ଜୟପୁରର ଯଶୋଦା ମାଆ । ଜନ୍ମ ଦେଇନାହାନ୍ତି କିନ୍ତୁ ଜୀବନ ଦେଇଛନ୍ତି, ସ୍ୱାର୍ଥପର ଦୁନିଆରେ ଉଦାହରଣ ସାଜିଛନ୍ତି ଜୟନ୍ତୀ ।

133

କନକ ବ୍ୟୁରୋ : ଜନ୍ମଦାତ୍ରୀ ମାଆର ମୃତ୍ୟୁ ପରେ ମାଆ ଛେଉଣ୍ଡ ଶିଶୁକୁ ନିଜ କୋଳକୁ ନେଇ ସ୍ତନ୍ୟପାନ କରାଇ ଜୀବନ ବଞ୍ଚାଉଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡ଼ା ବ୍ଳକର ଭଦରାଗୁଡ଼ା ଭଳି ଏକ ଆଦିବାସୀ ଅଞ୍ଚଳରେ । ମମତାମୟୀ ମାଆ ଯଶୋଦାର ଭୂମିକା ଗ୍ରହଣ କରିଥିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ସନ୍ତାନ ରହିବା ସତ୍ତେ୍ୱ ପର ମାଆ ଛେଉଣ୍ଡ ସନ୍ତାନକୁ ମଧ୍ୟ ନିଜ ସ୍ତନ୍ୟପାନ ଦେଇ ଜୀବନ ବଞ୍ଚାଉଛନ୍ତି ।

ମୁଁ ହେବି ତା’ ଯଶୋଦା ମାଆ । ଜନ୍ମ ଦେଇନି ସିନା ତାକୁ ଜୀବନ ଦେବି । ତା’ କଅଁଳ ଜୀବନରେ ସଞ୍ଜିବନୀ ଭରି ଦେବି । ତା’ କୁନି ଓଠର ହସ ହେବି । ଏମିତି ଭାବନା ନେଇ ପଡୋଶୀଙ୍କ ୩ ମାସର ଶିଶୁ କନ୍ୟାକୁ ନିଜର କରିଛନ୍ତି ବୈପାରୀଗୁଡା ଭଜରାଗୁଡାର ଜଣେ ଆଦିବାସୀ ମାଆ । ନିଜ ପିଲା ସହ ପଡୋଶୀ ପିଲାକୁ ସ୍ତନ୍ୟପାନ କରାଉଛନ୍ତି ମମତାମୟୀ ମାଆ ନୟନା ।

ଖବରଟି ଏମିତି, ଭଦରାଗୁଡ଼ା ଗାଁର ଅନନ୍ତ ସାନ୍ତାଙ୍କ ସ୍ତ୍ରୀ ଜୟନ୍ତୀ ଶିଶୁକନ୍ୟାକୁ ଜନ୍ମ ଦେବା ୩ ମାସରେ ଛୁଆକୁ ଛାଡି ଆରପାରିକୁ ଚାଲିଗଲେ । ମାଆ ଛେଉଣ୍ଡ ହୋଇଗଲା କଅଁଳ କୁନି ଝିଅ । ସ୍ତ୍ରୀଙ୍କ ମୃତ୍ୟୁ ଝିଅ ଖାଇବ କ’ଣ, ବଂଚିବ କେମିତି? ତାକୁ ନେଇ ଚିନ୍ତାରେ ପଡି ଯାଇଥିଲେ ଅନନ୍ତ । ଆଉ ଏତିକି ବେଳେ ଶିଶୁଟିର ଯତ୍ନ ନେବା ପାଇଁ ଆଗେଇ ଆସିଛନ୍ତି ପଡୋଶୀ ନୟନା । ନିଜର ୩ ମାସର ଶିଶୁ ସହ ମାଆ ଛେଉଣ୍ଡ ଶିଶୁକନ୍ୟାର ଯତ୍ନ ନେଉଛନ୍ତି । ଦୁଇଟି ପିଲାଙ୍କୁ ସମାନ ଭାଗରେ ସ୍ତନ୍ୟପାନ କରାଉଛନ୍ତି । ସବୁ ଦିନ ସକାଳୁ କୁନି ଝିଅକୁ ଧରି ନୟନାଙ୍କ ଘରେ ପହଂଚି ଯାଆନ୍ତି ଜେଜେମା’ । ଆଉ ଯଶୋଦା ମା’ ଠାରୁ କ୍ଷୀର ଖାଇବା ପରେ ପୁଣି ନାତୁଣୀଙ୍କୁ ନେଇ ଚାଲିଯାଆନ୍ତି ଜେଜେମାଆ ।

ଆଉ ଏହାରି ଭିତରେ ନୟନାଙ୍କ ଜୀବନରେ ଘୋଟି ଆସିଛି ଦୁଃଖର ଘନ ଅନ୍ଧାର । ଅସମୟରେ ଆରପାରିକୁ ଚାଲି ଯାଇଛନ୍ତି ସ୍ୱାମୀ । ଭବିଷ୍ୟତ ଅନ୍ଧାର ହୋଇଯାଇଛି । ତଥାପି ବି ମରିନି ମା’ର ମମତା । ପଡୋଶୀଙ୍କ ପିଲାଙ୍କୁ ଦେଇ ଚାଲିଛନ୍ତି ଅମୃତ । ଆଜିର ସ୍ୱାର୍ଥବାଦୀ ଦୁନିଆରେ ବଞ୍ଚିଛି ମଣିଷ ପଣିଆ । ଆଜି ବି ଅଛନ୍ତି ଯଶୋଦା ମାଆ ।