କରୋନାର କରୁୁଣ ଚିତ୍ର ଭିତରେ ଗଂଜାମ ଜିଲ୍ଲାରୁ ଆସିଲା ମାନବିକତା ଓ ମଣିଷ ପଣିଆର ୩ଟି କାହାଣୀ । ପୁଣି ସାମ୍ବାଦିକ କାନେ୍ଧଇଲେ ଶବ, ବୃଦ୍ଧଙ୍କ ଅନ୍ତିମ ସଂସ୍କାର କଲେ ସରପଞ୍ଚ ।

293

କନକ ବ୍ୟୁରୋ : କେଉଁଠି ଆପଣାର ପର କରିଦେଲା, ତ’ ଆଉ କେଉଁଠି ପର, ଆପଣାର ଭାବି କାନେ୍ଧଇ ନେଲା । ଆଉ ଏହାରି ଭିତରେ ଜଣେ କରୋନା ଯୋଦ୍ଧା ଅନ୍ୟକୁ ବଞ୍ଚାଇବାର ଉଦ୍ୟମ କରୁ-କରୁ ନିଜେ ହାରିଗଲା । କରୋନାର କରୁୁଣ ଚିତ୍ର ଭିତରେ ଗଂଜାମ ଜିଲ୍ଲାରୁ ଆସିଛି, ମାନବିକତା ଓ ମଣିଷ ପଣିଆର କଥା କହୁଥିବା ୩ଟି କାହାଣୀ ।

ମୃତ୍ୟୁର ଖବର ମଣିଷକୁ ମର୍ମାମତ କରେ । କାରଣ, ଶବର କାହାଣୀ ସବୁବେଳେ ଶୋକପୂର୍ଣ୍ଣ । କିନ୍ତୁ ଏଠି ମୃତ୍ୟୁ ପରର କିଛି ମୁହୁର୍ତ, ମାନବିକତାର କଥା କହୁଛି, ମଣିଷପଣିଆର ବାର୍ତା ଦେଉଛି । ମହାମାରୀ ସମୟରେ ଏକାଠି ଲଢ଼ିବାର ପ୍ରେରଣା ଦେଉଛି, ଜୀବନ ବଂଚିବାକୁ ଉତ୍ସାହିତ କରୁଛି ।

ମହାମାରୀ ସତରେ ମଣିଷ ଚିହ୍ନିବାର ଏକ ବଡ଼ ମୌକା ଆଣିଛି । କିଏ ପର, ଆଉ କିଏ ଆପଣାର, ତାହା ଠିକ୍ ବୁଝି ହୋଇଯାଉଛି, ଯେତେବେଳେ ମଣିଷ ଆଖି ଆଗକୁ ଚାଲି ଆସୁଛି ଗୋଟିଏ ଶବ । ଭଂଜନଗରର କୋର୍ଟ ଏଏସଆଇ ରବୀନ୍ଦ୍ର ନାଥ ବେହେରାଙ୍କ ମରଶରୀର ଠିକ୍ ଏମିତିକା ଏକ ସ୍ଥିତିର ସାମ୍ନା କରିଛି । ଭୁତାଣୁ ଭୟରେ ଶବ ପାଖକୁ କେହି ଆସିଲେନି, ଆଉ ଶେଷରେ ଶବକୁ କାନେ୍ଧଇବାକୁ ସାମ୍ନାକୁ ଆସିଲେ ସାମ୍ବାଦିକ ।

ଥଣ୍ଡାକାଶରେ ଚାଲିଗଲେ ପୋଲସରା ନୂଆପଲ୍ଲୀ ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧ । ପାଖରେ ପୁଅ ନାହିଁ, ମହାମାରୀ ଭୟରେ ପଡ଼ିଶା ପାଖ ମାଡ଼ିଲେନି । ଆଉ ଏଭଳି ସ୍ଥିତିରେ ସମ୍ପର୍କୀୟ ଭଳି ସାମ୍ନାକୁ ଆସିଥିଲେ ସରପଂଚ ରଞ୍ଜୟ ପାଣିଗ୍ରାହୀ । ଦୂର ସଂପର୍କୀୟ ମିଶି ବୃଦ୍ଧ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିଥିଲେ ।

ସହୀଦଙ୍କୁ ଶ୍ରଦ୍ଧାଂଜଳି ଦେବା ଭଳି ଭ୍ରମ ସୃଷ୍ଟି କରୁଥିବା ଏହି ଚିତ୍ର ଜଣେ କରୋନା ଯୋଦ୍ଧାଙ୍କର । ଯିଏ ଅଜଣା ଶତ୍ରୁ ବିରୋଧରେ ଲଢି, ଅନ୍ୟକୁ ବଂଚାଇବା ପାଇଁ କାମ କରୁଥିଲେ, ହେଲେ ନିଜେ ହାରିଗଲେ ।

କରୋନା ଯୁଦ୍ଧରେ ଟଳିପଡିଥିବା ଗଂଜାମ ଜିଲ୍ଲା ଧୁମଛାଇ ପଂଚାୟତର ସରପଂଚ ମନୋଜ ପ୍ରଧାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ବିଦାୟ ଦିଆଯାଇଛି । ତିନିଟି ଚିତ୍ର ସେହି ଗୋଟିଏ କାହାଣୀ କହୁଛି-ମଣିଷ ମରିଯାଇପାରେ କିନ୍ତୁ ମାନବିକତା ବଂଚିଛି ଆଉ ବଂଚି ରହିବ ।