ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ‘ମନ କି ବାତ’ କାର୍ଯ୍ୟକ୍ରମରେ ସେହି ମହିଳାଙ୍କର ପ୍ରଶଂସା କରିବାକୁ ବି ଭୁଲିନଥିଲେ । ଆଉ ଆପଣ ତାଙ୍କ ସେବା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବା ସହ ତାରିଫ ନକରି ବି ରହିପାରିବେ ନାହିଁ । ସେ ମହାନ ନାରୀ ଜଣକ ନିଜର ସ୍ମୃତି ପାଇଁ ଲଗାଇଛନ୍ତି ୫ଶହ ଔଷଧୀୟ ବୃକ୍ଷ ।
କେରଳର ଏହି ଆଦିବାସୀ ମହିଳା ଜଣକ ହେଉଛନ୍ତି ଲକ୍ଷ୍ମୀ କୁଟ୍ଟି । ଶିକ୍ଷକତା କରୁଥିବା ମହିଳାଜଣକ ଏବେ ବି ଆଦିବାସୀ ଅଂଚଳର ଘଂଚ ଜଙ୍ଗଲ ଭିତରେ ତାଳ ପତ୍ରର ଝାଟିମାଟି ଘରେ ରହୁଛନ୍ତି । କିନ୍ତୁ ସମାଜସେବା ମନୋବୃତ୍ତିରୁ ଓହରି ନାହାନ୍ତି । ବୟସର ଅପରାହ୍ନରେ ବି କରୁଛନ୍ତି ଜନସେବା । ଥକି ନାହାନ୍ତି କି ହାରିନାହାନ୍ତି । ଝାଟିମାଟି ଘରେରହି ବି ଆଦର୍ଶରୁ ହଟିନାହାନ୍ତି ଏହି ଆଦିବାସୀ ମହିଳା । ସେ ଜଙ୍ଗିବୁଡିକୁ ଔଷଧ ତିଆରି କରିବା ସହ ସାପ କାମୁଡିଥିବା ବ୍ୟକ୍ତିଙ୍କୁ ଭଲ କରିବାରେ ସ୍ଥାନୀୟ ଅଂଚଳରେ ନାଁ କମାଇଛନ୍ତି ।
ନିଜର ଜ୍ଞାନ ବଳରେ କେରଳର ଲକ୍ଷ୍ମୀ ଜଡିବୁଟି ଔଷଧ ଦେଇ ଲୋକମାନଙ୍କ ସେବା କରୁଛନ୍ତି । ନିଜର ସାଧାରଣ ବ୍ୟକ୍ତିତ୍ୱ ଓ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ପୁରସ୍କୃତ କରିଛନ୍ତି । ଲକ୍ଷ୍ମୀ ଚିକିତ୍ସକ ଦାୟିତ୍ୱ ନିଭାଇବା ସହ ଜଣେ କବି ଓ କେରଳ ଲୋକସାହିତ୍ୟ ଏଳାଡେମୀରେ ଶିକ୍ଷୟତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ସ୍ନେହରେ ତାଙ୍କୁ ଅନେକ ଲୋକ ବନମୁଥାସି ବୋଲି ଡାକିଥାନ୍ତି ।
ଲକ୍ଷ୍ମୀଙ୍କୁ ସମସ୍ତେ ଜଙ୍ଗଲର ଜେଜେମା ବୋଲି ଜାଣିଛନ୍ତି । ସେ ଆଜିଯାଏ ୫ଶହ ଲୋକଙ୍କୁ ଭଲ କରିପାରିଛନ୍ତି । ଅନେକ ଦିନରୁ ସମାଜ ପାଇଁ କାମ କରୁଥିବା ଲକ୍ଷ୍ମୀ ୧୯୯୫ରେ ଲୋକଲୋଚନକୁ ଆସିଥିଲେ, ଯେତେବେଳେ ତାଙ୍କୁ କେରଳ ସରକାର ‘ ନଟ୍ଟୁ ବୈଦ୍ୟରତ୍ନ ପୁରସ୍କାର’ ପ୍ରଦାନ କରିଥିଲେ ।
ଲକ୍ଷ୍ମୀ ପ୍ରଥମ ଆଦିବାସୀ ମହିଳା ଭାବେ ୧୯୫୦ରେ ସ୍କୁଲ ଯାଇଥିଲେ । ପ୍ରତିଦିନ ୧୦ କିଲୋମିଟର ଚାଲିଚାଲି ତାଙ୍କୁ ସ୍କୁଲ ଯିବାକୁ ପଡୁଥିଲା । ଆଉ ନିଜ ମାଆଙ୍କ ଠାରୁ ଶିଖି ଔଷଧ ଜ୍ଞାନରେ ନିଜର ପାରଦର୍ଶିତା ଦେଖାଇପାରିଥିଲେ ।