ଜଣେ ଦିବ୍ୟାଙ୍ଗଙ୍କ ଜୀବନ କାହାଣୀ । ଅନ୍ଧାର ଭିତରେ ଜୀବନକୁ ଯନ୍ତ୍ରଣା ଡରାଇଛି ହେଲେ ଡରି ନାହାନ୍ତି ମଧୁ । ବାଉଁଶ ବାଡିର ସାହାରାରେ ଚାଲିଲେଣି ୨୨ ବର୍ଷର ଜୀବନ ପଥ ।

462

କନକ ବ୍ୟୁରୋ : ଜୀବନ ଯୁଦ୍ଧରେ ହାରିନାହାନ୍ତି ମଧୁ ନାଏକ । ଆଖିରୁ ଜ୍ୟୋତି ଲିଭିଥିଲେ ମଧ୍ୟ ମନର ଶକ୍ତି ଦେଖାଉଛି ବାଟ । ଦୀର୍ଘ ୨୨ ବର୍ଷ ହେଲା ଆଖି ଚାଲିଯାଇଥିଲେ ବି ସେ କାହା ଉପରେ ନିର୍ଭର କରିନାହାନ୍ତି । ଏପରିକି ସରକାରୀ ସହାୟତା ପାଇଁ ଭରଷା କରିନାହାନ୍ତି ମଧୁ ନାୟକ । ନିଜର ଦୈନନ୍ଦିନ କାମ ସୂଚାରୁ ରୂପେ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଧୁଡିପାଲି ପଂଚାୟତ ରଜାମୁଣ୍ଡା ଗାଁର ମଧୁ ନାଏକ ।

କାନ୍ଧରେ ପାଣି ଭାର ନେଇ ବାଟ ଚାଲୁଥିବା ଏହି ବ୍ୟକ୍ତି ଜାଣି ନାହାନ୍ତି ଆଗରେ ଖାଲ ଅଛି କି ଢିପ । ଅନ୍ଧାର ଅଛି କି ଆଲୋକ । କିନ୍ତୁ ସେ ସ୍ଥିର ନିଶ୍ଚିତ, ପାଣି ଭାରକୁ ଠିକଣା ଯାଗାରେ ପହଂଚାଇବେ । ପାଣି ଭାର ଧରିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରଜାମୁଣ୍ଡା ଗାଁର ମଧୁ ନାଏକ । ୨୨ ବର୍ଷ ତଳୁ ତାଙ୍କ ଆଖିର ଜ୍ୟୋତିକୁ ସେ ହରାଇସାରିଛନ୍ତି । କିନ୍ତୁ ଜୀବନ ଯିଇଁବାର ଯୁଦ୍ଧରେ ସେ ହାରିନାହାଁନ୍ତି ।

ଅନ୍ଧାର ଭିତରେ ୨୨ ବର୍ଷ । ତଥାପି ହୋଇନାହାନ୍ତି ଅଲୋଡା । ଏହା ହେଉଛି ଜଣେ ଦିବ୍ୟାଙ୍ଗଙ୍କ ସଂଘର୍ଷର କାହାଣୀ । ଦାରିଦ୍ରତା ଭିତରେ ଯୁଝି ହେଉଥିବା ଏହି ମଣିଷ କେବେ ସରକାରୀ ସହାୟତାକୁ ଅପେକ୍ଷା କରିନାହାନ୍ତି । ଦୃଷ୍ଟି ଶକ୍ତି ଚାଲିଯିବା ପରେ ମୁଲ ମଜୁରୀ ସିନା ମିଳୁନି କିନ୍ତୁ ନିଜ କାମକୁ ସୂଚାରୁ ରୂପେ ତୁଲାଇ ପାରୁଛନ୍ତି ମଧୁ ନାଏକ । ଅଭାବୀ ପରିବାରର ଭୋକ ମେଂଟାଇବା ପାଇଁ ମଧୁଙ୍କ ସ୍ତ୍ରୀ ପରଘରେ ପାଇଟି କରୁଥିବା ବେଳେ ପୁଅ ଅନ୍ୟ ପାଖରେ ଡ଼୍ରାଇଭର ଭାବେ କାମ କରୁଛନ୍ତି । ସବୁଠାରୁ ଦୁଃଖର କଥା ପୁଅ ଜନ୍ମ ହେବା ଆଗରୁ ଆଖିର ଜ୍ୟୋତି ହରାଇ ସାରିଥିଲେ ମଧୁ । ବାପାଙ୍କ ବୋଝକୁ ପୁଅ ମୁଣ୍ଡରେ ବୋହୁଛି ହେଲେ ସେହି ପୁଅକୁ ଦେଖିନାହାନ୍ତି ଦିବ୍ୟାଙ୍ଗ ବାପା ।