କନକ ବ୍ୟୁରୋ : ବେଲବାହାଳିରେ ଗଣେଶ ଭସାଣି ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପଥର ମାରି ତାଙ୍କ ଗାଡ଼ି କାଚ ଭାଙ୍ଗି ଦେଇଛନ୍ତି। ଗତକାଲି ସନ୍ଧ୍ୟାରେ ବେଲବାହାଳିରେ ଗଣେଶ ଭସାଣି ଅନୁଷ୍ଠିତ ହୋଇଥିଲା। ୧୧ଟି ମେଢ ଏକ ସାଙ୍ଗରେ ଶୋଭାଯାତ୍ରାରେ ବାହାରିଥିଲା। ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ଚାଲିଥିବା ବେଳେ କମିଟି ସଦସ୍ୟମାନେ ନୃତ୍ୟଗୀତରେ ମସଗୁଲ ଥିଲେ। ଭସାଣି ଉତ୍ସବ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ଫଳରେ ସେଠାରେ ଟ୍ରାଫିକ୍ ଜାମ୍ ହୋଇଥିଲା। ଶହଶହ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିଥିଲେ।
ସନ୍ଧ୍ୟା ପ୍ରାୟ ୮ଟାବେଳେ ଘସିପୁରା ଆଡ଼ୁ ମନ୍ତ୍ରୀ ଶ୍ରୀ ପାତ୍ର ଏକ ଧଳା ରଙ୍ଗର ଫର୍ଚୁନର କାର୍ (ଓଡି ୦୨ଏଏ ୫୮୫୭)ରେ ରାମଚନ୍ଦ୍ରପୁର ଆଡ଼କୁ ଯାଉଥିବା ବେଳେ ଟ୍ରାଫିକ୍ ଜାମରେ ଫସି ଯାଇଥିଲେ। ଦୀର୍ଘ ଏକ ଘଣ୍ଟା ଧରି ମନ୍ତ୍ରୀ ଭିଡ଼ରେ ଫସି ରହିବାପରେ ପୋଲିସକୁ ଜଣାଇଥିଲେ। ମନ୍ତ୍ରୀଙ୍କୁ ଦେଖି କିଛି ସ୍ଥାନୀୟ ଯୁବକ ନିଜ ପୁରୁଣା ରାଗ ଶୁଝାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ଗାଳିଗୁଲଜ କରିବା ସହ ଗାଡ଼ି ଉପରକୁ ଢ଼େଲା ପଥର ମାଡ଼ କରିିଥିଲେ। ପଥର ମାଡ଼ରେ ଗାଡ଼ିର କାଚ ଭାଙ୍ଗି ଯାଇଛି।
ଖବର ପାଇ ଘସିପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଲୋକଙ୍କ ଭିଡ଼କୁ ଦେଖି ମନ୍ତ୍ରୀଙ୍କ ପାଖକୁ ଯିବାକୁ ସାହସ ଜୁଟାଇ ପାରିନଥିଲା। ପରେ କିଛି ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ମନ୍ତ୍ରୀଙ୍କ ଗାଡ଼ିକୁ ରାସ୍ତା ପାର୍ କରାଯାଇଥିଲା। ସେହିପରି ଶୋଭାଯାତ୍ରା ବେଳେ ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଭିଡ଼ ଭିତରେ ଫସିଯାଇଥିଲା। କିଛି ଯୁବକ ଆମ୍ବୁଲାନ୍ସକୁ ରାସ୍ତା ପାର୍ କରିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ତେବେ ଏହାପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ସରିବାପରେ ଅଭିଯୁକ୍ତ ଧରାପଡିବ ବୋଲି ସୂଚନା କହିଛି।
Follow Us