କେବେ ମିଳିବ ବୁଷ୍ଟର ଡୋଜ୍? ଓମିକ୍ରନ୍ ଭାରିଆଣ୍ଟର ଭୟ ଭିତରେ ସଂସଦରେ ସରକାରକୁ ବିରୋଧୀଙ୍କ ପ୍ରଶ୍ନ…

103

କନକ ବ୍ୟୁରୋ: ଓମିକ୍ରନ୍ ଭାରିଆଣ୍ଟକୁ ସାରା ବିଶ୍ୱରେ ଚିନ୍ତା ବଢିଥିବାବେଳେ, ଗୁରୁବାର ସଂସଦରେ ବୁଷ୍ଟର ଡୋଜକୁ ନେଇ ସରକାରକୁ ଘେରିିଛନ୍ତି ବିରୋଧୀ । ସଂସଦରେ ଚର୍ଚ୍ଚା ହେଉଥିବାବେଳେ, ବିରୋଧୀମାନେ ବିଜେପିକୁ ଟାର୍ଗେଟ କରିବା ସହିତ ସରକାର କେବେ ବୁଷ୍ଟର ଡୋଜ୍ ଦେବା ଆରମ୍ଭ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ, ଦେଶରେ ୧୮ ବର୍ଷରୁ କମ ବୟସର ପିଲାଙ୍କ ପାଇଁ କେବେ ଟିକାକରଣ ଆରମ୍ଭ ହେବ ସେନେଇ ମଧ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିରୋଧୀ ।

ଅନ୍ୟପଟେ ବିରୋଧୀଙ୍କ ଏଭଳି ଟାର୍ଗେଟ କରେ ଶାସକ ଦଳ ମଧ୍ୟ ଏହାର ଜବାବ୍ ଦେଇଛି । କୋଭିଡ୍ ମହାମାରୀ ସମୟରେ ସରକାର ନୀତିକୁ ପ୍ରଂଶସା କରିବା ସହିତ ଏହି ସମୟରେ କେହି ବି ଲୋକ ଭୋକ ଉପାସରେ ଜୀବନ ହାରିନଥିଲେ । ଭାରତରେ ହୋଇଥିବା ଟିକାକରଣ ମଧ୍ୟ ବିଶ୍ୱରେ ରେକର୍ଡ କରିଛି । ଆମେରିକାରେ ଯେତିକି ଟିକାକରଣ ହୋଇଛି, ତାହାର ଦୁଇଗୁଣା ଟିକାକରଣ ଭାରତରେ ହୋଇଛି । ବିଶ୍ୱମଞ୍ଚରେ ମଧ୍ୟ ଭାରତର ଟିକାକରଣକୁ ପ୍ରଂଶସା କରାଯାଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଥିଲା ।

ଲୋକସଭାରେ ଶିବସେନା ସାଂସଦ ବିନାୟକ ରାୱତ କେନ୍ଦ୍ର ଉପରେ ଟାର୍ଗେଟ କରି କହିଛନ୍ତି, ମହାମାରୀ ସମୟରେ ରାଜ୍ୟମାନଙ୍କୁ ଆବଶ୍ୟକ ଅନୁସାରେ ଭେଣ୍ଟିଲେଟର ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ । ହେଲେ ଦୁର୍ଭାଗ୍ୟପୂର୍ଣ୍ଣ ଯେ, ପିଏମ୍ କେୟାର୍ସ ଫଣ୍ଡ ଜରିଆରେ ଯେଉଁ ସବୁ ଭେଣ୍ଟିଲେଟର ମିଳିଥିଲା ସେଥିରୁ ୬୦ ପ୍ରତିଶତ କାମ କରୁନଥିଲା ।

ରାୱତ କହିଛନ୍ତି, କରୋନା କାଳରେ ଉଦ୍ୟୋଗ ଓ ଅର୍ଥବ୍ୟବସ୍ଥା ଉପରେ ପଡିଥିବା ପ୍ରଭାବ କାରଣରୁ ଅନେକ ଲୋକ ନିଜର ରୋଜଗାର ହରାଇଥିଲେ । ସେମାନଙ୍କ ପାଇଁ ସରକାର କଣ କରିଛନ୍ତି? ମହାମାରୀ ସମୟରେ କେତେ ଲୋକ ପ୍ରାଣ ହରାଇଲେ, ସରକାର ସେମାନଙ୍କୁ କଣ ସହାୟତା ପ୍ରଦାନ କଲେ ତାର କୌଣସି ହିସାବ ନାହିଁ ବୋଲି ଶିବସେନା ସାଂସଦ କହିଥିଲେ ।
ଅନ୍ୟପଟେ ଯେତେବେଳେ ସରକାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା କଥା, ସେତେବେଳେ ସରକାରରେ ଥବା ଲୋକମାନେ କେବଳ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସା କରିବାରେ ଲାଗିଛନ୍ତି । ବେରୋଜଗାରୀ ବଢିବାରେ ଲାଗିଛି, ଉଦ୍ୟୋଗଜଗତ ବଡ ଧରଣ କ୍ଷତି ସହିଛି । ସରକାର ସେମାନଙ୍କ ପାଇଁ କଣ କରିଛି ବୋଲି ବିରୋଧୀମାନେ ପ୍ରଶ୍ନ କରିଛନ୍ତି ।