେ ଥିବା ଝରଣାରୁ ପାଣି ଆଣି ଜଳସେଚନ କରି ପରିବା ଚାଷ କରୁଥିଲେ । ନିୟମଗିରିର ଅନୁକୁଳ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ଓ ୧ ଏକର ସମତଳ ଜାଗା ଥିବାରୁ ଲାକୁନୁଜା ପରିକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ ଆରମ୍ଭ କରିଛନ୍ତି । ଆଉ ଏଥିରେ ତାଙ୍କୁ ସହାୟତାର ହାତ ବଢାଇଛି ଡିକେଡିଏ ଓ ଓପିଲିପି ।

ଷ୍ଟ୍ରବେରୀ ଚାଷ ସିମଲା, ହିମାଚଳ ପ୍ରଦେଶ ଓ ବାଙ୍ଗଲୋର ଭଳି ଶିତଳ ଜଳବାୟୁରେ ଅଧିକ ପରିମାଣରେ ହୋଇଥାଏ । ନିୟମଗିରି ଭଳି ପାର୍ବତ୍ୟା ଅଂଚଳ ସମୁଦ୍ର ପତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା ବେଳେ ଏଠାକାର ତାପମାତ୍ରା ସର୍ବାଧିକ ୨୦ ଡିଗ୍ରି ରହିଥାଏ । ତେଣୁ ଏହି ତାପମାତ୍ରାରେ ଷ୍ଟ୍ରବେରୀ ଚାଷ ଅତ୍ୟନ୍ତ ଅନୁକୁଳ ରହିଥିବାରୁ ଡଙ୍ଗରିଆଙ୍କୁ ଆର୍ଥୀକ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଦେଇଛି ଏହି ସଂସ୍ଥା । ଏକ ଏକର ଯାଗାରେ ୨୦ ହଜାର ଷ୍ଟ୍ରବେରୀ ଚାରା ଲଗାଯାଇଥିବାବେଳେ ୪୫ ଦିନ ପରେ ଫଳ ଉତ୍ପାଦନ ଆରମ୍ଭ ହେବ । ପ୍ରାୟ ୭୦ କ୍ୱିଂଟାଲ ଷ୍ଟ୍ରବେରୀ ଅମଳ ହେବାନେଇ ଆଶା ରଖିଛନ୍ତି ଯୁବ ଚାଷୀ । ଯାହାର ଆନୁମାନିକ ମୂଲ୍ୟ ୧୨ ରୁ ୧୫ଲକ୍ଷ ହେବ ବୋଲି କହିଛନ୍ତି ଓପିଲିପି କର୍ତୃପକ୍ଷ ।