‘ଜଙ୍ଗଲରେ ଲୁଚାଇ ରଖିଥିଲେ ଜଳଦସ୍ୟୁ, ଦେଉଥିଲେ ଶାରିରୀକ ନିର୍ଯାତନା’ । ୭୦ ଦିନର ଲୋମଟାଙ୍କୁରା କାହାଣୀ କହିଲେ ଓଡିଆ ନାବିକ ।

689

କନକ ବ୍ୟୁରୋ : ଏପ୍ରିଲ ୧୯ ତାରିଖରୁ ନାଇଜେରିଆରେ ଜଳଦସ୍ୟୁଙ୍କ କବଜାରେ ଥିବା ଓଡିଆ ନାବିକ ସୁଦୀପ ଚୌଧୁରୀ ମୁମ୍ବାଇରେ ପହଁଚିଛନ୍ତି । ଭାରତରେ ପହଁଚିବା ପରେ କନକ ନ୍ୟୁଜକୁ ୭୦ ଦିନର ଛାତିଥରା କାହାଣୀ କହିଛନ୍ତି ସୁଦୀପ ।

ସୁଦୀପ ଚୌଧୁରୀ : ସେଦିନ ଥିଲା ୨୦୧୯ ଏପ୍ରିଲ ୧୯ ତାରିଖ । ଭାରତୀୟ ସମୟ ସନ୍ଧ୍ୟା ପ୍ରାୟ ୭ଟା ହେବ । ନାଇଜେରିଆ ବୋନି ଦ୍ୱୀପାଞ୍ଚଳ ଘାନାରୁ ବାହାରି ସମୁଦ୍ର ପଥରେ ନାଇଜେରିଆ ଯାଉଥିଲା ଜଳଜାହାଜ ‘ଏମଟି ଆପେକସ୍’ । ଠିକ୍ ଏହି ସମୟରେ ମଝି ଦରିଆରେ ଜାହାଜକୁ ଘେରିଗଲେ ସଶସ୍ତ୍ର ଜଳଦସ୍ୟୁ । ଜାହାଜକୁ କବଜା କଲେ ପରେ ଉତ୍ପାତ ଆରମ୍ଭ କରିଦେଇଥିଲେ ୯ ଜଣ ଜଳଦସ୍ୟୁ । ଜାହାଜ ଭିତରେ ୯ ଜଣ ପଶିଥିବା ବେଳେ ବାହାରେ ଜଗି ରହିଥିଲେ ପାଖାପାଖି ୬୦ ଜଣ ଜଳଦସ୍ୟୁ । ଜାହାଜରେ ଥିବା ୫ଜଣ ଭାରତୀୟଙ୍କ ସମେତ ୭ ଜଣ ନାବିକଙ୍କୁ ସେମାନେ ଅପହରଣ କରିନେଇଥିଲେ । ଆଉ ସେମାନଙ୍କ ମଧ୍ୟରେ ମୁଁ ମଧ୍ୟ ରହିଥିଲି ।

ଅପହରଣ ପରେ ସେମାନେ ଆମକୁ ନାଇଜେରିଆର ଏକ ଘନ ଜଙ୍ଗଲ ଭିତରକୁ ନେଇଯାଇଥିଲେ । ପ୍ରାୟ ୬୦ ଜଣ ସଶସ୍ତ୍ର ଡକାୟତ ଜଙ୍ଗଲ ଭିତରେ ପହରା ଦେଉଥିଲେ । ୭୦ ଦିନ ଧରି ମୃତ୍ୟୁକୁ ମୁଁ ଅତି ନିକଟରୁ ଦେଖିଛି । ହେଲେ ଖସିବାର କିଛି ବାଟ ନଥିଲା । ରାତି ରାତି ଧରି ଅନିଦ୍ରା ରହୁଥିଲି, ଖାଇବା ପିଇବା ମଧ୍ୟ ଠିକ୍ ନଥିଲା । ଅତି ଅସ୍ୱାସ୍ଥ୍ୟକର ପରିବେଶରେ ମୁଁ ଦିନ ଗଣୁଥିଲି । ସେ ସମୟରେ ମ୍ୟାଲେରିଆ ଏବଂ ଟାଏଫଏଡ୍ ଭଳି ମାରାତ୍ମକ ରୋଗରେ ମଧ୍ୟ ମୁଁ ଆକ୍ରାନ୍ତ ଥିଲି । ଏହି ୭୦ ଦିନରେ ମୋର ଓଜନ ୨୦ କେଜି କମିଯାଇଛି ।