ବିରଜୁ ବଖାଣିଲେ ଲାହୋର ଜେଲରେ ନିର୍ଯାତନାର କାହାଣୀ । ଜେଲର ଅନ୍ଧାର କୋଠରୀ ଭିତରେ ଚାବୁକରେ ମାଡ଼ ମାରି ଦିଆଯାଉଥିଲା ନିର୍ଯାତନା, ତାଙ୍କ ଆଗରେ ଦୁଇ କଏଦୀଙ୍କ ଚାଲିଯାଇଥିଲା ଜୀବନ ।

541

କନକ ବ୍ୟୁରୋ : ପାକିସ୍ତାନରୁ ଫେରି ଜନ୍ମମାଟି ସୁନ୍ଦରଗଡରେ ପହଚିଂବା ପରେ ପରିବାର ସହ ଗୋଟିଏ ଦିନ କାଟିଛନ୍ତି ବିରଜୁ । ଆଉ ଏହାରି ଭିତରେ ତାଙ୍କ ନିକଟରେ ଦେଖିବାକୁ ମିଳିଛି ଅନେକ ପରିବର୍ତନ । ଗତକାଲି ଭଲ ଭାବେ କଥା କହିପାରୁନଥିବା ବିରଜୁ, ପାକିସ୍ତାନ ସୀମା ଭିତରକୁ ପଶିଯିବା ପରେ ତାଙ୍କ ସହ ସେଦିନ କଣ ଘଟିଥିଲା ସେସବୁକୁ ବଖାଣିଛନ୍ତି । ପାକିସ୍ତାନ ଜେଲରେ ତାଙ୍କୁ କିଭଳି ଅସହ୍ୟ ନିର୍ଯାତନା ଦିଆଯାଉଥିଲା ଓ ପାକିସ୍ତାନରେ ତାଙ୍କୁ କେମିିତି ଚାବୁକ ମାଡ ମରାଯାଇଥିଲା ଅଙ୍ଗେନିଭା ଘଟଣାକୁ କହିଛନ୍ତି ବିରଜୁ ।

ସୀମା ଡେଇଁ ଯିବା ପରେ କିପରି ଜୀବନ ନର୍କ ହୋଇଯାଏ ତାହା ଆପଣ ଅନେକ ହିନ୍ଦୀ ସିନେମାରେ ଦେଖିଥିଲେ । ହେଲେ ବିରଜୁଙ୍କ ଜୀବନରେ ଏହା ସତ କାହାଣୀ । ବିରଜୁ ଯେତେବେଳେ ବାଟଭୁଲି ସୀମାର ତାରବାଡ ଅତିକ୍ରମ କରିଥିଲେ ତାଙ୍କ ସହିତ କିଛି ଏମିତି ଘଟିଥିଲା ଯାହା ସେ କେବେ ବି ଅନୁମାନ କରିନଥିଲେ ।

ତାର ବାଡ ଡେଇଁବା ପରେ ପାକିସ୍ତାନରେ ବିରଜୁ ପହଂଚିବା ବେଳକୁ ଦେଖିଥିଲେ ଏକ ଚାଷ କ୍ଷେତ । କିଛି ଲୋକ ଏକ ଟ୍ରାକ୍ଟରରେ ବିରଜୁଙ୍କ ନେଇ ଚାଲିଥିଲେ ଶିଖରପୁର । ଶିଖରପୁରରେ ବିରଜୁଙ୍କୁ ଛାଡିଦେବା ପରେ ପୋଲିସ ଧରିଥିଲା ବିରଜୁଙ୍କୁ । ଥାନା ହାଜତରେ ରଖି ଚାବୁକରେ ମାଡ ମାରିଥିଲା ।

ଲାହୋର ଜେଲରେ ୨୫ବର୍ଷ । ବିରଜୁଙ୍କ ମୁହଁରେ କଳା କୋଠରୀର କାହାଣୀ । ଟ୍ରାକ୍ଟରରେ ଶିଖରପୁର ଆସିବା ପରେ ଥାନା ହାଜତ ଗଲେ ବିରଜୁ । ଥାନା ହାଜତରୁ ବିରଜୁଙ୍କୁ ପଠାଇଦିଆଯାଇଥିଲା ଲାହୋର ଜେଲ । ଅନ୍ଧାର କୋଠରୀର କାହାଣୀ ଏଇଠୁ ଆରମ୍ଭ ହୋଇଥିଲା । ବାହାରକୁ ଛଡା ଯାଉନଥିଲା । କେବଳ କୋର୍ଟରେ ହାଜର ହେବା ପାଇଁ ଯାଉଥିଲେ । ବିରଜୁଙ୍କ କହିବାନୁସାରେ ତାଙ୍କୁ କଳାପୋଷାକ ପିନ୍ଧାଇ ଦିଆଯାଉଥିଲା । ଜଂଜିରରେ ବାନ୍ଧି ଦିଆଯାଉଥିଲା । ଗୁପ୍ତଚର ବୋଲି ସନ୍ଦେହ କରି ଦିନକୁ ଗୋଟିଏ ଥର ଲୁହା ରଡରେ ପିଟୁଥିଲେ ଜେଲ କର୍ତ୍ତୃପକ୍ଷ । ଗୋଡକୁ ବାନ୍ଧି ପାଦକୁ ମାଡ ଦିଆଯାଉଥିଲା । ତାଙ୍କରି ଆଖି ଆଗରେ ବିହାରର ଦୁଇଜଣ ବନ୍ଧୁ ସରବ-ପ୍ରିତଙ୍କୁ ବାଡେଇ ବାଡେଇ ମାରିଦେଲେ ।

ବିରଜୁଙ୍କ ଏହି କାହାଣୀ ଯେତିକି ସମ୍ବେଦନଶୀଳ ସେତିକି କରୁଣ । ୨୫ବର୍ଷ ଜେଲରେ ନିର୍ଯ୍ୟାତନାର ଶିକାର ହୋଇଥିବା ବିରଜୁ ଓଡିଶା ସିନା ଫେରିଆସୁଛନ୍ତି । କିନ୍ତୁ ସେଦିନର କରୁଣ କାହାଣୀକୁ ତନ ତନ କରି ମନେ ରଖିଛନ୍ତି । ବିରଜୁଙ୍କ ଠାରୁ ଏହି କାହାଣୀ ଶୁଣିବା ବେଳକୁ ରୋମ ଟାଙ୍କୁରି ଉଠୁଛି ।