ଲଖୀମପୁର ହିଂସାକାଣ୍ଡ ଘଟଣାରେ କିଷାନ ମୋର୍ଚ୍ଚାର ଆନ୍ଦୋଳନ । ଅକ୍ଟୋବର ୧୮ରେ ସାରା ଦେଶରେ ‘ରେଳ ରୋକ୍’

96

କନକ ବ୍ୟୁରୋ: ଉତ୍ତରପ୍ରଦେଶ ଲଖୀମପୁର ହିଂସାକାଣ୍ଡକୁ ନେଇ କିଷାନ ମୋର୍ଚ୍ଚା ଏବେ ଦେଶବ୍ୟାପୀ ଆନ୍ଦୋଳନର ଘୋଷଣା କରିଛି । କୃଷକ ନେତା ଜୋଗିନ୍ଦର ସିଂହଙ୍କ କହିବା ମୁତାବକ, ସରକାର ପ୍ରଦର୍ଶନକାରୀ କୃଷକଙ୍କ ବିରୋଧରେ ହିଂସାତ୍ମକ ରୂପ ଦେଖାଇଛନ୍ତି । ହେଲେ କୃଷକମାନେ କଦାପି ହିଂସା ପଥରେ ଚାଲିବେ ନାହିଁ । ଏଥିସହିତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅକୁ ତୁରନ୍ତ ଗିରଫ କରିବାକୁ ସେ ଦାବି କରିଛନ୍ତି ।

ଅନ୍ୟପଟେ କୃଷକ ନେତା ଯୋଗେନ୍ଦ୍ର ଯାଦବ ମଧ୍ୟ ତୁରନ୍ତ ଆଶିଷ ମିଶ୍ରା ଓ ତାଙ୍କ ପୁଅର ଗିରଫ ଦାବି କରିଛନ୍ତି । ନଚେତ୍ ଅକ୍ଟୋବର ୧୫ ତାରିଖ ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଆସନ୍ତା ଅକ୍ଟୋବର ୧୮ ତାରିଖରେ ସାରା ଦେଶରେ ରେଳ ରୋକ୍ କରାଯିବ ବୋଲି ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।

କୃଷକ ନେତାଙ୍କ କହିବା କଥା, ଲଖୀମପୁର ଖେରୀ ଘଟଣା ପୂର୍ବରୁ ଯୋଜନାବଦ୍ଧ ଅଟେ । କୃଷକମାନଙ୍କୁ ଆତଙ୍କିତ କରିବାକୁ ଏହି ସରକାରଙ୍କ ଏହା ଏକ ଚାଲ୍ । କୃଷକ ନେତା ଦର୍ଶନ ପାଲ କହିଛନ୍ତି, କିଷାନ ମୋର୍ଚ୍ଚା ଏହି ଘଟଣାକୁ ନେଇ ଆସନ୍ତା ଅକ୍ଟୋବର ୨୬ ତାରିଖରେ ଲକ୍ଷ୍ନୌରେ ମହାପଞ୍ଚାୟନ ଆୟୋଜନ କରିବେ । ତା ସହିତ ସେ ମଧ୍ୟ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରା ଓ ତାଙ୍କ ପୁଅର ତୁରନ୍ତ ଗିରଫ ଦାବି କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଘଟଣାରେ ଆଜି ଆଶିଷ ମିଶ୍ରା ଲକ୍ଷ୍ମୀପୁର କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇଛନ୍ତି । ତାଙ୍କୁ ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ ରହିଥିଲା । ହେଲେ ସମୟ ପୂର୍ବରୁ ଆଶିଷ ମିଶ୍ରା ଆଜି ଆସି କ୍ରାଇମବ୍ରାଞ୍ଚ ସାମ୍ନାରେ ହାଜର ହୋଇଛନ୍ତି ।

ତେବେ ଆଶିଷ ମିଶ୍ରା ଏହି ଘଟଣାରେ ସମ୍ପୃକ୍ତ ଅଛନ୍ତି ବୋଲି ତାଙ୍କ ପିତା ତଥା କେନ୍ଦ୍ରୀୟ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ସିଧା ସିଧା ମନା କରିଦେଇଛନ୍ତି । ଏହି ଘଟଣାର ଯାଞ୍ଚ ହେବା ପରେ ହିଁ ଅସଲ ଆରୋପୀ କିଏ ତାହା ସାମ୍ନାକୁ ଆସିପାରିବ ବୋଲି କୁହାଯାଉଛି । ତେବେ ମିଡିଆ ସାମ୍ନାରେ ସେ ଏହି ଘଟଣାରେ ତାଙ୍କ ପୁଅର ସମ୍ପୃକ୍ତି ନେଇ ସେ ସିଧାସିଧା ମନା କରିଦେଇଛନ୍ତି ।