ବୌଦ୍ଧ ଏସପିଙ୍କ ମୁହଁରେ ଅପହରଣର କାହାଣୀ: ଭୁବନେଶ୍ୱରରୁ କେମିତି ହୋଇଥିଲା ଇନୋଭା ଗାଡ଼ି ହାଇଜାକ୍? କହିଲେ ନୟାଗଡ଼ରେ ଅପରାଧ ଯୋଜନା କରିଥିଲେ ଦୁର୍ବୃତ

ଅଭିଯୁକ୍ତଙ୍କ ନାଁରେ ରହିଛି ବହୁ ଅପରାଧିକ ମାମଲା

252

କନକ ବ୍ୟୁରୋ: ବୌଦ୍ଧରୁ ଆସିଛି ଅପହରଣ ଉଦ୍ୟମର ନିଆରା କାହାଣୀ। ଆଶ୍ଚର୍ଯ୍ୟଜନକ ଭାବେ କାର ହାଇଜାକ କରିନେଲେ ଦୁର୍ବୃତ । ବଲାଙ୍ଗିରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ଭୁବନେଶ୍ୱରର ଏକ ଟ୍ରାଭେଲ ଏଜେନ୍ସିରୁ ଇନୋଭା କାର ହାୟର କରିଥିଲେ ୮ଜଣ । ହେଲେ ଡ୍ରାଇଭରଙ୍କ ମୁଣ୍ଡରେ ବନ୍ଧୁକ ରଖି କାରଟିକୁ ବୌଦ୍ଧ ଯାଏଁ ନେଇଯାଇଥିଲେ । କିନ୍ତୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧିରୁ କେବଳ କାର ଠାବହେଲା ନାହିଁ, ବରଂ ଧରାପଡିଗଲେ ସମସ୍ତ ୮ଜଣ ଯାକ ଡକାୟତ । କାରର ଡ୍ରାଇଭର କରିଥିଲେ ଏକ ମେସେଜ୍ । ଗାଡିର ମାଲିକଙ୍କୁ ମେସେଜ କରି ସେ ବଡ ବିପଦରେ ପଡି ଯାଇଥିବା ସୂଚନା ଦେଇଥିଲେ । ଏହାପରେ ଆରମ୍ଭ ହୋଇଗଲା ତନାଘନା ।

ମେସେଜ ଅନୁସାରେ ପ୍ରଥମେ ଜିପିଏସକୁ ଫଲୋ କରିଥିଲା ପୋଲିସ । ସେତେବେଳକୁ ପାଟଣାଗଡ ଅତିକ୍ରମ କରୁଥିଲା କାର । ସଙ୍ଗେସଙ୍ଗେ ବୌଦ୍ଧ ଏସପିଙ୍କୁ ଖବର ଦିଆଗଲା । ଗାଡିକୁ ଠାବ କରିବା ପାଇଁ ଆରମ୍ଭ ହୋଇଗଲା ଅପରେସନ୍ । ପୋଲିସ ବିଭାଗର ବଛା ବଛା ଅଧିକାରୀଙ୍କୁ ଫୋନରେ କନଫରେନସିଂରେ ରଖି ଏହି ଇନୋଭା ଗାଡିକୁ ଫଲୋ କରିବା ଆରମ୍ଭ କରିଦେଲା ପିସିଆର । ଶେଷରେ ଗାଡିକୁ ଅଟକାଇବା ପାଇଁ ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ରଣନୀତି । ଗାଡି ଚେକିଂ ବାହାନାରେ ବ୍ୟାରିକେଡିଂ କରିଦେଲେ ଚାରିଛକ ଆଇଆଇସି । ଗାଡି ଅଟକିବା ପରେ କୌଶଳକ୍ରମେ ପ୍ରଥମେ ଡ୍ରାଇଭରଙ୍କୁ ମୁକୁଳାଇ ନେଇଥିଲା ପୋଲିସ । ପରେ ଗାଡିରେ ଥିବା ସମସ୍ତ ଦୁର୍ବୃତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରିଥିଲା ।