ବସରେ ମାଆକୁ ଅପମାନ ପରେ ସହିପାରିଲାନି ଝିଅ । ବଦଲା ନେବାକୁ ପାଠପଢି ବନିଗଲା IPS ଅଫିସର । ଚର୍ଚ୍ଚାରେ ଲେଡି ଦବଙ୍ଗ ଅଫିସର ସାଲିନୀ…

672

କନକ ବ୍ୟୁରୋ: ଅଗର ଇରାଦୋଁ ମେ ଦମ୍ ହୋ, ତୋ କୋଇ ମଞ୍ଜିଲ ମୁସ୍କିଲ୍ ନେହିଁ… ଜୀବନରେ ସଫଳତା ପାଇବାକୁ ହେଲେ ନିଜ ଲକ୍ଷ୍ୟକୁ ସ୍ଥିର କରିବାକୁ ପଡିବ । ଧର୍ଯ୍ୟର ସହ ଅପେକ୍ଷା କଲେ ସଫଳତା ନିଶ୍ଚୟ ମିଳିବ । ଯାହାର ଉଦାହରଣ ହେଉଛନ୍ତି ହିମାଚଳ ପ୍ରଦେଶର ସାଲିନୀ ଅଗ୍ନିହୋତ୍ରୀ…

ବସ କଣ୍ଡକ୍ଟର ଝିଅ ଆଇପିଏସ ଅଫିସର । ମାଆର ଅପମାନ ପାଇଁ ବନିଗଲେ ପୋଲିସ । ସେଦିନ ମାଆଙ୍କ ସହ ବସରେ ଯାଉଥିଲେ ସାଲିନୀ । ବସଯାତ୍ରା ବେଳେ ଜଣେ ବ୍ୟକ୍ତି ତାଙ୍କ ପଛ ସିଟରେ ହାତ ରଖିଥିଲେ । ଯେଉଁଥିପାଇଁ ତାଙ୍କ ମାଆ ସହଜରେ ବସିପାରୁନଥିଲେ । ଏନେଇ ସାଲିନୀ ଉକ୍ତ ବ୍ୟକ୍ତିଙ୍କୁ ବାରମ୍ବାର କହିବା ସତ୍ୱେ ବି ସେ ଶୁଣୁନଥିଲେ ବରଂ ଓଲଟି ରାଗିଯାଇ ସାଲିନୀଙ୍କୁ କହିଲେ, ତମେ କଣ କମିଶନର ! ତମ କଥା ମାନିବି… ବାସ୍ ତାପରେ ବସ ଭିତରେ ମାଆଙ୍କୁ ନେଇ ଉକ୍ତ ବ୍ୟକ୍ତିଙ୍କ ସେହି ଅପମାନ ସାଲିନୀଙ୍କୁ ଦେଖାଇଥିଲା ନୂଆରାସ୍ତା । ଭବିଷ୍ୟତରେ ଜଣେ ଅଫିସର ବନିବାକୁ ସେଦିନ ମନେମନେ ଶପଥ ନେଇଥିଲେ ସାଲିନୀ । ଆଉ ସ୍ୱପ୍ନ ପୂରଣ କରିବାକୁ ଆରମ୍ଭ କରିଥିଲେ କସରତ ।

ଦଶମରେ ୯୨ ପ୍ରତିଶତ ମାର୍କ ଏବଂ ପ୍ଲସ ଟୁରେ ୭୭ ପ୍ରତିଶତ ମାର୍କ ରଖିଥିବା ସାଲିନୀ ହିମାଚଳ ପ୍ରଦେଶ ଏଗ୍ରିକଲଚର ୟୁନିଭର୍ସିଟିରୁ ଗ୍ରାଜୁଏସନ ପାସ୍ କରିଥିଲେ । ସେହି ସମୟରେ ହିଁ ସେ ୟୁପିଏସସି ପାଇଁ ପ୍ରସ୍ତୁତି ଚଳାଇଥିଲେ । ସବୁଠାରୁ ବଡ କଥା ହେଉଛି କି ସାଲିନୀ ବିନା କୋଚିଂରେ ୟୁପିଏସସି ପରୀକ୍ଷା ପାସ୍ କରିଥିଲେ । ପରୀକ୍ଷା ବାବଦରେ ଘରେ ଜଣାଇଲେ କାଳେ ଅକୃତକାର୍ଯ୍ୟ ପରେ ବାପାମାଆ ମନ ଦୁଃଖ କରିବେ ସେଥିପାଇଁ କାହାକୁ କହିନଥିଲେ ସେ । ବିନା କୋଚିଂରେ ନିଜ କଲେଜ ହଷ୍ଟେଲରେ ରହି ୨୦୧୧ରେ ୟୁପିଏସସି ପରୀକ୍ଷା ଦେଇଥିଲେ ଆଉ ୨୦୧୨ରେ ସଫଳତା ପାଇ ଆଇପିଏସ ବନିଥିଲେ ସାଲିନୀ ।

ହିମାଚଳ ପ୍ରଦେଶ ଉନ୍ନାର ଏକ ଛୋଟିଆ ଗାଁରେ ଜନ୍ମଗ୍ରହଣ କରିଥିବା ସାଲିନୀ ଅଗ୍ନିହୋତ୍ରୀଙ୍କ ବାପା ଜଣେ ବସ କଣ୍ଡକ୍ଟର । ଗରିବିର ଗାର ଭିତରେ ରହି ପିଲାଙ୍କ ପାଠ ପଢାଉଥିଲେ ବି କୌଣସି ଇଚ୍ଛାରେ ବାଧା ଦେଇ ନାହାନ୍ତି ସାଲିନୀଙ୍କ ବାପା । ପୁଅ ଝିଅର ଫରକ ବି କରି ନାହାନ୍ତି । ପିଲା ବେଳେ ହେଉ କି କଲେଜ ସମୟରେ ସାଲିନୀ ଯେତେବେଳେ ଯୁବକଙ୍କ ସହ କ୍ରିକେଟ ଖେଳନ୍ତି ସେତେବେଳେ ସମସ୍ତେ ତାଙ୍କ ହାବଭାବକୁ ପୁଅ ବୋଲି କୁହନ୍ତି । ହେଲେ ସେ ଯେ ପୋଲିସ ହେବାକୁ ନିଜକୁ ଶାରୀରିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି ତାହାକୁ କାହାକୁ ଜଣା ନଥିଲା ।

ଟ୍ରେନିଂ ପରେ କୁଲୁରେ ତାଙ୍କୁ ନିଯୁକ୍ତି ମିଳିଲା ଆଉ ସେ ପୋଲିସ ଅଧିକ୍ଷକ ଭାବେ ଦାୟିତ୍ୱ ତୁଲାଇଲେ । ସାଲିନୀ ଦାୟିତ୍ୱ ନେବା ପରେ ବଡ ବଡ ଅପରାଧୀଙ୍କ ନିଦ ହଜିଯାଇଛି । ଏମିତି କି ନିଶା କାରବାରରେ ଲିପ୍ତଥିବା ବ୍ୟକ୍ତିଙ୍କୁ ଜେଲର ବାଟ ଦେଖାଇ ଦେଇଛନ୍ତି ସାଲିନୀ । ଅପରାଧୀ ହୁଅନ୍ତୁ କି ଚୋର ସାଲିନୀଙ୍କ ନାଁ ଶୁଣିଲେ ଥରହର ହୁଅନ୍ତି । ଆଉ ଏହି ଦବଙ୍ଗ ଲେଡି ଆଇପିଏସ ଅଫିସରଙ୍କ ଦକ୍ଷତା ପାଇଁ ସେ ରାଷ୍ଟ୍ରପତିଙ୍କ ଠାରୁ ମଧ୍ୟ ପୁରସ୍କୁତ ହୋଇଛନ୍ତି ।