କନକ ବ୍ୟୁରୋ : ସବୁ ଖବରକାଗଜରେ କୋଚିଂ ସେଣ୍ଟରର ବିଜ୍ଞାପନ ଭରି ରହିଛି । ପ୍ରତିଟି ପୃଷ୍ଟାରେ କିଛି ନା କିଛି କୋଚିଂ ସେଣ୍ଟର ସେମାନଙ୍କ ବିଜ୍ଞାପନ ଦେଉଛନ୍ତି । ଏହି ବିଜ୍ଞାପନର ଖର୍ଚ୍ଚ ସେ ଛାତ୍ର ଛାତ୍ରୀମାନଙ୍କ ଠାରୁ ଆଦାୟ କରାଯାଉଛି ଯେଉଁମାନେ ଆଇଏଏସ କିମ୍ବା ଆଇପିଏସ ହେବାର ସ୍ୱପ୍ନ ଦେଖୁଛନ୍ତି । ସିଭିଲ ସର୍ଭିସ କରିବାର ମୋହରୁ ବାହାରକୁ ଆସନ୍ତୁ, ଅନ୍ୟ କ୍ଷେତ୍ରରେ ଆକର୍ଷଣୀୟ ସୁଯୋଗ ରହିଛି । ଛାତ୍ରଛାତ୍ରୀମାନଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ । ଦିଲ୍ଲୀରେ ଆୟୋଜିତ ନ୍ୟାସନାଲ ‘ଲ’ ୟୁନିଭରସିଟିର ପିଜି ବେଂଚର ଇଣ୍ଡକ୍ସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏଭଳି କହିଛନ୍ତି ।
ସମାଚାର ପତ୍ରରେ କୋଚିଂ ସେଣ୍ଟରର ବିଜ୍ଞାପନକୁ ନଜର କରି ଉପ ରାଷ୍ଟ୍ରପତି ଶୁକ୍ରବାର ଦିନ ସିଭିଲ ସେବା ପ୍ରତି ଛାତ୍ର ଛାତ୍ରୀଙ୍କ ମୋହ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି କି, ପ୍ରତିଟି ଖବର କାଗଜରେ କୋଚିଂ ସେଣ୍ଟରଗୁଡିକର ବିଜ୍ଞାପନ ଭରପୁର ରହୁଛି । ହେଲେ କିଛି ସଫଳ ଛାତ୍ରଛାତ୍ରୀଙ୍କ ଫଟୋ ବିଭିନ୍ନ କୋଚିଂ ସେଣ୍ଟର ଦ୍ୱାରା ଛପାଯାଇ ପିଲାମାନଙ୍କୁ ଆକର୍ଷିତ କରାଯାଉଛି । ଏହି ବିଜ୍ଞାପନ ବାବଦରେ ହେଉଥିବା ଖର୍ଚ୍ଚ ସେହି ପିଲାମାନଙ୍କ ଠାରୁ ଆଦାୟ କରାଯାଉଛି ଯେଉଁମାନେ କୋଚିଂ ସେଣ୍ଟରରେ ଆଡମିଶନ ନେଉଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ଜାଣିବା ଦରକାର କି ସିଭିଲ ସର୍ଭିସ ବ୍ୟତୀତ ଦେଶରେ ଅନେକ ଗୁଡିଏ ଆକର୍ଷଣୀୟ ସର୍ଭିସ ରହିଛି । ଛାତ୍ରଛାତ୍ରୀମାନେ ସଭିଲ ସେବାରୁ ମୋହ ଭଙ୍ଗ କରି ଅନ୍ୟ କ୍ଷେତ୍ର ଉପରେ ଫୋକସ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।