ଅନନ୍ୟ ସଫଳତାର କାହାଣୀ: ପରିବାର ପାଇଁ ଫେରି କରୁଥିଲେ ବାପା, ଆଇଏଏସ୍ ହୋଇ ପୁଅ ଦୂରେଇଲା ଦୁଃଖ

186
କନକ ବ୍ୟୁରୋ: ପିଲାଙ୍କ ସଫଳତା ବାପା, ମା’ଙ୍କ ପାଇଁ ସାର୍ଥକତା ଆଣିଦିଏ । ହେଲେ ସେ ସଫଳତାର ଜବାବ ନାହିଁ ଯାହା ସଂଘର୍ଷର କଷଟି ପଥରରେ ପରଖାଯାଇ ମିଳିଥାଏ । ଅନିଲ ବସାକ ଏପରି ଜଣେ ଯୁବକ ଯିଏ ଆଇଏଏସ୍ ହୋଇ ନିଜ ପରିବାରର ଗତିପଥ ବଦଳାଇ ଦେଇଛନ୍ତି । ଅନ୍ୟ କିଛି ଯୁବକଙ୍କ ପରି ତାଙ୍କ ସଫଳତାର କାହାଣୀ ଯୁବପିଢିଙ୍କ ପାଇଁ ଏକ ଦିଗବାରେଣି ନିଶ୍ଚୟ । ଚଳିତ ୟୁପିଏସସି ପରୀକ୍ଷାରେ ୪୫ ତମ ର୍ୟାଙ୍କ ରଖି ଅନିଲ ଭାରତୀୟ ପ୍ରଶାସନିକ ଅଧିକାରୀ (IAS) ହୋଇଛନ୍ତି । କିନ୍ତୁ ଏଯାଏଁ ପହଞ୍ଚିବାରେ ତାଙ୍କର ସଂଘର୍ଷ ଓ ତାଙ୍କ ପରିବାରର କଠିନ ପରିଶ୍ରମ ବିଷୟରେ ନେବା ଏକ ସଂକ୍ଷିପ୍ତ ବିବରଣୀ ।

 

ଅନିଲ ବସାକ ବିହାର କିଶନଗଂଜର ବାସିନ୍ଦା  । ତାଙ୍କ ପରିବାରର ଆର୍ଥକ ଅବସ୍ଥା ଥିଲା ଅତ୍ୟନ୍ତ ଶୋଚନୀୟ । ୪ଜଣ ସନ୍ତାନଙ୍କୁ ନେଇ ପରିବାର ଚଳାଇବା ବାପାଙ୍କ ପାଇଁ ଥିଲା କାଠିକର ପାଠ । ୪ ଜଣଙ୍କ ମଧ୍ୟରୁ ଅନିଲ ଦ୍ୱିତୀୟ ସନ୍ତାନ ।ବାପା ବିନୋଦ ବସାକ ପରିବାର ଭରଣପୋଷଣ ପାଇଁ ଗାଁ ଗାଁ ବୁଲି କପଡା ଫେରି କରୁଥିଲେ । ସେଥିରୁ ଯାହା ରୋଜଗାର ହେଉଥିଲା ସେଥିରେ ୬ ପ୍ରାଣୀ କୁଟୁମ୍ବ ଚଳାଇବା ଯେପରି ସମୁଦ୍ର ଲଂଘିବା ପରି ମନେ ହେଉଥିଲା । ଗାଁ ସ୍କୁଲରେ ପାଠ ପଢା ଶେଷ ପରେ ନିଜ ଅଧ୍ୟବସାୟ ବଳରେ ଦିଲ୍ଲୀ ଆଇଆଇଟିରେ ସ୍ଥାନ ପାଇଲେ । ତଥାପି ଦାରିଦ୍ର୍ୟକୁ ବାହାନା ନକରି ଏହାକୁ ଚ୍ୟାଲେଂଜ କରିଥିଲେ ଅନିଲ । ସେଠାରେ ସିଭିଲ ଇଂଜିନିୟରିଙ୍ଗ ଶେଷ କରିବା ପରେ ୟୁପିଏସସି ଉପରେ ଧ୍ୟାନ କେନ୍ଦ୍ରିତ କଲେ । ପିଲାବେଳୁ ବଡବାବୁଙ୍କୁ ଦେଖି ସେମାନଙ୍କ ଭଳି ହେବାକୁ ସ୍ୱପ୍ନ ଦେଖିଥିବା ଅନିଲଙ୍କ ଆଖିରୁ ନିଦ ହଜିଗଲା ।  ମନରେ ଯୋଶ ଭରିଥିଲା କେମିତି ୟୁପିଏସସି ପରୀକ୍ଷା ଦେବେ । ଆଇଏଏସ୍ ହେବେ । ୨୦୧୬ରେ ପ୍ରସ୍ତୁତି ଆରମ୍ଭ କରି ଦିନ ରାତି ଏକ କରିଦେଲେ । ପ୍ରଥମ ଚେଷ୍ଟାରେ ତାଙ୍କୁ ନିରାଶା ମିଳିଥିଲେ ବି ହାର ମାନନିଥିଲେ ଅନିଲ । ଦ୍ୱିତୀୟ ଚେଷ୍ଟାରେ ତାଙ୍କୁ ୬୧୬ ର୍ୟାଙ୍କ ମିଳିଥିଲା । ଏଥିରେ ମନ ମାନିନଥିଲେ ବି ପରିବାର ପାଇଁ ବାଧ୍ୟ ହୋଇ ଆୟକର ବିଭାଗରେ ଅଧିକାରୀ ଭାବେ ଯୋଗ ଦେଲେ । ହେଲେ ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇନଥିଲେ  । ପୁଣିଥରେ ୨୦୨୦ରେ ତୃତୀୟ ଥର ପରୀକ୍ଷା ଦେଲେ । ଆଉ ୪୨ତମ ର୍ୟାଙ୍କ ପାଇ ହେଲେ ଆଇଏଏସ୍ । ନିଜ ସ୍ୱପ୍ନକୁ ସଫଳ ଆକାର ଦେଲେ ଅନିଲ ବସାକ୍ ।
ପ୍ରକୃତରେ କଠିନ ପରିଶ୍ରମ ଓ ଦୃଢ ଆତ୍ମବିଶ୍ୱାସ ହାତର ରେଖାକୁ ମଧ୍ୟ ବଦଳାଇଦିଏ ।