କନକ ବ୍ୟୁରୋ: ମୃତ୍ୟୁର ମହାତାଣ୍ଡବର ଅନ୍ୟ ନାଁ ମହାବାତ୍ୟା । ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, କେହି କିଛି ବୁଝିବା ଆଗରୁ ଉଜୁଡି ଯାଇଥିଲା ହଜାର ହଜାର ସଂସାର । ମହାବାତ୍ୟା ମୁହଁକୁ ଚାଲିଯାଇଥିଲା ଉକ୍ରଳର ଅପରୂପ ସୌନ୍ଦର୍ଯ୍ୟ, ଘୁ ଘୁ ଶବ୍ଦ କରି ପ୍ରଳୟ ପାଟିରେ ବିଲୀନ ହୋଇଯାଇଥିଲା ଅଧା ଓଡ଼ିଶା । ସେ ଦିନ, ସେ ସନ୍ଧ୍ୟା ଆଉ ସେ ରାତି ଥରେ ଯିଏ ଦେଖିଛି, ତାକୁ ମନେ ପକାଇବା ତ ଦୂରର କଥା । ସ୍ୱପ୍ନରେ ସୁଦ୍ଧା ଭାବିବାକୁ ପାଦଠୁ ମୁଣ୍ଡଯାଏଁ ଥରି ଉଠୁଛି ।
ପ୍ରଳୟଙ୍କାରୀ ମହାବାତ୍ୟାକୁ ୨୪ ବର୍ଷ ପୂରିଥିବାବେଳେ ସେଦିନର ଲୋମଟାଙ୍କୁରା କାହାଣୀ ବଖାଣିଛନ୍ତି, ସେତେବେଳର ରାମନଗର ପଞ୍ଚାୟତର ସରପଞ୍ଚ ପ୍ରତିନିଧି । ନା ଥିଲା ଟିଭି, ନା ଥିଲା ମୋବାଇଲ, କେବଳ ରେଡିଓରୁ ଜାଣିବାକୁ ପାଇଥିଲେ ଆସୁଛି ମହାବାତ୍ୟା । ପ୍ରଳୟ ସହ ମୁକାବିଲା କରିବାକୁ ପାଖରେ କିଛି ଅସ୍ତ୍ର-ଶସ୍ତ୍ର ନଥିଲେ ବି ଆତ୍ମବିଶ୍ୱାସ ଆଉ ମଣିଷପଣିଆକୁ ନେଇ ସଙ୍କଟ ସମୟର ସାଥୀ ବନିଥିଲେ ସେଦିନର ସରପଞ୍ଚ ବାବୁ ।
ଓଡ଼ିଶା ଇତିହାସର ସବୁଠୁ ବଡ଼ ବିପର୍ଯ୍ୟୟ ଥିଲା ୧୯୯୯ ମସିହାର ମହାବାତ୍ୟା । ୨୯ ତାରିଖ ସକାଳୁ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଥିଲା । ତା’ ସାଙ୍ଗକୁ ବର୍ଷାର ପରିମାଣ ଆଉ ବିଜୁଳିର ଭୟଙ୍କର ଶବ୍ଦରେ ଥରି ଉଠୁଥିଲା ସାରା ଓଡ଼ିଶା । ଠିକ୍ ଏତିକିବେଳେ କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ମୃତ୍ୟୁ ଫାଶ ପକାଉଥିଲା ମହାବାତ୍ୟା । ସକାଳୁ ଅଧରାତି ଯାଏଁ ପବନର ବେଗ ଥମିବାର ନାଁ ନେଉନଥାଏ, ନିଜେ ଓପାସରେ ରହି ଲୋକଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ଲାଗିପଡ଼ିଥିଲେ ପଞ୍ଚାୟତ ପ୍ରତିନିଧି ।
ମଣିଷଠୁ ପଶୁ, କୁଢ଼ କୁଢ଼ ଶବ ଲୁଣାପାଣିରେ ଭାସି ଆସି ଚାରିଆଡେ ଲାଗିଥିଲା । ପଚା ସଢ଼ା ଦୁର୍ଗନ୍ଧରେ ଫାଟିପଡୁଥିଲା ପୂରା ଅଞ୍ଚଳ, ଚାଲିବାକୁ ବଳନଥାଏ କି ଖାଇବାକୁ ପାଖରେ କିଛି ନଥାଏ । ଏତିକି ବେଳେ ଆଶାର ଆଲୋକ ସାଜି ଆକାଶପଥରେ ଜୀବନ ବଞ୍ଚାଇବାକୁ ଚାଲିଆସିଥିଲେ ବାୟୁବୀର । ଖାଦ୍ୟ ପୁଡ଼ିଆକୁ, ପାଣି ବୋତଲ ଦେଇ କିଛି ଜୀବନ ବଞ୍ଚାଇଥିଲେ, ଆଉ ସେହି କାହାଣୀକୁ କହି ଭାବୁକ ହୋଇଯାଇଛନ୍ତି ସେଦିନର ସରପଞ୍ଚ ।
ସତରେ ୧୯୯୯ ମସିହାର ମହାବାତ୍ୟା ସିନା ଇତିହାସ ପାଲଟିଯାଇଛି । କିନ୍ତୁ ସେଦିନର ପ୍ରଳୟର ପୃଷ୍ଠା ଯେବେ ଯେବେ ଯିଏ ଲେଉଟାଉଛି, ତା’ ଆଖିରେ ଆତଙ୍କର ଲୁହ, ଆଉ ଛାତିରେ ଯନ୍ତ୍ରଣା ହିଁ ଯନ୍ତ୍ରଣା ଅନୁଭବ କରୁଛି ।