କନକ ବ୍ୟୁରୋ: ସ୍ଥଳଭାଗ ନଛୁଉଁଣୁ ତାଣ୍ଡବ ରଚିଲାଣି ବାତ୍ୟା ଫୋନି । ସାମୁଦ୍ରିକ ବାତ୍ୟା ଫୋନିର ଲାଣ୍ଡଫଲ ପ୍ରକ୍ରିୟା
ବର୍ତ୍ତମାନ ଜାରି ରହିଥିବା ବେଳେ ଏହାର ବେଶି ପ୍ରଭାବ ଦେଖିବାକୁ ମିଳିଛି ଚନ୍ଦ୍ରଭାଗାରେ । ପୁରୀରେ ଲ୍ୟାଣ୍ଡଫଲ କରିବା ପୂର୍ବରୁ ହିଁ ବାତ୍ୟାର କରାଳ ରୂପ ଚନ୍ଦ୍ରଭାଗରେ ଦେଖିବାକୁ ମିଳିଛି । ଫୋନିର ପ୍ରଭାବରେ ଏଠି ଆରମ୍ଭ ହୋଇଯାଇଛି ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷା। ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ। ଅଶାନ୍ତ ରହିଛି ସମୁଦ୍ର ବେଳାଭୂମି। ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ଫୋନି ପାଖାପାଖି ୩ଘଣ୍ଟା ଧରି ତାଣ୍ଡବ ରଚିବ। ଏହି ସମୟ ମଧ୍ୟରେ କିଛି ସ୍ଥାନରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ମଧ୍ୟ ଅତିକ୍ରମ କରିଛି।
ସାମୁଦ୍ରିକ ବାତ୍ୟା ଫୋନି ପ୍ରଭାବର ଅଧିକ ଚନ୍ଦ୍ରଭାଗାରେ ପଡିଛି । ବହୁ କଚା ଘର ଭାଙ୍ଗି ପଡ଼ିଥିବାବେଳେ ଘର ଛପର ଉଡ଼ି ଯାଇଛି। ଉଭୟ ବିଦ୍ୟୁତ୍ ଓ ଟେଲି ଯୋଗାଯୋଗ ଏଠାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ମଧ୍ୟ ଜାରି ରହିଛି । ଭୀଷଣ ବର୍ଷା ଏବଂ ପବନ ଯୋଗୁଁ ପୁରୀର ବିଭିନ୍ନ ସ୍ଥାନରେ ଶତାଧିକ ଗଛ ଉପୁଡି ପଡ଼ିଛି। ବିଶେଷ କରି ସମୁଦ୍ର କୂଳଠାରୁ ଅଳ୍ପ ଦୂରରେ ଥିବା ରାଜଭବନ ରାସ୍ତାକଡ଼ରେ ଥିବା କିଛି ଗଛ ଉପୁଡି ପଡ଼ିଛି। ସେହିଭଳି ଅନେକ ସ୍ଥାନରେ ଦୋକାନ ଛପର ଓ ହୋର୍ଡି ଉଡାଇ ନେଇଛି । ସେପଟେ, ପେଣ୍ଠକଟାରେ ମଧ୍ୟ ଦେଖିବାକୁ ମିଳିଛି ସାମୁଦ୍ରିକ ଝଡ଼ର ସକାଳୁ ଉଗ୍ର ରୂପ । ପେଣ୍ଠକଟା ବସ୍ତିକୁ ସମୁଦ୍ର ଜୁଆର ମାଡି ଆସିଛି। ପେଣ୍ଠକଟା ବସ୍ତିରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ବସବାସ କରନ୍ତି। ଏମାନେ ହେଉଛନ୍ତି ସମସ୍ତେ ମତ୍ସଜୀବୀ। ପ୍ରଶାସନ ପକ୍ଷରୁ ଗୁରୁବାର ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି।
କେବଳ ପରୁୀ ନୁହେଁ ଭୁବନେଶ୍ୱରରେ ମଧ୍ୟ ପବନର ବେଗ ବଢ଼ିଛି। ରାଜ୍ୟ ଅନ୍ୟ ସ୍ଥାନ ଗୁଡ଼ିକ ଭଳି ଭୁବନେଶ୍ୱରରେ ବି ବର୍ଷା ଲାଗିରହିଛି। ଆଉ ତଳିଆ ଅଂଚଳରେ ପାଣି ମଧ୍ୟ ପଶିଯାଇଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକ ଘରୁ ବାହାରକୁ ବାହାରିପାରୁ ନଥିବା ବେଳେ ରାସ୍ତାଘାଟ ଶୂନଶାନ ହୋଇଯାଇଛି।ତେବେ ଫୋନିର ଭୟାବହତାକୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରକୁ ଆସିବାକୁ ଥିବା କିଛି ଟ୍ରେନକୁ ବାତିଲ କରାଯିବା ସହ ଗତିପଥକୁ ପରିବର୍ତ୍ତନ କରାଯାଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରକୁ ଆସିବାକୁ ଥିବା ସମସ୍ତ ବିମାନ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/RUPA.jpg)
/kanak/media/post_attachments/wp-content/uploads/2019/05/vlcsnap-error857-300x169.png)
/kanak/media/post_attachments/wp-content/uploads/2019/05/Screen-Shot-2019-05-03-at-8.01.32-AM-300x153.png)