ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ଆନ୍ଧ୍ର ବାପାଟଲା ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ବହିବ ପବନ

432

କନକ ବ୍ୟୁରୋ : ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ମିଗଜୋମ । ବାପାଟଲା ଉପକୂଳ ନିକଟରେ ଅତିକ୍ରମ କରିବ ସ୍ଥଳଭାଗ । ଆଜି ପୂର୍ବାହ୍ନରେ ଆନ୍ଧ୍ର ଉପକୁଳ ବାପାଟଲାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କିଲୋମିଟର ରହିବ । ପବନର ଝଟକା ୧୨୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ଲ୍ୟାଣ୍ଡଫଲ ସମୟରେ ଆନ୍ଧ୍ର ଉପକୂଳରେ ଉଠିପାରେ ଦେଢ଼ ମିଟର ପର୍ଯ୍ୟନ୍ତ ଜୁଆର । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ମିଗଜୋମ ଏବେ ବଙ୍ଗୋପସାଗରରେ ବଳ ଗୋଟାଇ ଅଧିକ ଘନୀଭୂତ ହେବା ସହ ଭୀଷଣ ବାତ୍ୟାର ରୂପ ନେଇଛି ।

ଗତ ୬ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢୁଛି ବାତ୍ୟା ମିଗଜୋମ୍ । କ୍ରମଶଃ ଆହୁରି ଘନିଭୂତ ହୋଇ ଉତର ଦିଗରେ ଆନ୍ଧ୍ର ଉପକୂଳର ସମାନ୍ତରାଳ ଭାବେ ଗତି କରିବ । କିନ୍ତୁ ଏହା ସିଧା ଓଡ଼ିଶାରେ ମାଡ ହେବନି । ହେଲେ ରାଜ୍ୟରେ ଏହାର ପ୍ରଭାବ ଦୁଇରୁ ତିନି ଦିନ ରହିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ନେଇ ସତର୍କ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲିକାନଗିରି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୫ ଜିଲ୍ଲା ପାଇଁ ଆଜି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ପୁରୀ ଜିଲ୍ଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । ଦକ୍ଷିଣ ଓ ଉପକୂଳ ଓ୍ଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ କିଲୋମଟିର ରହିବ ବୋଲି କୁହାଯାଇଛି । ମୁକାବିଲା ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀଙ୍କୁ ପ୍ରସ୍ତୁତ ରଖାଯାଇଛି । ଚାଷୀଙ୍କୁ ଫସଲ ସୁରକ୍ଷିତ ରଖିବାକୁ କୃଷି ବିଭାଗ ପକ୍ଷରୁ ମାର୍ଗଦଶିକା ଜାରି କରାଯାଇଛି । ୮ ଜିଲ୍ଲାର କୃଷି ଅଧିକାରୀଙ୍କୁ ହାଇ ଆର୍ଲଟରେ ରହିବାକୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି । ବର୍ଷା ଛାଡିବା ମାତ୍ରେ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ରହିଛି ।