ଲକଡାଉନ ସମୟର ଚା’ ଦୋକାନୀ ଏବେ ଯୁବ ଉଦ୍ୟୋଗୀ ।  ଦିନେ ଦିପଇସା ରୋଜଗାର ପାଇଁ କରୁଥିଲେ ସଂଘର୍ଷ, ଏବେ ନିଜେ ଦେଉଛନ୍ତି ରୋଜଗାର ।

181

କନକ ବ୍ୟୁରୋ : ଲକଡ଼ାଉନ୍ ସମୟରେ ଜୀବିକା ନିର୍ବାହ ପାଇଁ ପ୍ରଥମେ ଚା’ ବ୍ୟବସାୟ କରୁଥିଲେ । ଆଉ ଏବେ ପାଲଟିଛନ୍ତି ଯୁବ ଉଦ୍ୟୋଗୀ । ଯିଏ ଦିନ କେଇଟା ପୂର୍ବରୁ ପେଟ ପାଟଣା ପାଇଁ ସଂଘର୍ଷ କରୁଥିଲେ । ଏବେ ଅନ୍ୟମାନଙ୍କୁ ରୋଜଗାର ଦେବା ସହ ନିଜେ ଭଲ ରୋଜଗାର କରୁଛନ୍ତି । ଜାଣନ୍ତୁ ମାଲକାନଗିରିର ଜଣେ ଯୁବ ଉଦ୍ୟୋଗୀଙ୍କ କାହାଣୀ ।

ଯୁବ ଉଦ୍ୟୋଗୀଙ୍କ ଯାଯାବାର କାଫେ । ଯାହା କେହି କେବେ ଭାବି ନଥିଲେ ତାକୁ ସମ୍ଭବ କରି ଦେଖାଇଛନ୍ତି ଉପାନ୍ତ ଅଂଚଳର ଯୁବ ଉଦ୍ୟୋଗୀ ସୁବ୍ରତ କୁମାର ଦତୋ । ନାମୀ ଦାମୀ କମ୍ପାନୀକୁ ପଛରେ ପକାଇ ନିଜର ଏକ ସ୍ୱଦେଶୀ ବ୍ରାଣ୍ଡ କରି ଉନ୍ନତମାନର ଓ ସୁଆଦିଆ ପିଜା, ବର୍ଗର, ସାଣ୍ଡୱିିଚ୍ ଓ ଫିଙ୍ଗର୍ସ ପରି ବିଭିନ୍ନ ପ୍ରକାରର ଫାଷ୍ଟ ଫୁଡ ଲୋକଙ୍କୁ ହାତପାହାନ୍ତାରେ ଯୋଗାଉଛନ୍ତି । ମାଲକାନଗିରି ପରି ଛୋଟ ସହରରେ କେଏଫସି, ଡମିନୋଜ, ମାକ୍ ଡୋନାଲ୍ଡ ପରି ନାମି ଦାମି ବ୍ରାଣ୍ଡ ଏକ ପ୍ରକାର ସ୍ୱପ୍ନ ପରି ଲାଗୁ ଥିଲା । ଏହି କାଫେରେ ଦେଶୀ ବ୍ରାଣ୍ଡର ମିଳୁଥିବା ଖାଇବା ଲୋକଙ୍କ ଆବଶ୍ୟକତା ପୁରଣ କରିଛି । ଯାହାକୁ ଖାଇବା ପାଇଁ ଯୁବ ପିଢିଙ୍କ ମଧ୍ୟରେ ଲାଗୁଛି ପ୍ରତିଯୋଗିତା ।

ଯୁକ୍ତ ଦୁଇ ପାଠପଢା ପରେ ପରିବାରର ଆର୍ଥିକ ଅନାଟନ ଯୋଗୁଁ ପାଠ ସହ ଗାଁ ଗାଁ ବୁଲି ଫେରି କରୁଥିଲେ ସୁବ୍ରତ । ଲକଡାଉନ ସମୟରେ ହାତରେ କାମ ଧନ୍ଦା ନଥିବାରୁ ଏକ ଚା’ ଦୋକାନ ଆରମ୍ଭ କରିଥିଲେ । କିଛି ନୂଆ କରିବାର ଉପାୟ ଖୋଜୁ ଖୋଜୁ ଗୋଟିଏ ପରେ ଗୋଟିଏ ଖାଇବା ସାମଗ୍ରୀ ତାଙ୍କ ଚା’ ଦୋକାନରେ ଯୋଡ଼ିବା ଆରମ୍ଭ କରିଥିଲେ । ବିଭିନ୍ନ ଫ୍ଲେବରର ଶେକ, ଫଳ ଜୁସ ଏବଂ ଖରା ଦିନରେ କୁଲ୍ଲଡ ବା ମାଟି ପାତ୍ରରେ ମିଳୁଥିବା କ୍ରିମ ଲସିର ଚାହିଦା ରହୁଥିବା ବେଳେ ଏହାକୁ ଖାଇବାକୁ ଏବେ ଲୋକେ ଭିଡ଼ ଜମାଉଛନ୍ତି ।

ମାତ୍ର ୭୦ ହଜାର ଟଙ୍କା ଋଣ କରି ମାସକ ତଳେ ମାଲକାନଗିରି କଲେଜ ଛକରେ ଏହି କାଫେ ଖୋଲି ପ୍ରଥମ ମାସରେ ୩୦ ହଜାର ଟଙ୍କା ଲାଭ କରିବା ସହ ୫ ଜଣଙ୍କୁ ରୋଜଗାର ଦେଇ ପାରିଛନ୍ତିି ସୁବ୍ରତ । ଆଗକୁ ନବରଙ୍ଗପୁର, କାଲିମେଳା ପରି ବିଭିନ୍ନ ସ୍ଥାନରେ ଦେଶୀ ବ୍ରାଣ୍ଡର କାଫେ ଖୋଲିବାକୁ ଯୋଜନା ରଖିଛନ୍ତି ଯୁବ ଉଦ୍ୟୋଗୀ ।