କନକ ବ୍ୟୁରୋ : ଆଜି ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇପାରେ । ଗତ ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ସମର୍ଥକମାନେ ଆମେରିକା ସଂସଦ ଭବନରେ ଭିଆଇଥିବା ଦଙ୍ଗା ପରିପ୍ରେକ୍ଷୀରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ (ପ୍ରତିନିଧି ସଭା)ରେ ଡେମୋକ୍ରାଟ୍ ଦଳ ପକ୍ଷରୁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବ ବୋଲି ଡେମୋକ୍ରାଟ୍ ସାଂସଦ ଟେଡ୍ ଲିଉ ଜଣାଇଛନ୍ତି । ସୂଚନାଯୋଗ୍ୟ, ୨୦୧୯ ମସିହାରେ ମଧ୍ୟ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା, ମାତ୍ର ତାହା ଆମେରିକାର ସିନେଟ୍ରେ କାଟ ଖାଇଯାଇଥିଲା ।
ତେବେ ଏଥର ଟ୍ରମ୍ପଙ୍କ ବିରୋଧରେ ଏହି ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ୧୮୦ ଜଣ ସଦସ୍ୟ ପ୍ରସ୍ତୁତ ରହିଥିବା ଲିଉ ଟ୍ବିଟ୍ କରି ଜଣାଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ୍ ଯଦି ସେଦିନ ସ୍ବତଃପ୍ରବୃତ୍ତ ଭାବେ ଇସ୍ତଫା ନ ଦିଅନ୍ତି ତେବେ ଏହି ମହାଭିଯୋଗ ପ୍ରସ୍ତାବ ଆସିବ ବୋଲି ଜଣାଯାଇଛି। ବାଚସ୍ପତି ନାନ୍ସି ପେଲୋସି ମଧ୍ୟ ଟ୍ରମ୍ପ୍ଙ୍କୁ ତତ୍କାଳ ହଟାଇବା ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ କରାଯିବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଆଗାମୀ ୨୦ ତାରିଖରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଶପଥ ଗ୍ରହଣ ପୂର୍ବରୁ ଟ୍ରମ୍ପ୍ଙ୍କୁ କ୍ଷମତାରୁ ହଟାଇବା ପାଇଁ ସଂଖ୍ୟାଧିକ ଆମେରିକୀୟ ଚାହୁଥିବାରୁ ଆମେ ସେମାନଙ୍କୁ ସମ୍ମାନ ଦେଇ ପଦକ୍ଷେପ ଗ୍ରହଣ କରିବୁ ବୋଲି ପେଲୋସି କହିଛନ୍ତି।
ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଆସନ୍ତା ୨୦ ତାରିଖ ଶପଥ ଗ୍ରହଣ ଉତ୍ସବରେ ବର୍ତ୍ତମାନର ଉପରାଷ୍ଟ୍ରପତି ମାଇକ ପେନ୍ସ ଯୋଗଦେବେ ବୋଲି ଏକାଧିକ ରିପୋର୍ଟରୁ ଜଣାଯାଇଛି । ଟ୍ରମ୍ପ ଓ ପେନ୍ସଙ୍କ ମଧ୍ୟରେ ସଂପର୍କ ଗତ ବୁଧବାରର କ୍ୟାପିଟଲ ବିଲଡିଂ ହିଂସା ପରଠାରୁ ଖରାପ ହୋଇଛି । ଗତ ନଭେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ବାଇଡେନ୍ ବିଜୟୀ ହୋଇଥିବା ବିଷୟ ଗତ ବୁଧବାର ଟ୍ରମ୍ପଙ୍କ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ପେନ୍ସ ଔପଚାରିକ ଭାବେ ଘୋଷଣା କରିଥିଲେ। ଏହାପରେ ଟ୍ରମ୍ପ ଓ ପେନ୍ସଙ୍କ ସଂପର୍କରେ ଭଟ୍ଟା ଆସିଛି ।
ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ସତର୍କ କରାଇ ଦେଇଛନ୍ତି ଯେ ଯଦି ଟ୍ରମ୍ପ ଇସ୍ତଫା ନଦିଅନ୍ତି କିମ୍ବା ଉପରାଷ୍ଟ୍ରପତି ମାଇକ ପେନ୍ସ ଆମେରିକା ସମ୍ବିଧାନର ୨୫ତମ ସଂଶୋଧନ କ୍ଷମତାକୁ ଉପଯୋଗ କରି କ୍ୟାବିନେଟ କିମ୍ବା କଂଗ୍ରେସ କମିଟି ଦ୍ବାରା ତାଙ୍କୁ ରାଷ୍ଟ୍ରପତି ପଦରୁ ନ ହଟାନ୍ତି ତା’ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିବ। ପେନ୍ସ ମଧ୍ୟ ଟ୍ରମ୍ପଙ୍କ ବିରୋଧରେ ତାଙ୍କର ଏହି ସ୍ବତନ୍ତ୍ର କ୍ଷମତା ଉପଯୋଗ କରିବା ବିଷୟକୁ ଏଡ଼ାଇ ଦିଆଯାଇ ନପାରେ। ମାଇକ ପେନ୍ସ ତାଙ୍କର ଏହି କ୍ଷମତା ବଳରେ କ୍ୟାବିନେଟ୍ର ସଂଖ୍ୟା ଗରିଷ୍ଠ ମତରେ କିମ୍ବା କଂଗ୍ରେସ ଦ୍ବାରା ଗଠିତ ଏକ କମିଟି ମାଧ୍ୟମରେ ଟ୍ରମ୍ପଙ୍କୁ ଶାସନ କରିବା ପାଇଁ ଅଯୋଗ୍ୟ ଘୋଷଣା କରିପାରନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/trump_florida.jpg)