ପରଲୋକରେ ପ୍ରଖ୍ୟାତ ଅଭିନେତା ଇର୍ଫାନ ଖାନ୍ । ପରଦାରେ ଅଭିନୟର ଯାଦୁ କରି ହୃଦୟ କିଣିଥିବା ଇର୍ଫାନଙ୍କୁ ହରାଇ ହତବାକ୍ ଦର୍ଶକ, ସ୍ତବ୍ଧ ସିନେ ଜଗତ । ବଲିଉଡ ସହ ହଲିଉଡ ଫିଲ୍ମରେ ବି ଛାଡିଯାଇଛନ୍ତି ନିଜ ଅଭିନୟର ଛାପ

464

କନକ ବ୍ୟୁରୋ: ପରଲୋକରେ ବଲିଉଡ ଅଭିନେତା ଇର୍ଫାନ୍ ଖାନ୍ । ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ୫୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କଲୋନ ଇନଫେକସନରେ ପୀଡିତ ହୋଇ ସେ ମଙ୍ଗଳବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦୀର୍ଘ ଦନି ଧରି ମସ୍ତିଷ୍କ କ୍ୟାନସରରେ ପୀଡିତ ଥିଲେ ଇର୍ଫାନ ଖାନ ।

ଅଭିନୟର ଯାଦୁ ଦେଖାଇଥିବା ଅଭିନେତା ଇର୍ଫାନ ଖାନଙ୍କ ଏହା ଥିଲା ଶେଷ ଅଡିଓ ମ୍ୟାସେଜ । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ବଲିଉଡରୁ ଦୂରେଇ ରହିଥିଲେ ଇର୍ଫାନ । ଏବଂ ପ୍ରାୟ ବର୍ଷକ ପରେ ଆସିଥିଲା ତାଙ୍କ ଫିଲ୍ମ ଅଂଗ୍ରେଜି ମିଡିୟମ । ଫିଲ୍ମ ରିଲିଜ ପୂର୍ବରୁ ସେ କାହିଁକି ଏହାର ପ୍ରମୋସନରୁ ଦୂରେଇ ରହିଥିଲେ ସେ ନେଇ ନିଜ ପ୍ରଶଂସକଙ୍କ ପାଇଁ ଏହି ଅଡିଓ ମ୍ୟାସେଜ ଦେଇଥିଲେ ଇର୍ଫାନ ଖାନ ।

ଜୟପୁରର ଥିଏଟରରୁ ବଲିଉଡ ଓ ପରେ ହଲିଉଡର ତାଙ୍କର ଅଭିନୟର ଯାତ୍ରା ବେଶ ରୋମାଂଚକର ରହିଥିଲା । ଟିଭି ପରଦାରୁ ନିଜ କ୍ୟାରିୟର ଆରମ୍ଭ କରି ସଲାମ ବମ୍ବେ ସିନେମାରେ ପ୍ରଥମ ଥର ପାଇଁ ବଡ ପରଦାରେ ଅଭିନୟ କରିଥିଲେ । ଏହା ପରେ ପରେ ରୋଗ, ହାସିଲ, ଲାଇଫ ଇନ୍ ଏ ମେଟ୍ରୋ ମୁଭିରେ ତାଙ୍କୁ ଦେଖିବାକୁ ମିଳିଛି । ତେବେ ୨୦୦୮ରେ ସ୍ଲମଡଗ ମିଲେନିୟର ତାଙ୍କ ଜୀବନର ଗତିପଥ ବଦଳାଇଦେଇଥିଲା । ପିକୁ, ଗୁଣ୍ଡେ, ଜଜବା ଓ ହିନ୍ଦି ମିଡିୟମ ଆଦି ମୁଭିରେ ତାଙ୍କ ଅଭିନୟର ଜାଦୁଗରୀ ଦେଖିବାକୁ ମିଳିଛି । ସେହିପରି ଲାଇଫ ଅଫ ପାଇ, ଜ୍ୟୁରାସିକ ୱାର୍ଲ୍ଡ, ନେମସେକ, ଲଂଚବକ୍ସ ପରି ଫିଲ୍ମ ତାଙ୍କୁ ନୂଆ ପରିଚୟ ଦେଇଥିଲା ।

୩୦ ବର୍ଷର ତାଙ୍କ କ୍ୟାରିୟର ଭିତରେ ସେ ନ୍ୟାସନାଲ ଫିଲ୍ମ ଆୱାର୍ଡ ଓ ଫିଲ୍ମଫେୟାର ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ଇର୍ଫାନ ଖାନଙ୍କ ୨୦୧୮ରେ ସେ ମସ୍ତିଷ୍କ କର୍କଟ ରୋଗରେ ପୀଡିତ ହୋଇଥିଲେ । ଏହାପରେ ପ୍ରାୟ ବର୍ଷେ ଧରି ସେ ବିଦେଶରେ ଚିକିତ୍ସିତ ହୋଇଥିଲେ । ଏବେ କିଛି ଦିନ ତଳେ ସେ କଲୋନ ଇନଫେକସନରେ ପୀଡିତା ହେବା ପରେ ମଙ୍ଗଳବାର ଦିନ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଯେଉଁଠାରେ ୫୩ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଇର୍ଫାନ ଖାନଙ୍କ ମୃତ୍ୟୁ ସିନେଜଗତରେ ଶୋକର ଛାୟା ଖେଳାଇ ଦେଇଛି ।