କନକ ବ୍ୟୁରୋ : ଅନେକ ରହସ୍ୟରେ ଭରିରହିଛି ଆମ ଦୁନିଆ । କିଛି ରହସ୍ୟ ଏମିତି ବି ରହିଛି, ଯାହା ବାବଦରେ ବୈଜ୍ଞାନିକମାନେ ମଧ୍ୟ କିଛି ସନ୍ଧାନ କରିପାରିନାହାନ୍ତି । ଏପରିକି କିଛି ଘଟଣା ବେଳେବେଳେ ସାମ୍ନାକୁ ଆସେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦିଏ । ଆଜି ଆମେ ଆପଣଙ୍କୁ ଠିକ୍ ସେମିତି ଏକ ରହସ୍ୟ ବିଷୟରେ କହିବୁ, ଯାହା ବିଷୟରେ ଶୁଣିଲେ, ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରହସ୍ୟର ନାଁ ହେଉଛି ଡେଥ୍ ଭ୍ୟାଲି । କାହିଁକି ଏହାକୁ ନେଇ ହେଉଛି ଚର୍ଚ୍ଚା, ଆସନ୍ତୁ ଜାଣିବା ଏହି ଉପତ୍ୟାକା ବିଷୟରେ ପୂରା ତଥ୍ୟ ।
ଆମେରିକାର କାଲିଫର୍ଣ୍ଣିଆରେ ରହିଛି ଏହି ଉପତ୍ୟାକା । ଏହି ଉପତ୍ୟାକା ବିଷୟରେ କୁହାଯାଏ ଯେ, ଏଠାରେ ପଥର ଆପେ ଆପେ ଚାଲି ଚାଲି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରେ । ଆଶ୍ଚର୍ଯ୍ୟ ହୋଇଗଲେ ନା । ହୁଏତ ଆପଣଙ୍କୁ ଏହା ବିଶ୍ୱାସ ନଲାଗିପାରେ, କିନ୍ତୁ ଏହି ଘଟଣାର ପ୍ରମାଣ ବି ରହିଛି । ଯେତେବେଳେ ପଥର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଘୋଷାଡି ହୋଇ ଯାଇଥାଏ, ସେତେବେଳେ ପଥରଟି ନିଜ ଚିହ୍ନ ଛାଡିଯାଏ । ମରୁଭୂମିରେ ଗାଡିଟିଏ ଗଲେ, ଯେମିତି ଗାଡିର ଚକା ଚିହ୍ନ ରହିଥାଏ, ଏହି ପଥରର ଚିହ୍ନ ଠିକ ସେମିତି ରହିଥାଏ ।
ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେମିତି ଏଠାରେ ପଥର ଗୁଡିକ ଆପେ ଆପେ ଚାଲୁଛି, ଏହାକୁ ନେଇ ଅନେକ ରିସର୍ଚ୍ଚ ମଧ୍ୟ କରାଗଲାଣି । ଏହା ପରେ ମଧ୍ୟ ଆଜିଯାଏଁ ବୈଜ୍ଞାନିକମାନଙ୍କ ପାଇଁ ଏହି ସ୍ଥାନ ସେମିତି ରହସ୍ୟମୟ ହୋଇ ରହିଛି । କାଲିଫର୍ଣ୍ଣିଆର ଦକ୍ଷିଣ-ପୂର୍ବରେ ଥିବା ନେବାଦା ରାଜ୍ୟ ପାଖରେ ଏହି ଉପତ୍ୟାକା ରହିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୨୨୫ କିଲୋମିଟର ପରିମିତ ଅଂଚଳରେ ଏହି ସ୍ଥାନଟି ରହିଛି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସ୍ଥାନରେ ପଥର ଚାଲିବାର ଆଜି ଯାଏଁ କେହି ବି ଦେଖିନାହାନ୍ତି । କିନ୍ତୁ ଏଠାରେ ପଥରର ସ୍ଥାନ ପରିବର୍ତନ ହୋଇଥାଏ । ଅର୍ଥାତ ପଥରଟି ଯଦି ଆଜି ଗୋଟିଏ ସ୍ଥାନରେ ଅଛି, କାଲି ତାହା ଅନ୍ୟ ଏକ ସ୍ଥାନରେ ରହିଥାଏ । ଏବଂ ପଥରଟି ଘୋଷାଡି ହୋଇଯିବାର ଚିହ୍ନ ମଧ୍ୟ ରହିଥାଏ ।
ତେବେ ୧୯୭୨ରେ ଏହି ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ଚେଷ୍ଟା କରାଯାଇଥିଲା । ବୈଜ୍ଞାନିକଙ୍କ ଏକ ଟିମ୍ ଏହି ସ୍ଥାନକୁ ମଧ୍ୟ ଯାଇଥିଲେ । ଏବଂ ୭ ବର୍ଷା ଧରି ଏହି ପଥରକୁ ନେଇ ସେମାନେ ଗବେଷଣା କରିଥିଲେ । ଏହାରି ଭିତରେ ୩୧୭ କିଲୋଗ୍ରାମ ଓଜନ ବିଶିଷ୍ଟ ଏକ ପଥର ଉପରେ ବିଶେଷ ଅଧ୍ୟୟନ କରାଯାଇଥିଲା । ସେତେବେଳେ ପଥରଟି ହଲିନଥିଲା । କିନ୍ତୁ କିଛି ବର୍ଷା ପରେ, ଯେତେବେଳେ ବୈଜ୍ଞାନିକମାନେ ପୁଣି ସେହି ପଥରର ସନ୍ଧାନ କରିଥିଲେ, ସେତେବେଳେ ଏହା ୧ କିଲୋମିଟର ଦୂରରୁ ମିଳିଥିଲା । ଯାହା ବୈଜ୍ଞାନିକମାନଙ୍କୁ ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିଥିଲା । ତେବେ ଦେଶବିଦେଶରୁ ଅନେକ ପର୍ଯ୍ୟଟକ, ଏହି ସ୍ଥାନକୁ ବୁଲିବା ପାଇଁ ମଧ୍ୟ ଆସନ୍ତି ।