କନକ ବ୍ୟୁରୋ: ଆଖି ବୁଜିଲେ ଗାଁ ଦିଶୁଛି, ଆଖି ଖୋଲିଲେ ଗାଁର ଛବି ନାଚି ଯାଉଛି । ଶୟନେ ସପନେ ଜାଗରଣେ ଗାଁ ଭାରି ମନେପଡୁଛି । ରାତିଟା ତ କଷ୍ଟେମଷ୍ଟେ ବିତି ଯାଉଛି କିନ୍ତୁ ଯେତେବେଳେ ନିଦ ଭାଙ୍ଗୁଛି ଆଉ ଏ ଗାଉଁଲୀ ମଣିଷଟା ନିଜକୁ ସହରୀ ସଭ୍ୟତାରେ ପାଉଛି । ସେତେବେଳେ ସେ ଅଣନିଶ୍ୱାସୀ ହୋଇ ଯାଉଛି । ଆଉ ତା ଭିଟାମାଟିକୁ ଖୋଜୁଛି, ତା ଘରର ପିଣ୍ଡା, ତା ଗାଁର ପୋଖରୀ, ପାହାଡ ଫାଙ୍କରୁ ଉଇଁଥିବା କଅଁଳ ସୂରୁଜକୁ ଅଣ୍ଡାଳି ହେଉଛି । ଆଉ ଯେତେବେଳେ ସେ କିିଛି ପାଉନି ନିଜ ଗାଁକୁ ଧାଉଁଛି... ଏକ ଲୟରେ ଧାଉଁଛି । କିନ୍ତୁ ହାଏ... ତାକୁ ତା ଗାଁ ମିଳୁନି, ତା ଘର ମିଳୁନି । ଯୁଆଡେ ଚାହୁଁଛି ତାକୁ ଖାଲି ପାଣି ପାଣି ଦିଶୁଛି । ଜଳ ଦେଇଥିବା ଯନ୍ତ୍ରଣାର ପୋଡାଗନ୍ଧ ତା ନାକରେ ବାଜୁଛି । କାରଣ ତା ଗାଁର ଠିକଣା ଖୋଜି ଖୋଜି ବନ୍ୟା ପାଣି ଧସେଇ ପଶିଛି, ଆଉ ସେମାନଙ୍କୁ ବେଘର କରିଛି...

Advertisment

ଇଏ ସେହି ଗାଁ । ବଲାଙ୍ଗୀର ଗଡଶଙ୍କର ଡୁଙ୍ଗୁରିପାଲୀ । ଯେଉଁଠି ପ୍ରାୟ ୭୫୦ଟି ପରିବାର ହସଖୁସିରେ ଚଳୁଥିଲେ । ଯାନିଯାତ୍ରା, ମେଳା ମହୋତ୍ସବ ମିଳିମିଶି ପାଳୁଥିଲେ । ମାଟି ସେମାନଙ୍କ ମାଆ, ଜଙ୍ଗଲ ସେମାନଙ୍କ ଜୀବନ, ପାହାଡ ସେମାନଙ୍କ ପ୍ରାଣ ଆଉ ନଈ ତାଙ୍କ ନିଶ୍ୱାସ ଥିଲା... ଗଛ ପତ୍ର ମେଳରେ, ନଈର ସୁଲୁସୁଲିଆ ପବନ ଖାଇ ବଢିଥିବା ମଣିଷଙ୍କୁ ଯେ ଦିନେ ଏ ଭିଟାମାଟି ଛାଡିବାକୁ ପଡିବ ତାହା ଜଣାନଥିଲା । ଯେଉଁ ଧୂଳିମାଟିରେ ଖେଳି ବୁଲି ମଣିଷ ବଡ ହୋଇଛି, ବହୁ କଷ୍ଟରେ ଝାଳବୁହା ଧନରେ ସ୍ୱପ୍ନର ଘରଟେ କରିଛି, ସେଠି କିନ୍ତୁ ରହିବାର ଦିନ କେଇଟା ହେଇନି ସେ ଘରକୁ ଛାଡିବାକୁ ପଡିଛି... ପାଣି ପାଟିକୁ ଠେଲି ଦେବାକୁ ପଡିଛି । ସତରେ ବିସ୍ଥାପନ ଦୁଃଖ ଦିଏ ବୋଲି ଶୁଣିଥିଲୁ । ହୀରାକୁଦର କାହାଣୀ ପିଲା ଦିନରୁ ଶୁଣିଛୁ । କିନ୍ତୁ ଲୋୟର ସୁକତେଲର ବିସ୍ଥାପିତଙ୍କ ଦୁଃଖ ଆଖିରେ ଦେଖି ଖବର ଲେଖିଲା ବେଳେ ଆଜି ନିଜକୁ ବି ସମ୍ଭାଳି ହେଉନି । ଆଉ ସେମାନେ ତ ଭୁକ୍ତଭୋଗୀ... ସେମାନଙ୍କ ଦେଇ କଣ ବିତୁଥିବ ସେମାନେ ହିଁ ଜାଣିଥିବେ...

କଥାରେ ଅଛି ଗାଁରେ ଉପାସ ପଛେ ରହିଯିବ କିନ୍ତୁ ଶାନ୍ତି ରହିବ । ଆଉ ଏଠି ଆର ଆର କଲୋନୀକୁ ବିସ୍ଥାପିତଙ୍କୁ ଥଇଥାନ କରିବା ପରେ ସେ ଶାନ୍ତି ଏମାନେ ପାଉ ନାହାନ୍ତି । ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ସତ । କିନ୍ତୁ ଏଠି ଜୀବନ ଥିଲା ଭଳି ଲାଗୁନି । ସମସ୍ତଙ୍କ ମୁହଁରୁ ହସ ହଜିଯାଇଛି । କେହି ଖୁସିରେ ନାହାନ୍ତି । ଗାଁର ପଡୋଶୀଙ୍କୁ ବି ପାଉ ନାହାନ୍ତି । ସ୍ୱାଭିମାନୀ ଲୋକ ଗାଁ ଚାଳ ଘରେ ରହିଯିବେ ପଛ ଏ ଟିଣ ଘରେ ଭଲ ଲାଗୁନି, ମାଗି ଖାଇ ବାକୁ ହାତ ଯାଉନି । ସବୁ ସ୍ୱପ୍ନ ଡ୍ୟାମ ପାଣିରେ ବୁଡିଯାଇଥିବା ଜାଣିବା ପରେ ବି ଏ ମଣିଷମାନେ ଏତେ ସରଳ ଯେ ଏବେବି ସେମାନେ ଆଶା ବାନ୍ଧି ବସିଛନ୍ତି ସହରୀ ଜୀବନ ଛାଡି ପୁନଶ୍ଚ ସେ ଜଙ୍ଗଲୀ ଜୀବନକୁ ଫେରିଯିବା ପାଇଁ... କିନ୍ତୁ ସେମାନେ ଜାଣିବା ଦରକାର ସେମାନଙ୍କ ସ୍ୱପ୍ନ କେବେ ପୂରା ହେବନି... ପ୍ରାଣରେ ପିଣ୍ଡ ଥିବା ଯାଏଁ... ପ୍ରକଳ୍ପରେ ପାଣି ଥିବା ଯାଏଁ...