ଆଠଗଡରୁ ଏଟିଏମ୍ କ୍ୟାସ୍ ଭ୍ୟାନ୍ ଲୁଟ୍ କରିବାକୁ ଏକାଠି ହୋଇଥିଲେ ବିଭିନ୍ନ ଜିଲ୍ଲାର ଅପରାଧୀ । ସାମ୍ନାକୁ ଆସିଲା କ୍ରାଇମ ସିଣ୍ଡିକେଟର କାହାଣୀ ।

176

କନକ ବ୍ୟୁରୋ : ଅପରାଧୀ ଯେତେ ଚାଲାକ ହେଉନା କାହିଁକି, ଯେତେ ସୁସଂଗଠିତ ଢଙ୍ଗରେ ଅପରାଧ କରିଥାଉ ନା କାହିଁକି । ଆଇନର ଲମ୍ବା ହାତରୁ ଅପରାଧୀ ବର୍ତି ପାରିବ ନାହିଁ । ଆଠଗଡରୁ ଏଟିଏମ କ୍ୟାସ୍ ଭ୍ୟାନ୍ ଲୁଟ୍ ଘଟଣାରେ ଠିକ୍ ସେୟା ହିଁ ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲାର ହାର୍ଡକୋର ଅପରାଧୀ ଏକଜୁଟ ହୋଇ କ୍ୟାସ ଭ୍ୟାନ ଲୁଟ କରିବାକୁ ଯୋଜନା କରିଥିଲେ । ଟଙ୍କା ନେଉଥିବା ଭ୍ୟାନ ଲୁଟ ମଧ୍ୟ କଲେ ହେଲେ ମାତ୍ର ୪୫ ମିନିଟ ଭିତରେ ପୁଲିସ ହାତରେ ଧରାପଡିଗଲେ ।

ଏଟିଏମ୍ ଭ୍ୟାନ ଲୁଟ୍ ପାଇଁ ଡକାୟତମାନେ ଯେଉଁ ପ୍ଲାନ କରିଥିଲେ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଠଗଡ, ନୟାଗଡ, ବୌଦ୍ଧ, କନ୍ଧମାଳ ଓ କଟକ ଅଂଚଳର କିଛି ହାର୍ଡକୋର ଅପରାଧୀ ମିଶି ଏକ ଟିମ ଗଠନ କରିଥିଲେ । ଆଉ ତାଙ୍କର ଟାର୍ଗେଟରେ ଥିଲା ଏଟିଏମରେ ଟଙ୍କା ଭର୍ତି କରିବାକୁ ଯାଉଥିବା କ୍ୟାସ ଭ୍ୟାନ । ବୋଧହୁଏ ସେମାନେ ଜାଣିଥିଲେ ଏହି ଭ୍ୟାନରେ କୋଟି କୋଟି ଟଙ୍କା ଯାଉଛି ଏବଂ ସୁରକ୍ଷା ବି ସେହି ଅନୁସାରେ ସୁଦୃଢ ନୁହେଁ । ଏପରିକି ଲୁଟ ପରେ ପୁଲିସକୁ କେମିତି ଚକମା ଦେବେ ସେନେଇ ରେକି ମଧ୍ୟ କରିଥିଲେ ।

ଡାଳେ ଡାଳେ ଗଲେ ଡକାୟତ, ପତ୍ରେ ପତ୍ରେ ଗଲା ପୁଲିସ । ଫିଲ୍ମର କାହାଣୀ ପରି ୪୫ ମିନିଟରେ ମାଡି ବସିଲା ପୁଲିସ । ଆଠଗଡରୁ ତିଗିରିଆ ଯାଉଥିବା ଏହି ଏଟିଏମ କ୍ୟାସ ଭ୍ୟାନରେ ୧ କୋଟି ୨୯ ଲକ୍ଷ ଟଙ୍କା ଥିଲା । ଢେଙ୍କାନାଳ ଶଙ୍କରପୁର ନିକଟ ଏକ ଢାବାରେ ଖାଇବାକୁ ଅଟକିଥିଲେ ଭ୍ୟାନର କର୍ମଚାରୀ । ଏହି ସମୟରେ ମୁଖା ପିନ୍ଧା ଡକାୟତ ଭୁଜାଲିରେ ଆକ୍ରମଣ କରି କ୍ୟାସ୍ ଭ୍ୟାନକୁ ନିଜ କବଜାକୁ ନେଇ ଢେଙ୍କାନାଳ ରାସ୍ତାରେ ଫେରାର ହେବାକୁ ଚେଷ୍ଟା କଲେ । କିଛି ବାଟ ପରେ କ୍ୟାସ ଭ୍ୟାନକୁ ଛାଡି ଟଙ୍କା ବାକ୍ସ ସହ ଅନ୍ୟ ଏକ ଗାଡିରେ ଆଗକୁ ବଢିଲେ । ସେପଟେ ଆଠଗଡ ଓ ଢେଙ୍କାନାଳ ପୁଲିସ ଉଭୟ ପଟରୁ ପିଛା କଲା । ଶେଷରେ ଭୋଜଦେଇପୁର ନିକଟରୁ ଡକାୟତଙ୍କୁ କାବୁ କରିନେଲା ।

ଡକାୟତଙ୍କ ବଡ ପ୍ଲାନ ଥିଲା, ପୁଲିସ ବି ବେଶ ଚତୁରତାର ସହ ସେମାନଙ୍କୁ ପିଛା କରି ଧରିବାରେ ସକ୍ଷମ ହେଲା । କିନ୍ତୁ ପ୍ରଶ୍ନ ଉଠୁଛି
– ସେହି ଢାବାରେ କ୍ୟାସ ଭ୍ୟାନ ଅଟକିବ ବୋଲି ଡକାୟତମାନେ କେମିତି ଜାଣିଲେ ?
– ଏହି ଭ୍ୟାନରେ ଏତେ ଟଙ୍କା ଯାଉଛି ବୋଲି ଡକାୟତମାନେ ଜାଣିଥିଲେ କି ?
– ସେହି ଢାବାରେ କର୍ମଚାରୀଙ୍କ ଜଳଖିଆ ପୂର୍ବ ନିର୍ଦ୍ଧାରିତ ଥିଲା ନା ହଠାତ୍ ଏଠାରେ ଓହ୍ଲାଇଥିଲେ ?
– ଭ୍ୟାନର ଗନମ୍ୟାନଙ୍କ ହାତରେ ବନ୍ଧୁକ ଥିବା ସତ୍ୱେ ସେ କିଛି କଲେ ନାହିଁ କାହିଁକି ?
ଘଟଣାରେ ତିନି ଜଣ ଲୁଟେରା ଧରାପଡିଥିବା ବେଳେ ଏବେ ବି ଜଣେ ଫେରାର ଅଛି ।