ମୃତ୍ୟୁ ପୂର୍ବରୁ ୨ ଆତଙ୍କବାଦୀଙ୍କୁ ନିପାତ୍ କରି ଆଖି ବୁଜିଲେ ମେଜର୍ କୌସ୍ତୁଭ ରାଣେ । ମୁମ୍ବାଇର ଏହି ମେଜରଙ୍କ ବୀରତ୍ୱକୁ ଆଜି ସାରା ଦେଶ ସଲାମ୍ କରୁଛି । ଆଜି ଶହୀଦ୍ ମେଜରଙ୍କୁ ତାଙ୍କ ପୈତୃକ ସ୍ଥାନ ମୁମ୍ବାଇକୁ ଅଣାଯାଇ ଶେଷସମ୍ମାନ ପ୍ରଦର୍ଶନ କରାଯାଇଛି । ଆତଙ୍କବାଦୀ ଗୁଳିରେ ପ୍ରାଣ ହରାଇଛନ୍ତି ମେଜର୍ ରାଣେ, ତେବେ ତାଙ୍କ ସାହସିକତାର କାହାଣୀ ଓ ବଳିଦାନ ସବୁଦିନ ପାଇଁ ତାଙ୍କୁ ଅମର କରି ରଖିବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାମ୍ମୁ କାଶ୍ମୀରର ଗୁରେଜ୍ ସେକ୍ଟରରେ ଯେତେବେଳେ ଗୁଳିଗୋଳା ଗର୍ଜନ ଥରାଇ ଦେଉଥିଲା ପାଖ ଅଂଚଳକୁ ସେତେବେଳେ ଅପୂର୍ବ ବୀରତ୍ୱର ସହ ଆତଙ୍କବାଦୀଙ୍କ ଆଡ଼କୁ ମାଡ଼ି ଚାଲିଥିଲେ ମେଜର୍ ରାଣେ । ଶ୍ରୀନଗରଠାରୁ ୧୨୫ କିଲୋମିଟର୍ ଦୁରରେ ଚାଲିଥିଲା ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ଆଉ ଏହାର ନେତୃତ୍ୱ ନେଉଥିଲେ ଗତବର୍ଷ କ୍ୟାପଟେନରୁ ମେଜର୍ ପଦୋନ୍ନତି ପାଇଥିବା ୨୯ ବର୍ଷୀୟ କୌସ୍ତୁଭ୍ ରାଣେ । ଆତଙ୍କବାଦୀଙ୍କ ଗୁଳି ମେଜରଙ୍କୁ ଲାଗିଥିଲା ତେବେ ପଛକୁ ନ ହଟି ୨ ଆତଙ୍କବାଦୀଙ୍କୁ ନିପାତ୍ କରିଥିଲେ ସେନାର ଏହି ମେଜର୍ । ଆଜି ମେଜର୍ କୌସ୍ତୁଭ୍ ରାଣେ ସଶରୀରେ ନାହାନ୍ତି କିନ୍ତୁ ରାଣେଙ୍କ ସାହସ୍ ଓ ବଳିଦାନ୍ ତାଙ୍କୁ ଅମର କରି ରଖିବ କାଳ କାଳକୁ ।
ଜାମ୍ମୁ କାଶ୍ମୀରରେ ପାକିସ୍ତାନ ଖେଳୁଛି ରକ୍ତର ଖେଳ ଆଉ ଭାରତ ଦେଉଛି ଜବାବ୍ । ଏହି ଜବାବ୍ ଦେବା ଭିତରେ କେତେବେଳେ ନିପାତ୍ ହେଉଛନ୍ତି ଆତଙ୍କବାଦୀ ତ ପୁଣି କେବେ ଶହୀଦ୍ ହେଉଛନ୍ତି ଭାରତୀୟ ଯବାନ । ଆଉ ବାରମୁଳା, ଗୁରେଜ୍ ଅପରେସନ୍ ପରେ ଶହୀଦ୍ ଯବାନଙ୍କ ଶେଷଯାତ୍ରାରେ ଫୁଲ୍ ପକାଇ ଶ୍ରଦ୍ଧାଂଜଳି ଜଣାଇଛି ଦେଶ । ଶହୀଦ୍ ଯବାନ୍ ଅମର ରହେ ଧ୍ୱନିରେ କମ୍ପୁଛି ଅଂଚଳ । ସେପଟେ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ନଯିବାକୁ ବଜ୍ର ଶପଥ ନେଉଛି ଭାରତୀୟ ସେନା । ଦେଶ ଶୁଣୁଛି ଶହୀଦ୍ ଯବାନଙ୍କ ବୀରତ୍ୱର କାହାଣୀ ଆଉ ପରିବାର ପରିଜନ ଆଖିରୁ ଶୁଖୁନି ଲୁହ । ଅଶାନ୍ତ କାଶ୍ମୀର ଘାଟିରେ ଆଉ କେତେ ଦିନ ଧରି ଚାଲିବ ରକ୍ତର ଏହି ଖେଳ ମନରେ ଉଠୁଛି ପ୍ରଶ୍ନ ।