ନ୍ୟୁୟର୍କରେ ତୋଫାନ ‘ଆଇଡା’ ପ୍ରକୋପରେ ଆକସ୍ମିକ ବନ୍ୟା, ଜରୁରୀ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର

133

କନକ ବ୍ୟୁରୋ :  ତୋଫାନ ‘ଆଇଡା’ ପ୍ରକୋପରେ ଗୁରୁବାର ଦିନ ନ୍ୟୁୟର୍କ ଓ ନ୍ୟୁଜର୍ସିରେ ପ୍ରବଳ ବୃଷ୍ଟିପାତ ହୋଇଛି । ଫଳରେ ଆକସ୍ମିକ ଭାବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏଭଳି ପରିସ୍ଥିତିକୁ ନଜରରେ ରଖି ନୁୟର୍କ ଗଭର୍ଣ୍ଣର ଉଭୟ ନ୍ୟୁୟର୍କ ଓ ନ୍ୟୁଜର୍ସିରେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି ।

ନୁୟର୍କ ଗଭର୍ଣ୍ଣର ଜେନେରାଲ କ୍ୟାଥି ହୋକୁଲ ଟ୍ୱିଟ କରି କହିଛନ୍ତି କି ତୋଫାନରେ ପ୍ରଭାବିତ ନ୍ୟୁୟର୍କବାସୀଙ୍କ ସହାୟକ ହେବା ପାଇଁ ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି ।
କହିରଖୁ କି ରବିବାର ଦିନ ତୋଫାନ ‘ଆଇଡା’ ଚତୁର୍ଥ ବର୍ଗର ‘ହରିକେନ’ ଭାବେ ଦକ୍ଷିଣାଞ୍ଚଳ ଯୁକ୍ତରାଷ୍ଟ୍ର ଆମେରିକା ଦେଇ ପ୍ରବାହିତ ହେବା ବେଳେ ଚକ୍ରବାତ ଓ ବନ୍ୟା ସୃଷ୍ଟି କରିଥିଲା । ଏହାକୁ ନେଇ ପାଣିପାଗ ବିଭାଗ ନ୍ୟୁୟର୍କ ସହରରେ ଆକସ୍ମିକ ବନ୍ୟା ହେବ ବୋଲି ସୂଚନା ଦେବାର କିଛି ସମୟ ମଧ୍ୟରେ ଗଭର୍ଣ୍ଣର ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ । ସୂଚନା ଥାଉକି ଏଭଳି ସତର୍କ ସୂଚନା ଜାରି ହେବା ନ୍ୟୁୟର୍କରେ ପ୍ରଥମ ଘଟଣା ।

ସେପଟେ ଆକସ୍ମିକ ବୃଷ୍ଟିପାତ ଫଳରେ ସୁଡ଼ଙ୍ଗ ମଧ୍ୟକୁ ପ୍ରବଳ ଜଳରାଶି ପ୍ରବେଶ କରିବାରୁ ନ୍ୟୁୟର୍କ ସହରର ସମସ୍ତ ଭୂତଳ ରେଳ ଚଳାଚଳ ବନ୍ଦ କରିଦିଆଯାଇଥିଲା । ଏହାପରେ ସହରରେ ବିମାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଥିଲା । ଆଞ୍ଚଳିକ ଗଣମାଧ୍ୟମର ରିପୋର୍ଟ ମୁତାବକ ମାତ୍ର ଗୋଟିଏ ଘଂଟା ମଧ୍ୟରେ ସେଣ୍ଟ୍ରାଲ ପାର୍କରେ ୩ ଇଞ୍ଚରୁ ଅଧିକ ବର୍ଷା ହୋଇଥିଲା । ଏହାସହ ତୋଫାନ ‘ଆଇଡା’ ଯୋଗୁଁ ସମୁଦାୟ ୭ ଜଣ ପ୍ରାଣ ହରାଇଥିବା କୁହାଯାଇଛି ।