ରାତି ପାହିଲେ ଦୀପାବଳୀ ! ପଢନ୍ତୁ ନିଜେ ଜଳି ଅନ୍ୟ ପାଇଁ ଦୀପ ତିଆରି କରୁଥିବା କୁମ୍ଭକାର ପରିବାରଙ୍କ କାହାଣୀ

105

କନକ ବ୍ୟୁରୋ : ରାତି ପାହିଲେ ଦୀପାବଳୀ । ଏଥିପାଇଁ ବାଣ ବଜାରରେ ତ ଭିଡ ଲାଗିଛି, ଦୀପ ଦୋକାନରେ ବି କିଛି କମ୍ ଭିଡ ନୁହେଁ । ବଜାରରେ ମିଳୁଥିବା ଦୀପକୁ, ରାତିଦିନ ଏକ କରି ନିର୍ମାଣ କରିଛନ୍ତି କୁମ୍ଭକାର ପରିବାର । ମାଟି କାରିଗରୀ କ୍ଷେତ୍ରରେ ପରିଚିତ ଗାଁ ହେଉଛି ପୁରୀ ଜିଲ୍ଲା ସତ୍ୟବାଦି ବ୍ଲକ ହରପଡା ଗାଁ । ଏଠାକାର ୫୦ରୁ ଅଧିକ କୁମ୍ଭକାର ପରିବାର ଦୀପାବଳିକୁ ଆଖି ଆଗରେ ବିଭିନ୍ନ ଡିଜାଇନର ଦୀପ ପ୍ରସ୍ତୁତ କରିଛନ୍ତି । ହରପଡା ଗାଁରୁ ଦୀପ ବାହାର ବଜାରରେ ବିକ୍ରି ହେବାକୁ ଯାଏ । ହେଲେ ପରିଶ୍ରମ ଅନୁସାରେ ପାଉଣା ମିଳୁନଥିବା ଅଭିଯୋଗ ହୋଇଛି । ୧୦୦ ଦୀପ ତିଆରି କଲେ ଜଣେ କାରିଗରକୁ ମାତ୍ର ୧୦ ଟଙ୍କା ପାରିଶ୍ରମିକ ମିଳୁଥିବାରୁ କୌଳିକ ବୃତି ଛାଡି କେତେକ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଆଲୋକର ପର୍ବରେ ଘରକୁ ଆଲୋକିତ କରିବା ପାଇଁ କେତେ ସଜବାଜ । ଏହାରି ଭିତରେ ରହିଛି ମାଟି ଦୀପର ଚାହିଦା । ଅମାବାସ୍ୟାରେ ମାଟିଦୀପରେ ଘରକୁ ସଜାଇ ପରମ୍ପରା ରହିଛି । ଏଥିପାଇଁ ମାଟି ପାଇଛି ଜୀବନ । ଭଦ୍ରକ ଜିଲ୍ଲାର ଚନ୍ଦନପୁର, ମାଧପୁର ଓ ନରେନ୍ଦ୍ରପୁର ଭଳି ଗାଁର କୁମ୍ଭକାର ତିଆରି କରିଛନ୍ତି ମାଟି ଦୀପ । ୩ଶହରୁ ଅଧିକ ପରିବାର ମାଟିର କଳସୀ ଠାରୁ ଆରମ୍ଭ କରି ମାଟି ଦୀପ, ଠେକି, ହାଣ୍ଡି, ମାଠିଆ, ପିଆଣ, କୁମ୍ପି, ଶୁରେଇ, ଚିଲିମ, ସଢ଼ା, ଝୁଣାସଢ଼ା, ମାଟିଘୋଡ଼ା, ଢ଼ାଙ୍କୁଣୀ଼, ଜାହାଲା, ଫୁଲଦାନୀ, ଘୁଘୁଂର ଭଳି ଜିନିଷ ତିଆରି କରୁଛନ୍ତି । ହେଲେ ପ୍ରଶିକ୍ଷଣ ଅଭାବ ଓ ବିକ୍ରିର ବ୍ୟବସ୍ଥା ନଥିରୁ ଅସନ୍ତୋଷ ଦେଖିଦେଇଛି ।