ନଷ୍ଟ ହୋଇଯାଇଛି ହୃତପିଣ୍ଡକୁ ସଂଯୋଗ କରୁଥିବା ଶିର । ଜୀବନ ପାଇଁ ଭିକ୍ଷା ମାଗୁଛନ୍ତି ରାକେଶ । ଅଧିକ ଚିକିତ୍ସା ପାଇଁ ଦରକାର ୧୫ ଲକ୍ଷ ଟଙ୍କା ।

400

କନକ ବ୍ୟୁରୋ: ବୟସ ମାତ୍ର ୩୨ । ଆହୁରି ଜିଇଁବାର ଅଛି ଅନେକ ଦିନ । ଜୀବନକୁ ଭୋଗି ହୋଇନି କି ବୟସ ଅନୁସାରେ ସ୍ୱପ୍ନ ପୂରା କରି ହୋଇନି । ଅନେକ କିଛି ବାକି ରହିଛି । ଆଶାର ଏଇ କଂକ୍ରିଟ ରାସ୍ତାରେ ଚାଲିବା ବେଳେ ଆୟୁଷକୁ ଆଖିଦେଖାଉଛି ରୋଗ । କଣ କରିହେବ ଅର୍ଥ ଥିଲେ ତ ଅଧିକ ଚିକିତ୍ସା କରି ଆୟୁଷକୁ ଆୟତ୍ତକୁ ଆଣିବାକୁ ଆଶାଟିଏ ବାନ୍ଧିହୁଅନ୍ତା । ହେଲେ ପାଖରେ ଟଙ୍କାଟିଏ ନଥିବାରୁ ଏବେ ହତାଶ ହୋଇ ବଞ୍ଚିବାକୁ ପଡୁଛି । ଅନ୍ୟର ସାହାଯ୍ୟ ଅପେକ୍ଷାରେ ଜିଇଁବାକୁ ପଡୁଛି…

ପୁରୀ ବାଲିପାଟଣା ବଦଳାଶାସନର ରାକେଶ କୁମାର ବେଉରା । ବୟସ ମାତ୍ର ୩୨ ବର୍ଷ । ଆଉ ଏହି ବୟସରେ ରୋଗ ଯନ୍ତ୍ରଣାରେ ଛଟପଟ ସେ । ହାର୍ଟକୁ ସଂଯୋଗ କରୁଥିବା ଦୁଇଟି ଶିର ପାଖାପାଖି ୯୦ ପ୍ରତିଶତ ନଷ୍ଟ ହୋଇଯାଇଛି । ଯେଉଁଥିପାଇଁ ବଞ୍ଚିବାର ଆଶା ଦିନକୁ ଦିନ କମି କମି ଚାଲିଛି ।

ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ପ୍ରଥମେ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ନିଆଯାଇଥିଲା । ଗତମାସ ଦିଲ୍ଲୀ ଏମ୍ସକୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର ହେବାକୁ ଡାକ୍ତର କହିଥିବା ବେଳେ ଚିକିତ୍ସା ପାଇଁ ଔଷଧ ବ୍ୟୟବହୁଳ ହୋଇପଡିଛି । ଯେଉଁଥିପାଇଁ ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି ରାକେଶ ।

ସେପଟେ ମାଆକୁ ନେଇ ରାକେଶଙ୍କ ପରିବାର । ଦୁଇଟି ପେଟରେ ଦିମୁଠା ଦାନା ଦେବାକୁ ଦୋକାନଟିଏ କରିଥିଲେ । ହେଲେ ଶାରୀରିକ ଅସୁସ୍ଥତା ଆଉ ଲକଡାଉନ ପାଇଁ ତାହା ବନ୍ଦ ହୋଇପଡିଛି । ପୁଅର ଏପରି ଅବସ୍ଥା ଦେଖି ମାଆ ଆଖିରୁ ଲୁହ ନିଗାଡୁଛି । ତେବେ ରାକେଶଙ୍କୁ ସହଯୋଗ ପାଇଁ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ବି ଆଗେଇ ଆସିଛନ୍ତି । ଏଯାଏଁ ୩୦ ହଜାର ଟଙ୍କା କ୍ରାଉଡ ଫଣ୍ଡିଂ ହେଲାଣି ।

ତେବେ ରାକେଶଙ୍କ ଚିକିତ୍ସା ପାଇଁ ପାଖାପାଖି ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯାହା ପରିବାର ପାଇଁ ପୂରା ଅସମ୍ଭବ । ତେଣୁ ସାହାଯ୍ୟ ପାଇଁ ସହୃଦୟ ବ୍ୟକ୍ତିଙ୍କୁ ନେହୁରା ହୋଇଛି ପରିବାର । ବିଗତ ଦିନରେ ଅମ୍ରିତ, ଅଭିଷେକଙ୍କ ଫୁସଫୁସ ଆକ୍ରାନ୍ତ ହେବା ପରେ ଇସିଏମଓ ପାଇଁ ଲୋକେ ତାଙ୍କୁ ସାହାଯ୍ୟ କରିଥିବା ବେଳେ ଏବେ ରାକେଶ ନିଜ ହୃତପିଣ୍ଡର ଚିକିତ୍ସା ପାଇଁ ହାତଯୋଡି ପ୍ରାର୍ଥନା କରିଛନ୍ତି । ଯଦି ଆପଣ ରାକେଶଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଏହି ଆକାଉଣ୍ଟ ନମ୍ବରରେ ନିଜ ସକ୍ଷମ ଅନୁସାରେ ସହଯୋଗ କରନ୍ତୁ ।

Rakesh Chandra Beura

A/C- 30955305913

IFSC- SBIN0008216