ସୌନ୍ଦର୍ଯ୍ୟର ଗନ୍ତାଘର କୁମ୍ଭୀରା ହୁଡି । କିମ୍ବଦନ୍ତୀ କୁହେ, ଏଠାରେ ପଥରକୁ ପଥର ପିଟି ହୋଇ ମନ୍ଦିରର ଘଣ୍ଟି ବାଜିବା ଭଳି ଶବ୍ଦ ହୁଏ?

241

କନକ ବ୍ୟୁରୋ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲା । ଯୁଆଡେ ଦେଖିଲେ ପ୍ରକୃତିର ମନୋରମ ଦୃଶ୍ୟ । ଆଦିବାସୀ ବହୁଳ ଏହି ଜିଲ୍ଲାରେ ଭରି ରହିଛି ସୌନ୍ଦର୍ଯ୍ୟ । ଜିଲ୍ଲାର ଅନ୍ୟତମ ଦର୍ଶନୀୟ ସ୍ଥାନ ପ୍ରକୃିତର ଅସରନ୍ତି ଗନ୍ତାଘର କୁମ୍ଭୀରା ହୁଡ଼ି । ପ୍ରଚାର ପ୍ରସାର ଅଭାବରୁ ଏଭଳି ଏକ ଅନନ୍ୟ ସ୍ଥାନ ବାବଦରେ ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ । ହେଲେ ଏଠାକୁ ଥରେ ଯିଏ ଆସିଛି ସିଏ ତାର ମଜା ପାଇଛି ।

ମୟୂରଭଞ୍ଜ ଜିଲ୍ଲାରେ ଶିମିଳପାଳ ଭଳି ବହୁ ପର୍ଯ୍ୟଟନସ୍ଥଳୀ ରହିଛି । କେତେକ ଲୋକ ଲୋକଲୋଚନକୁ ଆସିଛି, ଆଉ କିଛି ପ୍ରଚାର ପ୍ରସାର ଅଭାବରୁ କୋଣଠେସା ହୋଇ ରହିଛି । ସେମିତି ଏକ ସ୍ଥାନ କୁମ୍ଭୀରା ହୁଡ଼ି । ପର୍ବତ ଉପରେ କୁମ୍ଭୀର ଆକୃତିର ବିରାଟ ପଥରକୁ ନେଇ ଏହାର ନାମକରଣ କରାଯାଇଛି । କିମ୍ବଦନ୍ତୀ କୁହେ, ଏଠାରେ କୁଆଡେ ପଥରକୁ ପଥର ପିଟି ହୋଇ ମନ୍ଦିରର ଘଂଟି ବାଜିବା ଭଳି ଶବ୍ଦ ହୁଏ । ଏହାସହ କୁମ୍ଭୀରା ହୁଡିରେ ଅଛି ଗୁମ୍ଫା ଓ ବ୍ରିଟିସ୍ ଅମଳ ଶିଳା ଲିପି । ପାହାଡ ଉପରେ ଥିବା ପଥରରେ ଲେଖା ହୋଇଛି ଜେ.ପି.-୧୮୫୩, ୧୯୧୨, ୧୯୭୫ । ଯାହାକୁ ଦେଖି ଅନୁମାନ କରାଯାଏ ବ୍ରିଟିସ୍ ଅମଳରୁ ଏହି ପାହାଡକୁ ନେଇ ଗବେଷଣା କରାଯାଉଥିଲା ।

ଏତେ ସୁନ୍ଦର ସ୍ଥାନରେ କେବଳ ମକର ମେଳା ସମୟରେ ଲୋକଙ୍କ ଭିଡ ଲାଗେ । ମାଆ କୁମ୍ଭୀର ବୁଢୀଙ୍କ ମେଳା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସୁଅ ଛୁଟେ । ମେଳା ବୁଲିବା ସହ ପାହାଡର ବିଭିନ୍ନ ଗୁମ୍ଫା ବୁଲି ଦେଖିଥାନ୍ତି ପର୍ଯ୍ୟଟକ । ଗୋପବନ୍ଧୁନଗର ବ୍ଲକ୍ ଖଡିଆବସା ଗାଁର ପ୍ରାୟ ୪୫ ଏକର ଜାଗାରେ ଅଛି କୁମ୍ଭୀରା ହୁଡି ପର୍ବତ । ବାରିପଦାରୁ ଉଦଳାକୁ ଲମ୍ବିଥିବା ରାଜ୍ୟ ରାଜପଥର କହ୍ନେଇଁବନ୍ଧ ଛକଠାରୁ ପୂର୍ବକୁ ୪ କିଲୋମିଟର ଗଲେ ପଡିଥାଏ ଏହି ଅନନ୍ୟ ସ୍ଥାନ । ପାହାଡ ପାଦଦେଶରୁ ୫୦୦ ମିଟରରୁ ଉପରକୁ ଚଢ଼ିଲେ ପର୍ବତ ଶିଖରରେ ପହଂଚି ହୁଏ । ହେଲେ ଏଥିପାଇଁ ବହୁ କଷ୍ଟ କରିବାକୁ ପଡେ । କାରଣ ପାହାଡ଼ ଚଢିବା ପାଇଁ କୌଣସି ସୁବିଧା ନାହିଁ ।

ପ୍ରତି ମାସ ଏକାଦଶୀ ଏବଂ ଅମାବାସ୍ୟାରେ କୁମ୍ଭୀର ହୁଡାରେ ମାଆ କୁମ୍ଭୀରା ବୁଢୀଙ୍କ ପୂଜା କରାଯାଏ । ଏଠାରେ କୁମ୍ଭୀରା ବୁଢ଼ୀଙ୍କ ପାଶ୍ୱର୍ ଦେବୀ ଭାବେ ମାଆ ବିରାଟ ପାଟ, ସିନ୍ଦୁର ଗୌରା ଓ ମାଆ ବାରଖଣ୍ଡା ପୂଜା ପାଇ ଆସୁଛନ୍ତି ।