କନକ ବ୍ୟୁରୋ: ଆମେ କ୍ୟାଲେଣ୍ଡର, ବହି, ମାଗାଜିନ ଓ ଘରେ ବିଭିନ୍ନ ଦେବାଦେବୀଙ୍କ ଚିତ୍ର ଦେଖୁଛେ । ହେଲେ ଦିନ ଥିଲା ହିନ୍ଦୁ ଦେବାଦେବୀ କେବଳ ମନ୍ଦିର ଭିତରେ ହିଁ ସୀମିତ ଥିଲେ । କେବଳ କିଛି ଉଚ୍ଚ ଜାତିର ଲୋକ ହିଁ ଦେବାଦେବୀଙ୍କୁ ଦର୍ଶନ କରିପାରୁଥିଲେ । ନୀଚ୍ଚ ତଥା ଛୋଟ ଜାତିର ଲୋକଙ୍କୁୁ ମନ୍ଦିରରେ ପ୍ରବେଶ ବାରଣ ଥିଲା । ତେବେ ଆଜି କିନ୍ତୁ ଦେବାଦେବୀ ପ୍ରତିଟି ଘରେ ଘରେ ବିଭିନ୍ନ ଚିତ୍ର ମାଧ୍ୟମରେ ପୂଜା ପାଉଛନ୍ତି । ହେଲେ ଏହି ଚିତ୍ର ସବୁ କିଏ ଆଙ୍କିଲା ଆଉ କେବେ ଆଙ୍କିଲା ତାହା ଆଜି ବି ଅନେକ ଲୋକଙ୍କୁ ଅଜଣା ।
ହିନ୍ଦୁ ଦେବାଦେବୀଙ୍କୁ ନିଜ ଚିତ୍ର ମାଧ୍ୟମରେ ଘରେ ଘରେ ପହଂଚାଇପାରିଥିବା ଏହି ଚିତ୍ରକର ଜଣକ ହେଲେ ରାଜା ରବି ବର୍ମା । ତାଙ୍କୁ ଭାରତୀୟ ଚିତ୍ରକଳା ଜଗତର ରାଜା ବୋଲି ମଧ୍ୟ କୁହାଯାଏ । ଇଏ ହେଉଛନ୍ତି ସେହି ଚିତ୍ରକର ଯିଏ, ଭାରତର ଦେବାଦେବୀଙ୍କୁ ମନ୍ଦିର ଭିତରୁ ବାହାର କରି ପ୍ରତିଟି ଘରେ ଘରେ ସ୍ଥାନ ଦେଇଥିଲେ । ଆଉ ତାଙ୍କରି ଯୋଗୁଁ ହିଁ ଆମେ ଆଜି ବିଭିନ୍ନ ଦେବାଦେବୀଙ୍କ ଚିତ୍ର ମାଧ୍ୟମରେ ଦେଖିପାରୁଛେ ।
ରାଜା ରବି ବର୍ମା ଦେବୀ ସରସ୍ୱତୀଙ୍କୁ ନାରୀର ଚିତ୍ର ଦେଇ ଚିତ୍ରଣ କରିଥିଲେ । ଆଜିର ଦିନରେ ଏହି ଚିତ୍ରଟିି ବେଶ ଲୋକପ୍ରିୟ ଆଉ ଆପଣ କେଉଁଠି ନା କେଉଁଠି ଏହି ଚିତ୍ରକୁ ନିଶ୍ଚୟ ଦେଖିଥିବେ । ହେଲେ ପ୍ରଥମ କରି ଏହାକୁ ତୂଳୀରେ ଚିତ୍ରଣ କରିଥିଲେ ରାଜା ରବି ବର୍ମା । ସେହିପରି ସେ ଦେବୀ ଲକ୍ଷ୍ମୀ, ଗଣେଶ, ରାଧାମାଧବ, କୃଷ୍ଣ, ଶକୁନ୍ତଳା ଓ ଦୁଷ୍ମନ୍ତ, ରାବଣର ଜଟାୟୁ ବଧ, ବିରାଟ ସଭାରେ ଦ୍ରୋପଦୀଙ୍କ ଗୁହାରି ଭଳି ଲୋକପ୍ରିୟ ଚିତ୍ର ଆଙ୍କିଥିଲେ । ଏହାସହ ସେ ଅନେକ ହିନ୍ଦୁ ଦେବାଦେବୀଙ୍କ ଅନେକ ଚିତ୍ରକୁ ମଧ୍ୟ ନିଜ ତୂଳୀରେ ସ୍ଥାନ ଦେଇଥିଲେ, ଯେଉଁ କାରଣରୁ ସେ ରାଜା ରବି ବର୍ମା ନାମରେ ପରିଚିତ ହୋଇଥିଲେ ।
୧୮୪୮ ମସିହାରେ ଆଜିକାର କେରଳ ରାଜ୍ୟରେ ଜନ୍ମ ଗ୍ରହଣ କରିଥିଲେ ରାଜା ରବି ବର୍ମା । ପିଲାଟି ଦିନରୁ ସେ ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥିଲେ । ଆଉ ଧିରେ ଧିରେ ସେ ଏହି ଚିତ୍ରକଳା ଜଗତର ରାଜା ବୋଲାଇଥିଲେ । ସେ ସମୟରେ ୟୁରୋପର ଚିତ୍ରକଳା ବେଶ ଆଖିଦୃଶିଆ ଥିଲା । ହେଲେ ରାଜା ରବି ବର୍ମାଙ୍କ ଭାରତୀୟ ଚିତ୍ରକଳା ୟୁରୋପୀୟମାନଙ୍କୁ ମଧ୍ୟ ଆକୃଷ୍ଟ କରିଥିଲା ବିଶେଷ କରି ବିଭିନ୍ନ ଦେବାଦେବୀଙ୍କୁ ରାଜା ରବି ବର୍ମା ମନୁଷ୍ୟର ରୂପ ଦେଇ ଆଙ୍କିବା ଆରମ୍ଭ କରିଥିଲେ । ଯାହା ତାଙ୍କୁ ଲୋକପ୍ରିୟ କରିପାରିଥିଲା । ସେ ତାଙ୍କ ପେଂଟିକୁ ପ୍ରେସ ମାଧ୍ୟମରେ ପ୍ରିଟିଂ ମଧ୍ୟ କରିଥିଲେ । ଯାହାକୁ ନେଇ ସେ ସମୟରେ ଅନେକ ଲୋକ ଘରେ ରଖି ପୂଜା କରିବା ଆରମ୍ଭ କରିଦେଇଥିଲେ ।
ତେବେ ରାଜା ରବି ବର୍ମାଙ୍କ ବିଭିନ୍ନ ଚିତ୍ରକୁ ନେଇ ଅନେକ ବିବାଦ ମଧ୍ୟ ଉପୁଜିଥିଲା । କେତେକ ଏହାକୁ ଭାରତୀୟ ଧର୍ମ, ସଂସ୍କୃତିକୁ ନଷ୍ଟ କରିବାର ପ୍ରୟାସ ବୋଲି କହିଥିଲେ । ଦେବାଦେବୀଙ୍କୁ ମନୁଷ୍ୟର ରୂପ ଦେବାକୁ ସେ ସମୟରେ ଅନେକ ଲୋକ ନିନ୍ଦା ମଧ୍ୟ କରିଥିଲେ । ହେଲେ ସେ ସବୁ ଭିତରେ ରାଜା ରବି ବର୍ମାଙ୍କ ଅଙ୍କା ଯାଇଥିବା ଚିତ୍ର କିନ୍ତୁ ଲୋକଙ୍କ ହୃଦୟରେ ଘର କରିବା ସହିତ ସେମାନେ ଏହାକୁ ପୂଜା କରିବା ଆରମ୍ଭ କରିଦେଇଥିଲେ ।
ରାଜା ରବି ବର୍ମାଙ୍କ ଅନେକ ଚିତ୍ର ଆଜି ବି ଗୁଜରାଟର ବଡୋଦରା ଲକ୍ଷ୍ମୀ ବିଳାସ ମହଲର ସଂଗ୍ରହାଳୟରେ ସାଇତା ହୋଇ ରହିଛି । ଯାହାକୁ ବିକ୍ରି କଲେ ଏହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତାଙ୍କ ଜୀବନ କାହାଣୀକୁ ନେଇ ବଲିଉଡରେ ହିନ୍ଦୀ ଫିଲ୍ମ ରଙ୍ଗ ରସିଆ ମଧ୍ୟ ନିର୍ମାଣ ହୋଇସାରିଛି । ଯେଉଁଥିରେ ସେ କିପରି ଭାବେ ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଆଙ୍କିବା ଆରମ୍ଭ କଲେ ଏବଂ ଲୋକମାନେ ଏହାକୁ ପସନ୍ଦ କରିବା ଆରମ୍ଭ କଲେ ତା ଦେଖିବାକୁ ମିଳିବ । ତେବେ ଆପଣ ଜାଣି ଆଶ୍ଚଯ୍ୟ ହେବେ, ରାଜା ରବି ବର୍ମାଙ୍କୁ ୧୯୦୪ ମସିହାରେ ବ୍ରିଟିଶ ସରକାର କେସର-ଏ-ହିନ୍ଦ ସମ୍ମାନରେ ସମ୍ମାନିତ କରିଥିଲା । ଯାହାକୁ ଆଜିର ଦିନରେ ଭାରତ ରତ୍ନ ସମ୍ମାନ ସହ ତୁଳନା କରାଯାଇଥାଏ ।