ଡେଲିଭରି ଗାର୍ଲଙ୍କ ସଂଘର୍ଷମୟ କାହାଣୀ । ପରିବାର ଚଳାଇବା ସହ ଅନାଥ ପିଲାଙ୍କୁ ପଢ଼ାଉଛନ୍ତି ପାଠ

429

କନକ ବ୍ୟୁରୋ : କଥାରେ ଅଛି ମା’ ରି କିଏ ହେବ । ତେବେ ସେ କେବଳ ଦୁଇ ସନ୍ତାନଙ୍କ ଜନନୀ ନୁହଁନ୍ତି ଏଭଳି ଅନେକ ପିଲାଙ୍କୁ ସେ ନିଜ ପିଲାଙ୍କ ଭଳି ପାଠ ପଢ଼ାଉଛନ୍ତି । ସକାଳୁ ଉଠି ନିଜର କର୍ମକ୍ଷେତ୍ରକୁ ବାହାରି ପଡ଼ନ୍ତି ଆଉ ସ୍ୱାମୀଙ୍କ କାନ୍ଧରେ କାନ୍ଧ ମିଳାଇ ପରିବାର ପ୍ରତିପୋଷଣ ପାଇଁ କର୍ମରେ ଲାଗିପଡନ୍ତି । ନିଜ ପରିବାର ସମ୍ଭାଳିବା ସହ ପରୋପକାର ସେବା ମନୋବୃତ୍ତି ନେଇ ଅନାଥ ପିଲାଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ବୁଝନ୍ତି । ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ରାଜ ବଲହାଟର ସୁପ୍ରିତୀ ସିଂ । ଯାହାଙ୍କ କାହାଣୀ ଆପଣ ଶୁଣିଲେ ବାଃ ବାଃ ନକହି ରହିପାରିବେ ନାହିଁ ।

ସ୍ୱାମୀ ଗାଡ଼ି ଚଳାଇ ପରିବାର ଚଳାଉଥିଲେ । କିନ୍ତୁ ଜଣଙ୍କର ରୋଜଗାରରେ ଚଳିବା କଷ୍ଟକର ହୋଇପଡିଥିଲା । ସୁପ୍ରିତୀଙ୍କ ପରିବାରରେ ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କ ସହ ନିଜର୨ ଟି ପିଲା ମଧ୍ୟ ରହିଛନ୍ତି । ଏଣୁ ପରିବାର ଚଳାଇବା ସହ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ଗୋଟିଏ ରୋଜଗାରରେ ସମ୍ଭବ ହେଉନଥିଲା । ଶେଷରେ ଘରୁ ଗୋଡ଼ କାଢ଼ି ରୋଜଗାର ପାଇଁ ବାହାରିଥିଲେ ସୁପ୍ରିତୀ । ସେ କାମ ସନ୍ଧାନରେ ଥିବା ବେଳେ ତାଙ୍କୁ ଏକ ଡେଲିଭରି କମ୍ପାନୀରେ କାମ ମିଳିଯାଇଥିଲା । ଭାରତରେ ଡେଲିଭରି କାମ କେବଳ ପୁରୁଷମାନେ କରିଥାନ୍ତି । ହେଲେ ନିଜର ପାରିବାରିକ ସ୍ଥିତିର ସୂଧାର ଆଣିବାକୁ ଅଣ୍ଟା ଭିଡିଥିବା ସୁପ୍ରିତୀ ଶେଷରେ ଲୋକଲଜ୍ଜା, ଟାହିଟାପରାକୁ ଭୁଲି ଆରମ୍ଭ କରିଦେଇଥିଲେ ଡେଲିଭରି କାମ । କାମ ବି ଏତେ ସହଜ ନଥିଲା । କାନ୍ଧରେ ଓଜନିଆ ବ୍ୟାଗ ସହ ଗାଡିରେ ଘରକୁ ଘର ବୁଲି ଡେଲିଭରି ଦେବା । ପ୍ରଥମରୁ ସୁପ୍ରିତୀଙ୍କୁ ଏହା ଟିକେ ଅଡୁଆ ଲାଗୁଥିଲେ ବି ଧିରେ ଧିରେ ଏହା ଦେହସୁହା ହୋଇଯାଇଥିଲା ।

ସେ କେବଳ ଏହି କାମ କରନ୍ତି ନାହିଁ । ବରଂ ଘରକୁ ଆସିବା ପରେ ଜଣେ ଘରଣୀଭାବେ ମଧ୍ୟ ସବୁ କାମ ତୁଲାନ୍ତି । ପିଲାଙ୍କଠାରୁ ଆରମ୍ଭ କରି ଶାଶୁ ଶ୍ୱଶୁରଙ୍କ ଯତ୍ନ ମଧ୍ୟ ନିଅନ୍ତି । ଜଣେ ଭଲ କର୍ମଚାରୀଭାବେ କର୍ମକ୍ଷେତ୍ରରେ ପ୍ରଂଶସିତ ହୋଇଥିବାବେଳେ ଘରେ ମଧ୍ୟ ଜଣେ ଭଲ ବୋହୂର ସାର୍ଟଫିକେଟ ଦେଇଛନ୍ତି ପରିବାର ଲୋକେ । ସବୁଠାରୁ ବଡ଼ କଥା ହେଉଛି କି, ନିଜ ପିଲାଙ୍କ ସହ ପଡ଼ୋଶୀ ଗରୀବ ଏବଂ ଅନାଥ ପିଲାଙ୍କ ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିଥାନ୍ତି । ଏବେ ସୁପ୍ରିତୀଙ୍କ ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କାହାଣୀ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ସାଧାରଣରେ ଢ଼େରସାରା ପ୍ରଶଂସାରା ସାଉଁଣ୍ଟୁଥିବା ସୁପ୍ରିତୀଙ୍କ ସଂଘର୍ଷ ବହୁ ଦିନ ପୂର୍ବରୁ ଆରମ୍ଭ ହୋଇଛି । ଦିଲ୍ଲୀରେ ସ୍ୱାମୀ ସ୍ତ୍ରୀ ମିଶି ଏକ ଛୋଟ ହୋଟେଲ ଖୋଲିଥିଲେ । କିନ୍ତୁ କରୋନା ମହାମାରୀ ପାଇଁ ତାଙ୍କ ବ୍ୟବସାୟରେ ବିଘ୍ନ ଘଟିଥିଲା । ପରେ ଘରେ ଖାଇବା ବନାଇ ବିକ୍ରି କରିଥିଲେ । କିନ୍ତୁ ଏଥିରେ ତାଙ୍କର ବହୁ କ୍ଷତି ହେବା ପରେ ବନ୍ଦ କରି ଦେଇଥିଲେ । ପରେ ସ୍ୱାମୀ ଗାଡ଼ି ଚଳାଇ ପରିବାର ପ୍ରତିପୋଷଣ କରୁଥିବାବେଳେ ତାଙ୍କୁ ସହଯୋଗ କରିବା ପାଇଁ ନିଜେ ଡେଲିଭରି ଗାର୍ଲ ପାଲଟିଛନ୍ତି ସୁପ୍ରିତୀ ।