କୋରାପୁଟ କୋଟିଆ ମାଟିରେ ଷ୍ଟ୍ରବେରୀ ଚାଷ । ପାହାଡ଼ିଆ ଜମି ଓ ଝରଣା ପାଣିରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ହେଉଛି ଚାଷ

134

କନକ ବ୍ୟୁରୋ : ଷ୍ଟ୍ରବେରି ଏକ ଦାମିିକିଆ ଫଳ । ଏହାର ବଜାରରେ ଚାହିଦା ମଧ୍ୟ ଅଧିକ । ହେଲେ ଲୋକଙ୍କୁ ସୁହାଇଲା ଭଳି ମିଳୁନାହିଁ । ଏହି ଫଳ ଦେଖିବାକୁ ଯେତିକି ସୁନ୍ଦର, ଖାଇଲେ ତାଠୁ ଅଧିକା ସୁଆଦ । ବିଦେଶ ମାଟିରେ ଭଲ ହେଉଥିଲେ ମଧ୍ୟ ଏହା ଆମ ମାଟିରେ ଭଲ ରୁପେ ଚାଷ ହୋଇ ପାରୁଛି । ତାହା ମଧ୍ୟ ପାହାଡ଼ ଉପରେ । ଏବେ ଏହି ଚାଷ କୋଟିଆ ବାସୀଙ୍କୁ ଦେଇଛି ଆଉ ଏକ ପରିଚୟ ।

ଫୁଲ ଝାଡ଼ୁ, ତେନ୍ତୁଳି ପରେ ଏବେ କୋଟିଆକୁ ଆଉ ଏକ ନୂଆ ପରିଚୟ ଦେଇଛି ଷ୍ଟ୍ରବେରି ଚାଷ । ସମୁଦ୍ର ପତନ ଠାରୁ ୧୬୦୦ ମିଟର ଉପରେ ଥିବା କୋଟିଆ ଅଚଂଳରେ ବେଶ ସୁନ୍ଦର ଭାବେ ହୋଇଛି ଷ୍ଟ୍ରବେରୀ । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟର ପାହାଡ଼ିଆ ଅଂଚଳରେ ଝରଣା ପାଣିରେ ହେଉଛି ଏହି ଚାଷ । ବିଶେଷକରି ଷ୍ଟ୍ରବେରୀ ଚାଷ ଅନ୍ୟ ରାଜ୍ୟରେ କରାଯାଉଥିବାର ଦେଖିବାକୁ ମିଳିଥାଏ । କୋରାପୁଟ କୋଟିଆର ଉତମ ଜଳବାୟୁ ଏହି ଚାଷ ପାଇଁ ଉପଯୋଗୀ ହୋଇଥିବାରୁ ଏହି ଚାଷ ଭଲ ଭାବେ ହୋଇପାରୁଛି । କୋଟିଆର ଡ଼ୋଳିଆମ୍ବ ଠାରୁ ଗାଲିଗାବତର ପର୍ଯ୍ୟନ୍ତ ଲମ୍ବିଛି ଏହି ଚାଷ । ଏହି ଚାଷ କରି ଭଲ ରୋଜଗାର କରୁଛନ୍ତି କୋଟିଆବାସୀ ।

ଯେଉଁ ପାହାଡ଼ିଆ ମାଟିରେ ଦିନେ ଅଲସୀ, ସୁଆଁ ଓ ମାଣ୍ଡିଆ ଚାଷ ହେଉଥିଲା ଏବେ ସେଠାରେ ଜିଲ୍ଳା ପ୍ରଶାସନର ସହଯୋଗରେ ଫଳିଛି ଷ୍ଟ୍ରବେରୀ । ନିଳ ବର୍ଣ୍ଣର ପାଚେରି ଭିତରେ ସବୁଜ ରଙ୍ଗର ଗାଲିଚା ଭଳି ଦେଖାଯାଉଥିବା ଏହି ଫସଲରେ ଲିଚୁଲାଇଟ ଜଳିଲା ଭଳି ଷ୍ଟ୍ରବେରି ଫଳିଛି । ଆଉ ପାଚିଲା ଫଳକୁ ଗୋଟି ଗୋଟି କରି ତୋଳୁଛନ୍ତି କୋଟିଆର ମହିଳା ମାନେ । ଯତ୍ନର ସହ ତୋଳିବା ସହ ଏହାକୁ ପ୍ୟାକେଟ କରି ବିକ୍ରି କରୁଛନ୍ତି ।

ଯେତିକି ଫଳ ଅମଳ ହେଉଛି ସେତିକି ବିକ୍ରି ହୋଇଯାଉଛି । ଏହାକୁ ବିକ୍ରି କରିବା ପାଇଁ ଆଉ ବାହାରକୁ ଯିବାକୁ ପଡ଼ୁନାହିଁ । ଗତବର୍ଷ ଅଳ୍ପ ପରିମାଣରେ ହୋଇଥିବା ବେଳେ ଚଳିତ ବର୍ଷ ଅଧିକ ଚାଷ ହୋଇଛି । ପ୍ରଶାସନ ସହଯୋଗରେ ୧୦ ରୁ ୨୦ ଜଣ ମହିଳା ଏହି ଚାଷ କାମରେ ନିୟୋଜିତ ହୋଇଛନ୍ତି ।

ପୂର୍ବରୁ ଅଧାଦିନ କାମ କଲେ ଅଧା ଦିନ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିଲେ କୋଟିଆବାସୀ । ଏବେ ଷ୍ଟ୍ରବେରୀ ଚାଷ ହେବାରୁ ଏଠାରେ କାମଧନ୍ଦା କରି ପରିବାର ପ୍ରତିପୋଷଣ କରୁଛନ୍ତି ସ୍ଥାନୀୟ ବାସିନ୍ଦା ।