କନକ ବ୍ୟୁରୋ: ଉତ୍ତରପ୍ରଦେଶ ଆଗ୍ରାରୁ ଆସିଛି ଏପରି ଏକ ମାମଲା ଯାହା ଜାଣିଲେ ଆପଣଙ୍କ ଆଖି ବି ଜକେଇ ଆସିବ । ଦିନ ଥିଲା ଦେଶର କୋଟିପତିଙ୍କ ମଧ୍ୟରେ ଗଣାହେଉଥିଲେ । ହେଲେ ବୃଦ୍ଧାଶ୍ରମରେ କଟୁଛି ଜୀବନ । ଆମେ କହୁଛୁ ୮୭ ବର୍ଷିୟା ବୃଦ୍ଧା ବିଦ୍ୟା ଅଗ୍ରୱାଲଙ୍କ କଥା ।

Advertisment

୮୭ ବର୍ଷିୟା ବୃଦ୍ଧା ବିଦ୍ୟା ଦେବୀଙ୍କ ସ୍ୱାମୀଙ୍କର ଥିଲା ଖ୍ୟାତନାମା ଚକ୍ଷୁ ଡାକ୍ତରଖାନା । ବିଦ୍ୟା ହେଉଛନ୍ତି ଜଣାଶୁଣା ଆଖି ହସ୍ପିଟାଲର ମାଲିକ ଗୋପୀଚନ୍ଦ ଅଗ୍ରୱାଲଙ୍କ ପତ୍ନୀ । ଦିନେ ସେ ଦେଶର କୋଟିପତିଙ୍କ ମଧ୍ୟରେ ଆଗ ଧାଡିରେ ଥିଲେ । ଖୁବ୍ ଶାନ୍ତିରେ କଟୁଥିଲା ବିଦ୍ୟା ଦେବୀଙ୍କ ଜୀବନ । ଘର ପରିବାର ହସଖୁସିରେ ଫାଟିପଡୁଥିଲା । ୪ ଚାରି ଜଣ ପୁଅଙ୍କୁ ନେଇ ଖୁବ୍ ଖୁସିରେ ଥିଲେ ବିଦ୍ୟା । ପୁଅ ମାନଙ୍କୁ ପାଠସାଠ ପଢାଇ ବଡ କଲେ । ସେମାନଙ୍କୁ ଭଲ ଘରେ ବାହା କରାଇଲେ । ସେମାନଙ୍କ ଜୀବନକୁ ସୁଖଦ କରିବାକୁ ସବୁପ୍ରକାର ବନ୍ଦୋବସ୍ତ କରିଦେଲେ । ହେଲେ ବିଦ୍ୟା ଦେବୀଙ୍କ ପାଇଁ କିନ୍ତୁ ଭାଗ୍ୟ ବାମ ହୋଲା । ସମୟ କ୍ରମେ ସବୁ ବଦଳିଗଲା । ୧୩ ବର୍ଷ ପୂର୍ବରୁ ସ୍ୱାମୀ ଗୋପୀଚନ୍ଦଙ୍କ ପରଲୋକ ହେଲା । ଏହାପରେ ପରେ ପରେ ବିଦ୍ୟାଦେବୀଙ୍କ ଜୀବନ ଓଲଟପାଲଟି ହୋଇଗଲା ।

ସ୍ୱାମୀ ଗୋପୀଚନ୍ଦଙ୍କ ବିୟୋଗ ପରେ ସବୁ ସମ୍ପତ୍ତିକୁ ଭାଗ ବାଣ୍ଟିିନେଲେ ୪ ପୁଅ । ବିଦ୍ୟାଙ୍କ ନାଁରେ କିଛି ବି ରହିଲା ନାହିଁ । ସମ୍ପତ୍ତି ନେବା ପରେ ମା’ ବିଦ୍ୟା ଦେବୀଙ୍କୁ କେହି ପାଖରେ ରଖିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ । ତଥାପି ନିରୁପାୟ ହୋଇ ସେ ପ୍ରଥମେ ବଡ ପୁଅ ପାଖରେ ରହିଲେ । କିଛି ଦିନ ପରେ ବଡ ବୋହୂ କଟୂ କଥା କହିବା ଆରମ୍ଭ କରିଦେଲା । ଏହା ପରେ ପାଳି କରି ୪ପୁଅଙ୍କ ପାଖରେ ରହିଲେ ହେଲେ କାହାରି ପାଖରେ ତିଷ୍ଠିିପାରିଲେ ନାହିଁ । କୋଉ ବୋହୂ ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରୁଛି ବୋଲି କହିଲା ତ ଆଉ କିଏ ଯମୁନା ନଦୀରେ ନେଇ ଫିଙ୍ଗି ଦେବାକୁ ଧମକ ଦେଲା । ଏସବୁ ନିର୍ଯାତନା ପରେ ବି ବିଦ୍ୟା ଦେବୀ ପୁଅ ମାନଙ୍କ ପାଖରେ ପଡିରହିଲେ । ଶେଷରେ ତାଙ୍କୁ ନିସ୍ତକ ମାଡ ମାରି ଘରୁ ବାହାର କରିଦେଲେ ସବୁ ପୁଅ ବୋହୂ ।

ଏହାର ଖବର ପାଇଲେ ତାଙ୍କର ଜଣେ ସମ୍ପର୍କୀୟ ତଥା ଅଗ୍ରୱାଲ ମହିଳା ମଞ୍ଚର ଅଧ୍ୟକ୍ଷ ଶଶି ଗୋୟଲ । ସେ ବିଦ୍ୟା ଦେବୀଙ୍କ ୪ ପୁଅଙ୍କୁ ବୁଝାଇବାକୁ ଚେଷ୍ଟା କଲେ ବି କେହି ବୁଝିଲେ ନାହିଁ କି ମା’କୁ ପାଖରେ ରଖିବାକୁ ରୋକଠୋକ୍ ମନା କରିଦେଲେ । ତେଣୁ ଡିସେମ୍ବର ୧୯ ତାରିଖରେ ବିଦ୍ୟାଦେବୀଙ୍କୁ ରାମଲାଲ ବୃଦ୍ଧାଶ୍ରମକୁ ନେଇଆସିଲେ ଶଶି ଗୋୟଲ । ଏବେ ବିଦ୍ୟା ଦେବୀ ବୃଦ୍ଧାଶ୍ରମରେ ରହୁଛନ୍ତି । ସ୍ୱାମୀଙ୍କ ସହ ବିତାଇଥିବା ଖୁସିର ଦିନ ସବୁକୁ ମନେ ପକାଇ ଆଖିୁ ଲୁହ ଗଡାଉଛନ୍ତି । ଅବଶ୍ୟ ବୃଦ୍ଧାଶ୍ରମରେ ତାଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯାଉଛି ।

ଆଜିକା ସ୍ୱାର୍ଥ ସର୍ବସ୍ୱ ସମାଜରେ ବୃଦ୍ଧ ବାପା , ମା’ଙ୍କୁ ଅକଥନୀୟ ଯନ୍ତ୍ରଣା ଦେବା ଘଟଣା ବାରମ୍ବାର ସାମ୍ନାକୁ ଆସୁଛି ଯାହା ସମାଜର ଅବକ୍ଷୟର ସ୍ପଷ୍ଟ ସୂଚନା ଦେଉଛି । ଏହା ପୂର୍ବରୁ ହରିୟାଣା ଚରଖା ଦାଦରୀ ଅଞ୍ଚଳରେ ଆଇଏଏସ୍ ଅଧିକାରୀଙ୍କ ବୁଢା ଜେଜେବାପା, ଜେଜେମା’ ବିଷ ବଟିକା ଖାଇ ଆତ୍ମହତ୍ୟା କରିବା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଦୁଇ ପୁଅ ବୋହୂଙ୍କ ଦ୍ୱାରା ନିର୍ଯାତିତ ହୋଇ ବୁଢା ବୟସରେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେବା ଘଟଣା ଭାଇରାଲ ହୋଇଥିଲା । ବାରମ୍ବାର ବୟସ୍କଙ୍କ ଉପରେ ନିର୍ଯାତନା ଆଗାମୀ ପିଢି ପାଇଁ ଏକ ଭୟଙ୍କର ରୂପ ଯେ ନେ ଏହାକୁ ଅସ୍ୱୀକାର କରାଯାଇନପାରେ ।