କନକ ବ୍ୟୁରୋ : ଅନ୍ତର୍ଜାତୀୟ କ୍ରିକେଟରେ ଧମାକଦାର ଡେବ୍ୟୁ କରିଛନ୍ତି ଭାରତୀୟ କ୍ରିକେଟର ରବି ବିଷ୍ଣୋୟୀ । ୱେଷ୍ଟଇଣ୍ଡିଜ ବିପକ୍ଷରେ ୪ ଓଭରରେ ମାତ୍ର ୧୭ ରନ୍ ଦେଇ ୨ ୱିକେଟ ହାସଲ କରିବା ସହ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଛନ୍ତି ରିବ । ଆଉ ଏଭଳି ଦମଦାର ପ୍ରଦର୍ଶନ ପାଇଁ ରବି ବିଷ୍ଣୋୟୀଙ୍କୁ ମ୍ୟାଚର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ବିବେଚନା କରାଯାଇଛି । ଆଉ ଡେବ୍ୟୁ ମ୍ୟାଚରେ ଏଭଳି ସଫଳତା ହାସଲ କରିବା ରବିଙ୍କ ପାଇଁ ମଧ୍ୟ ବେଶ ସ୍ମରଣୀୟ ହୋଇଯାଇଛି । କାରଣ ଏହି ମ୍ୟାଚରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା ।

Advertisment

ତେବେ ବିଷ୍ଣୋୟୀଙ୍କ ଏହି ସଫଳତାର ଯାତ୍ରା ପଛରେ ସଂଘର୍ଷ ଲୁଚି ରହିଛି । ରାଜସ୍ଥାନର ଯୋଧପୁରରେ ଜନ୍ମିତ ରବି ବିଷ୍ଣୋୟୀ ଚାଷ ପଡିଆରେ ପ୍ରାକ୍ଟିସ କରିବା ସହ ଆଗକୁ ବଢିଥିଲେ । ଏପରିକି ସାଙ୍ଗ ଓ କୋଚଙ୍କ ସହ ମିଶି କ୍ରିକେଟ ଏକାଡେମୀ ଖୋଲିଥିଲେ । ଆଉ ସବୁଠୁ ବଡ କଥା ହେଲା କ୍ରିକେଟ ଏକାଡେମୀ ଖୋଲିବା ସମୟରେ ଦିନ ମଜୁରିଆ ଭାବେ ମଧ୍ୟ କାମ କରିଛନ୍ତି । କିନ୍ତୁ ଏହି ସଂଘର୍ଷମୟ ସମୟରେ ବି ସେ କ୍ରିକେଟ ଖେଳିବା ଛାଡିନଥିଲେ । ପରେ ୧୯ ବର୍ଷରୁ କମ ବିଶ୍ୱକପ ଟିମରେ ସାମିଲ ହୋଇଥିଲେ ବିଷ୍ଣୋୟୀ । ୧୯ ବର୍ଷରୁ କମ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ ସହ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲେ । ତେବେ ୨୦୨୦ରେ ହୋଇଥିବା ୧୯ ବର୍ଷରୁ କମ ବିଶ୍ୱକପରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ବିଷ୍ଣୋୟୀଙ୍କ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ହୋଇଥିଲା । କାରଣ ୬ଟି ମ୍ୟାଚରୁ ୧୭ଟି ୱିକେଟ ନେଇ ନିଜକୁ ପ୍ରମାଣିତ କରିଥିଲେ ରବି ବିଷ୍ଣୋୟୀ ।

୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ପ୍ରଦର୍ଶନ ବିଷ୍ଣୋୟୀଙ୍କ ଆଇପିଏଲ ଖେଳିବା ପାଇଁ ଦ୍ୱାର ଖୋଲିଥିଲା । ୨୦୨୦ ଓ ୨୧ରେ ପଞ୍ଜାବ ପକ୍ଷରୁ ଆଇପିଏଲ ଖେଳିବାକୁ ସୁଯୋଗ ପାଇଥିଲେ ବିଷ୍ଣୋୟୀ । ଆଉ ୨୩ ମ୍ୟାଚରୁ ୨୪ଟି ୱିକେଟ ହାତେଇ ସମସ୍ତଙ୍କୁ ଚକିତ କରିଥିଲେ । ତେବେ ଚଳିତଥର ମହାନିଲାମୀରେ ପ୍ରତିଭାବାନ ବିଷ୍ଣୋୟୀଙ୍କୁ ୪ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ଦଳରେ ସାମିଲ କରିଛି । ଆଉ ଆଇପିଏଲ ପୂର୍ବରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ବିଷ୍ଣୋୟୀ ।