ଜଣେ ଦିବ୍ୟାଙ୍ଗ ସଫଳ ଚାଷୀଙ୍କ କାହାଣୀ । ଦିବ୍ୟାଙ୍ଗ ହୋଇବି ଜମିରେ ଫଳାଉଛନ୍ତି ସୁନାର ଫସଲ, ୨୦ ପରିବାରକୁ ଯୋଗାଉଛନ୍ତି ରୋଜଗାର ।

90

କନକ ବ୍ୟୁରୋ : ଦୃଢ ଇଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ । ବର୍ତମାନ ସମସ୍ତେ ଚାକିରୀ ପଛରେ ଗୋଡାଉଥିବା ବେଳେ ଜଣେ ଦିବ୍ୟାଙ୍ଗ ଯୁବକ ଚାଷ କରିବାକୁ ମନ ବଳାଇ ସଫଳ ବି ହୋଇଛନ୍ତି । ଜନ୍ମରୁ ଦିବ୍ୟାଙ୍ଗ ଥିବା ଯୁବକ ଜଣକ ନିଜସ୍ୱ ଉଦ୍ୟମରେ ଟମାଟୋ ଚାଷ କରି ସଫଳତା ପାଇଛନ୍ତି । ଏପରି ଗାଁର ୨୦ଟି ପରିବାରକୁ ସେ ରୋଜଗାର ମଧ୍ୟ ଯୋଗାଇ ଦେଇଛନ୍ତି ।

ସବୁଜିମାରେ ହସୁଛି ଫସଲ । ୫ଏକର ଜମିରେ ଟମାଟୋ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ କଟାବାହାଳ ଗାଁର ଦିବ୍ୟାଙ୍ଗ ଯୁବକ ବିଭୂତି ପ୍ରଧାନ । ଜନ୍ମରୁ ହାତ ପାପୁଲି ନଥିବା ବେଳେ ଅର୍ଥ ଅଭାବରୁ ପାଠ ପଢାରେ ଡୋରି ବାନ୍ଧି ରୋଜଗାର ପାଇଁ ବାଙ୍ଗାଲୋର ଯାଇଥିଲେ । ସେଠିକାର କୃଷି ପଦ୍ଧତି ଓ କୃଷକଙ୍କ ରୋଜଗାର ଦେଖି ଚାଷ ପ୍ରତି ଆଗ୍ରହୀ ହୋଇଥିଲେ ବିଭୂତି । ଗାଁ ଆସିବା ପରେ ନିଜସ୍ୱ ଉଦ୍ୟମରେ ଆରମ୍ଭ କରିଛନ୍ତି ଚାଷ ।

ବାଙ୍ଗାଲୋରରୁ ଫେରିବା ପରେ ନିଜ ଉଦ୍ୟମରେ ୫ ଏକର ଜମିରେ ଟମାଟୋ ଚାଷ କରିଛନ୍ତି । ପ୍ରାୟ ଅଢେଇ ଲକ୍ଷ ଟଙ୍କା ବିନିଯୋଗ କରି ଟମାଟୋ ଚାଷ କରିଛନ୍ତି ବିଭୁତି । ଏଥିରେ ଗାଁର ୨୦ଟି ପରିବାର ରୋଜଗାର ପାଇଥିବା ବେଳେ ବାର୍ଷିକ ହାରାହାରି ୫ରୁ ୭ ଲକ୍ଷ ଟଙ୍କା ରୋଜଗାର କରିବାକୁ ବିଭୁତି ଲକ୍ଷ୍ୟ ରଖିଛନ୍ତି । ଦିବ୍ୟାଙ୍ଗ ସତ୍ୱେ ନିଜସ୍ୱ ଉଦ୍ୟମରେ ଚାଷ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ୨୦ ପରିବାରକୁ ରୋଜଗାର ଯୋଗାଇ ପାରିଛନ୍ତି ଢେଙ୍କାନାଳର ବିଭୁତି ପ୍ରଧାନ ।