ଏମିତି ଶିକ୍ଷକଙ୍କୁ ଶହେ ସଲାମ୍ । ଅନ୍ଧାରୀ ମୂଲକରେ ଜାଳିଲେ ଶିକ୍ଷାର ଆଲୋକ, ଦୁର୍ଗମ ପାହାଡିଆ ଅଂଚଳର ପିଲାଙ୍କୁ ଆଣିଲେ ସ୍କୁଲ । ଜାଣନ୍ତୁ ଦିଲୀପ ସାରଙ୍କ ନିରବ ସାଧନାର କାହାଣୀ ।

740

କନକ ବ୍ୟୁରୋ : ଦିଲୀପ କୁଣ୍ଡୁ । ବୃତ୍ତି ସରକାରୀ ଶିକ୍ଷକ । ଘର ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ବ୍ରହ୍ମପୁରା ଗାଁରେ । ଶିକ୍ଷା କ୍ଷେତ୍ରରେ ଏକ ସମର୍ପିତ ବ୍ୟକ୍ତିତ୍ୱ ଦିଲୀପ । ଯିଏ ଅମଡ଼ା ମାଡ଼ିବାର ସାହସ କରିଛନ୍ତି, ଘଞ୍ଚ ଅରଣ୍ୟଭରା ଶିମିଳିପାଳ ଇଲାକାରେ ବନବାସୀ ପିଲାମାନଙ୍କ ପାଠପଢା ଲାଗି ନିଜକୁ ସମର୍ପିତ କରିଛନ୍ତି । ବୃତ୍ତିଗତ କ୍ଷେତ୍ରରେ ଅନେକ ବାଧାବିଘ୍ନ, ପ୍ରତିକୂଳ ପରିସ୍ଥିତିର ସାମ୍‌ନା କରିଥିଲେ ବି ଦିଲୀପଙ୍କ ଉତ୍ସାହ, ଆବେଗ ଆଗରେ ସବୁ ହାର୍‌ ମାନିଛି । ତାଙ୍କର ନିରନ୍ତର ଉଦ୍ୟମ ଯୋଗୁଁ ପାହାଡ଼ ଜଙ୍ଗଲ ପରିବେଷ୍ଟିତ ଏକ ଅଖ୍ୟାତ ଗାଁ’ରେ ଶିକ୍ଷାର ପ୍ରଦୀପ ଜଳିଛି । ଯେଉଁଠି ଦିନବେଳା ସୂର୍ଯ୍ୟାଲୋକ ପଡ଼େନି ଏବଂ ବାଘ, ଭାଲୁ, ହାତୀ ଭଳି ହିଂସ୍ର ବନ୍ୟପ୍ରାଣୀଙ୍କ ଆତଯାତ ହୁଏ ସେଇଠି ଏକବୁଝା ଜନଜାତିଙ୍କୁ ପାଠପଢାର ମହତ୍ୱ ବୁଝାଇ ସେମାନଙ୍କ ପିଲାଙ୍କୁ ସ୍କୁଲ ଆଣିବାରେ ସକ୍ଷମ ହୋଇଛନ୍ତି । ଯଶିପୁରଠାରୁ ୭୫ କିମି ଦୂର ଗଡଶିମିଳିପାଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପାଲଟିଛି ଏହି ୩୫ ବର୍ଷର ଯୁବ ଶିକ୍ଷକଙ୍କ ପାଇଁ ଆତ୍ମୀୟତାଭରା କର୍ମକ୍ଷେତ୍ର, ଘର ପରିବାର ସବୁ କିଛି ।

ଦିଲୀପଙ୍କ କଣ୍ଟକିତ ଯାତ୍ରାର କାହାଣୀ ଏମିତି । ୨୦୧୧ ମସିହା ଫେବ୍ରୁଆରି ମାସରେ ଜଣେ କ୍ରୀଡ଼ା ଶିକ୍ଷକ ଭାବେ ଏଠାରେ ଯୋଗ ଦେବାବେଳେ ଦିଲୀପ କେବେ ବି ଭାବି ନଥିଲେ ସବୁ ଦାୟିତ୍ୱକୁ ମୁଣ୍ଡରେ ମୁଣ୍ଡାଇ ଆଜି ଯାଏ ୬ ବର୍ଷ କାଳ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଇବାକୁ ପଡ଼ିବ । ସ୍କୁଲରେ ପହଞ୍ଚି ସେ ଦେଖିଥିଲେ ଭଙ୍ଗାଦଦରା ଘର, ନାମକୁ ମାତ୍ର ‌ଶ୍ରେଣୀ ଗୃହ ଏବଂ ହାତଗଣତି କେଇ ଜଣ ପିଲା । ଗୋଟିଏ ଶ୍ରେଣୀରେ ବସୁଛନ୍ତି ୩/୪ଟି ଶ୍ରେଣୀର ପିଲା । ଅଭୟାରଣ୍ୟର ଏହି ଅନ୍ଧାରୀ ମୂଲକରେ ଶିକ୍ଷାର ଆଲୋକ ଜାଳିବା ପାଇଁ ନା ସରକାରୀ ସ୍ତରରେ ଥିଲା ତତ୍ପରତା ନା ବନଭୂଇଁର ବନ୍ୟପ୍ରାଣୀଙ୍କ ଗହଣରେ ଆତଯାତ ହେଉଥିବା ଜନଜାତି ବାସିନ୍ଦାଙ୍କ ମଧ୍ୟରେ ଶିକ୍ଷା ପ୍ରତି ଥିଲା ଆଗ୍ରହ ।

ସହର ବଜାରର ଚାକଚକ୍ୟଠୁ ବହୁ ଦୂରରେ ଥିଲା ଗଡ଼ଶିମିଳିପାଳ । ଚାରିପଟେ ବଡ଼ ବଡ଼ ପାହାଡ଼ ଏବଂ ଘଞ୍ଚ ଜଙ୍ଗଲ । ଏଭଳି ପରିସ୍ଥିତିରେ ଗାଁରେ ଶିକ୍ଷାର ମୂଳଭିତ୍ତି କିପରି ବଦଳାଇବେ ତାକୁ ନେଇ ଚିନ୍ତାରେ ଥିଲେ ଦିଲୀପ । କିଛି ଦିନ ପରେ ନିଜ ମନକୁ ଦୃଢ଼ କରି ସଂକଳ୍ପ ନେଲେ ଯେମିତି ହେଉ ସେ ଆଗକୁ ବଢ଼ି ଅଧିକ ପିଲାଙ୍କୁ ସ୍କୁଲକୁ ଆଣିବେ । ପାହାଡ଼, ନଦୀନାଳ ଡେଇଁ ଆଖପାଖ ଜଙ୍ଗଲଘେରା ଗାଁକୁ ସେ ପାଦରେ ଚାଲିଚାଲି ଯିବା ଆରମ୍ଭ କଲେ । ଗାଁ ଗାଁରେ ସଭା କରି ଜନଜାତିଙ୍କୁ ବୁଝାଇଲେ ।

 

ସେମିତି ଏକ ଗାଁ ଥିଲା ଲେମ୍ବୁଗୋଡ଼ା । ପାହାଡ଼ ତଳେ ଥିବା ଏହି ଗାଁରେ କେହି ଜଣେ ବି ଶିକ୍ଷିତ ନଥିଲେ । ଗାଁରେ ସଭା କରି ବଡ଼ମାନଙ୍କୁ ବୁଝାଇବା ପରେ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ସମସ୍ତେ ରାଜି ହେଲେ । ହେଲେ ରାତି ତ ରାତି, ଦିନବେଳା ବି ଜଙ୍ଗଲ ରାସ୍ତାରେ ହାତୀ, ବାଘ, ଭାଲୁଙ୍କୁ ଦେଖୁଥିବା ଗାଁ ଲୋକେ ହିଂସ୍ରଜନ୍ତୁଙ୍କ ଭୟରେ ପିଲାଙ୍କୁ ଏକୁଟିଆ ଛାଡ଼ିବାକୁ କୁନ୍ଥୁକୁନ୍ଥୁ ହେଲେ । କିନ୍ତୁ ଏକନିଷ୍ଠ ଦିଲୀପ ସବୁ କଷ୍ଟବରଣ କରିବାକୁ ଦୃଢ଼ ପ୍ରତିଜ୍ଞ ଥିଲେ । ବୁଝାସୁଝା କରାଇ ଗାଁ ମୁଖିଆଙ୍କ ସମେତ ପ୍ରତି ଘରୁ ପାଳି କରି ଦୁଇ ଜଣ ସାଙ୍ଗରେ ପିଲାଙ୍କୁ ଧରି ନଦୀନାଳ ଡେଇଁ ସ୍କୁଲକୁ ନେବା ଆଣିବାର ବ୍ୟବସ୍ଥା କଲେ । ଏଭଳି କାର୍ଯ୍ୟ ପାଖାପାଖି ତିନି ବର୍ଷ ଚାଲିବା ପରେ ପାଖ ଜଜଡିହି ଗାଁର ପିଲାମାନେ ବି ସାଙ୍ଗରେ ଯାଇ ପାଠ ପଢ଼ିଲେ ।

 

ଏହି ୭ ବର୍ଷ ଭିତରେ ଗଡ଼ଶିମିଳିପାଳ ସ୍କୁଲର ଚିତ୍ର ପୂରା ବଦଳିଯାଇଛି । ସ୍ଥାନୀୟ ଲୋକେ ଶିକ୍ଷାର ଗୁରୁତ୍ୱ ବୁଝି ପିଲାଙ୍କୁ ସ୍କୁଲ ପଠାଉଛନ୍ତି । ସେ ଦିନର ଭଙ୍ଗା ଦଦରା ସ୍କୁଲ ଏବେ ଚକାଚକ୍‌ ପକ୍କା ଘର । ପିଲା ସଂଖ୍ୟା ବୃଦ୍ଧି ପାଇ ୨୦୦ରେ ପହଞ୍ଚିଲାଣି । ୫/୬ ବର୍ଷ ହେଲା ସ୍କୁଲରେ ଆର୍‍ଏସ୍‍ଟି କେନ୍ଦ୍ର ଖୋଲିଛି, ଯେଉଁଥିରେ ଅନେକ ପିଲା ରହି ପାଠ ପଢୁଛନ୍ତି । ଏସବୁ ସଫଳତା ପଛରେ ରହିଛି ଦିଲୀପଙ୍କର ନିରବ ସାଧନା । ଏଥି ପାଇଁ କମ୍ କଷ୍ଟ ପାଇନାହାନ୍ତି ସେ । ସେଦିନର ଦୁର୍ଦ୍ଦଶା କଥା କହିବାକୁ ଯାଇ ଦିଲୀପ କହନ୍ତି, ଦିନେ ଦିନେ ଏମିତି ହୁଏ ଯେ ତାଙ୍କୁ ବାଧ୍ୟ ହୋଇ ପିଲାଙ୍କୁ ଦୁର୍ଗମ ଗାଁକୁ ନେବା ଆଣିବା କରିବାକୁ ପଡ଼େ । ଆଉ ଜଙ୍ଗଲିଆ ଓଦା ମାଟିରେ ସନ୍ତସନ୍ତିଆ ଜାଗାରେ ଲୁଚି ରହିଥିବା ଜୋକ ତାଙ୍କ ପାଇଁ ପ୍ରତିବନ୍ଧକ ସାଜନ୍ତି । ଦେହରେ ତେଲ ଲୁଣ ଲଗାଇ ସେମାନଙ୍କ କବଳରୁ ମୁକୁଳିବାକୁ ପଡ଼ିଥାଏ । ଆଜି ବି ଦିଲୀପ ସାର୍ ପିଲାମାନଙ୍କ ପାଇଁ ପାଠପଢ଼ାର ବ୍ୟବସ୍ଥା କରି ଦିନରାତି ଶିକ୍ଷାର ଆଲୋକ ବିତରଣ କରିବାରେ ଲାଗିଛନ୍ତି ।