କାହିଁକି ଆସିଲି ମୁଁ ପୁରୀ ବଡଦାଣ୍ଡ? ଲକ୍ଷ୍ମୀପ୍ରିୟାଙ୍କ କାହାଣୀ ଶୁଣିଲେ ଆଖି ଭିଜିଯିବ ଲୁହରେ… ।

3,397

କନକ ବ୍ୟୁରୋ : କିଛି ଦିନ ତଳେ ଶ୍ରୀଜିତ୍ ପାଢୀ ନାମକ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ପୁରୀ ବଡଦାଣ୍ଡରେ ଭିକ ମାଗୁଥିବାର କନକ ନ୍ୟୁଜରେ ଖବର ପ୍ରସାରଣ ପରେ ତାଙ୍କର କିଛି ବନ୍ଧୁ ତାଙ୍କୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନାରେ ଭର୍ତି କରିଥିଲେ । ଆଜି ପୁଣି ସେହିଭଳି ଏକ ଘଟଣା ଘଟିଛି । ପୁରୀ ସରକାରୀ ସ୍କୁଲରେ ଇଂରାଜୀ ଶିକ୍ଷୟତ୍ରୀ ଥିବା ଜଣେ ମହିଳା ପୁରୀ ବଡଦାଣ୍ଡରେ ଭିକ ମାଗୁଥିବାର ଖବର ଆଜି ସକାଳେ କନକ ନ୍ୟୁଜରେ ପ୍ରସାରଣ ହୋଇଥିଲା । ଏହି ଘଟଣା ପରେ କିଛି ସ୍ୱେଛାସେବୀ ତାଙ୍କୁ ବଡଦାଣ୍ଡରୁ ଉଦ୍ଧାର କରିଛନ୍ତି । ପରେ ତାଙ୍କୁ ହସପିଟାଲରେ ଭର୍ତି କରାଯାଇଛି ।

ବଡ଼ ଠାକୁରଙ୍କ ମହିମା ଯେଭଳି ଅପାର, ବଡ଼ ଦାଣ୍ଡର କାହାଣୀ ବି ସେହିଭଳି ଅସରନ୍ତି । ଏହି ବଡ଼ ଦାଣ୍ଡ କ’ଣ ନଦେଖିଛି । ଦୁଃଖୀ-ରଙ୍ଗୀ, ଧନୀ-ଗରିବ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଛାପ ରହିଛି ଏହି ବଡ଼ ଦାଣ୍ଡରେ । ଆଉ ଏହି ବଡ଼ଦାଣ୍ଡରୁ ଠାବ ହୋଇଛନ୍ତି ପୁଣି ଜଣେ ଉଚ୍ଚଶିକ୍ଷିତା ଭିକାରୀ । ପରିଣତ ବୟସରେ ବିକ୍ଷାବୃତି କରି ଜୀବନ ବଂଚୁଥିବା ଏହି ବୃଦ୍ଧାଙ୍କ ଇଂରାଜୀ ଭାଷାରେ ଦଖଲ ଓ କଥାବାର୍ତାରେ ପରିପକ୍ୱତା, ଯେକୌଣସି ବ୍ୟକ୍ତିଙ୍କୁ ଆଶ୍ଚର୍ଯ୍ୟ କରିବ । ଆମକୁ ବି ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା । ଆଉ ଯେତେବେଳେ ଆମେ ତାଙ୍କ ପୂରା କାହାଣୀ ଶୁଣିଥିଲୁ, ଜଣାପଡ଼ିଥିଲା ଭିକ ମାଗୁଥିବା ମହିଳା ଜଣକ ବେଶ ଉଚ୍ଚଶିକ୍ଷିତା ।

ପୁରୀ ସାକ୍ଷୀଗୋପାଳ ଅଂଚଳର ଲକ୍ଷ୍ମୀପ୍ରିୟା ମିଶ୍ର । ସ୍ନାତକ ସାରିବା ପରେ ଶିକ୍ଷକତାର ତାଲିମ ନେଇ ପୁରୀ ବାଳିକା ବିଦ୍ୟାଳୟରେ ୫ବର୍ଷ ଶିକ୍ଷକତା କରିଛନ୍ତି । ଏମିତି କି ଦିଲ୍ଲୀରେ କିଛି ଦିନ ଶିକ୍ଷମତା କରିବା ପରେ ବିଦେଶରେ ଥିଲେ । ହେଲେ ଭାଗ୍ୟର ବିଡମ୍ବନା ଦେଖନ୍ତୁ- ସାହାରା ଖୋଜୁଥିବା ବୟସରେ ହାତ ପାତି ଭିକ୍ଷାବୃତି କରୁଛନ୍ତି ।ଲକ୍ଷ୍ମୀପ୍ରିୟା ଓରଫ ମମତାଙ୍କ ଦୁଃଖଭରା କାହାଣୀ ଆରମ୍ଭ ହୋଇଥିଲା, ଯେତେବେଳେ ଏକ ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ପରେ ପରେ ପୁଅ ମାନସିକ ଭାରସାମ୍ୟ ହରାଇବା ସହ ଘର ଛାଡ଼ି କୁଆଡେ ଚାଲିଯାଇଥିଲେ । ଆଉ ପୁଅକୁ ଫେରି ପାଇବା ଆଶାରେ ଜଗନ୍ନାଥଙ୍କ ଶରଣ ନେଇଥିଲେ ଲକ୍ଷ୍ମୀପ୍ରିୟା । ଆଉ ୭ବର୍ଷ ହେଲା ବଡ଼ ଦାଣ୍ଡରେ ବିକ୍ଷାବୃତି କରୁଥିଲେ ।

ଆଶ୍ୱସ୍ତିକର କଥା ହେଉଛି ଲକ୍ଷ୍ମୀପ୍ରିୟାଙ୍କ ସଂପର୍କରେ ଯେତେବେଳେ କନକ ନ୍ୟୁଜ୍ ଖବର ପ୍ରସାରଣ କରିଥିଲା, ତାଙ୍କୁ ଉଦ୍ଧାର କରିବା ପାଇଁ ପୁରୀରେ ପହଂଚିଥିଲେ ଲାୟନ୍ସ କ୍ଲବର କିଛି ସଦସ୍ୟ । କିନ୍ତୁ ପ୍ରଥମେ ପ୍ରଥମେ ଏଥିରେ ରାଜି ହୋଇନଥିଲେ ଲକ୍ଷ୍ମୀପ୍ରିୟା କିନ୍ତୁ ପରେ ତାଙ୍କୁ ବୁଝାସୁଝା କରି ଉଦ୍ଧାର କରିବା ସହ ଚିକତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଛି ।

ଏସବୁ ଭିତରେ ପୁରୀ ବଡଦାଣ୍ଡକୁ ଭିକାରୀମୁକ୍ତ କରିବାକୁ ଆରମ୍ଭ ହୋଇଛି ପ୍ରୟାସ । ସମସ୍ତ ଭିକାରୀଙ୍କ ପୁନର୍ବାସ ବ୍ୟବସ୍ଥା କରାଯିବ । ମୁଖ୍ୟସ୍ରୋତରେ ସାମିଲ ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ । ଏଥିପାଇଁ ପୁରୀ ଜିଲ୍ଲା ପ୍୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏଥିଲାଗି ୫ ଶହ ଭିକାରୀଙ୍କ ପାଇଁ ଅର୍ଥ ମଞ୍ଜୁର ହୋଇଛି । ସମସ୍ତ ଭିକାରଙ୍କୁ ୫ ଭାଗରେ ବିଭକ୍ତ କରାଯାଇଛି । ବୟସ୍କ ଓ ଶାରୀରିକ ଅକ୍ଷମଙ୍କୁ ପ୍ରଥମେ ପ୍ରଧାନ୍ୟ ଦିଆଯିବ । ନୀଳାଦ୍ରି ନିଳୟରେ ପୁନଃବାସ କରାଯିବ । ସେମାନଙ୍କୁ ଡାକି ପ୍ରଶିକ୍ଷଣ ଦିଆଯିବ । ଭିକାରୀଙ୍କୁ ଥଇଥାନ କରିବାକୁ ୪ଟି ଗଠନ କରାଯାଇଛି । ୧୦ରୁ ୧୫ ଦିନ ମଧ୍ୟରେ ସେମାନେ ଚିହ୍ନଟ ହେବେ ।