କନକ ବ୍ୟୁରୋ : ପିତୃ ସତ୍ୟ ପାଳନ ପାଇଁ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷ ବନବାସ କରିଥିଲେ । ସାଥିରେ ଥିଲେ ଭ୍ରାତା ଲକ୍ଷ୍ମଣ ଓ ପତ୍ନୀ ସୀତା । ସେତେବେଳେ ଦଣ୍ଡକାରଣ୍ୟ ଜଙ୍ଗଲରେ ବହୁ ବର୍ଷ ବିତାଇଥିଲେ ମର୍ଯ୍ୟାଦା ପୁରୁଷୋତମ ରାମ ଓ ମାତା ସୀତା । ଦଣ୍ଡକାରଣ୍ୟ ଜଙ୍ଗଲରେ ସମୟ କାଟିବା ବେଳେ ବଣ୍ଡାଘାଟିକୁ ଆସିଥିଲେ । କିମ୍ବଦନ୍ତି କୁହେ, ବଣ୍ଡା ଘାଟିର ଏହି କୁଣ୍ଡରେ ମାତା ସୀତା ସ୍ନାନ କରିବା ବେଳେ ତାଙ୍କୁ ଉପହାସ କରିଥିଲେ ବଣ୍ଡା ରମଣୀ । ବଣ୍ଡା ରମଣୀଙ୍କ ଉପହାସ ଅସହ୍ୟ ହେବାରୁ, ଆଗାମି ୧୦ ପୁରୁଷ ଯାଏଁ ମହିଳାମାନେ ଲଣ୍ଡା ରହିବା ସହ ଅର୍ଧଲଗ୍ନ ରହିବା ନେଇ ଅଭିଶାପ ଦେଇଥିଲେ ମାତା ସୀତା । ସେଇ ଅଭିଶାପ ଅନୁଯାଇ ବଣ୍ଡାମାନେ ଆଜି ବି ଲଣ୍ଡା ବେଶରେ ରହିବା ସହ ଦେହକୁ ମାଳିରେ ଘୋଡାଇ ରଖନ୍ତି, ଆଉ ହାତ ତିଆରି ରିଙ୍ଗା ପିନ୍ଧନ୍ତି ।

ମାତା ସୀତା ସ୍ନାନ କରିଥିବା କଥା ବସ୍ତୁକୁ ଆଧାର କରି ସୀତା କୁଣ୍ଡ ନାମରେ ନାମିତ ବଣ୍ଡାଘାଟିର ଏହି ଝରଣା । ୨୦୨୨ ମାର୍ଚ ୨୨ରେ ରାମ ଗମନ ପଥ କାବ୍ୟ ଯାତ୍ରା ଏଠାରେ ପହଁଚି ଥିବା ବେଳେ ତତକାଳିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ରାମ ମନ୍ଦିର ପ୍ରତିଷ୍ଠା ଲାଗି ଏଠାରୁ ଜଳ ସଂଗ୍ରହ କରିଥିଲେ ।

ସମୁଦ୍ର ପତନ ଠାରୁ ପ୍ରାୟ ୫ହଜାର ଫୁଟ ଉଚ୍ଚ ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ଦୁଇଟି ପଂଚାୟତରେ ପ୍ରାୟ ୭ ହଜାରରୁ ଅଧିକ ଆଦିମ ବଣ୍ଡା ଜନଜାତିର ଲୋକେ ବସବାସ କରନ୍ତି । ଘାଟିରେ ପୁରାତନ ମହିଳାମାନେ ଆଜି ବି ପାରମ୍ପାରିକ ଲଣ୍ଡା ବେଶରେ ଦେଖିବାକୁ ମିଳୁଥିବା ବେଳେ ଯୁବପିଢିଙ୍କ ମଧ୍ୟରେ ପରିବର୍ତନ ପରିଲକ୍ଷିତ ହେଉଛି ।