ଜମ୍ମୁ ରାଜରାସ୍ତାରେ ଖଣ୍ଡଯୁଦ୍ଧ ! ଆତଙ୍କବାଦୀ ସେନା ମୁହାଁମୁହିଁ, ଯବାନଙ୍କ ଉପରକୁ ପଥର ଫିଙ୍ଗିଲେ ସ୍ଥାନୀୟ ଲୋକ ।

97

କନକ ବ୍ୟୁରୋ : ଜମ୍ମୁ ରାଜରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ । ବଡଗାମ ଅଂଚଳରେ ଆତଙ୍କବାଦୀ ଓ ସେନା ମୁହାଁମୁହିଁ ହୋଇଛନ୍ତି । ଗୁଳି ବିନିମୟରେ ଦୁଇ ଆତଙ୍କୀ ନିପାତ ହେବା ପରେ ଯବାନଙ୍କ ଉପରକୁ ମହିଳା ପଥରଫିଙ୍ଗାଳୀ ପଥରମାଡ଼ କରିଛନ୍ତି । ଯେଉଁଥିରେ ଗଣମାଧ୍ୟମ ଗାଡି ଉପରେ ବି ହମଲା କରାଯାଇଛି । ଜାଣନ୍ତୁ କଣ ଥିଲା ପୁରା ଘଟଣା ।

ଜମ୍ମୁକାଶ୍ମୀର ବଡଗାମରେ ସେନା ଗୁଳିରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଆରମ୍ଭ ହେଲା ପଥର ମାଡ । ସେନା ଯବାନଙ୍କ ଉପରକୁ ସ୍ଥାନୀୟ ଲୋକେ ଅନ୍ଧାଧୁନ ପଥର ମାଡ କରିଛନ୍ତି । ଆତଙ୍କବାଦୀଙ୍କ ଏହି ସମର୍ଥକମାନେ ସେନା ଗାଡି ଉପରକୁ ପ୍ରବଳ ମାତ୍ରାରେ ପଥର ମାଡ କରିଛନ୍ତି । ଏହି ପଥରଫିଙ୍ଗାଳିଙ୍କ ମଧ୍ୟରେ କିଛି ମହିଳା ଥିବା ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ମୁହଁରେ ବୁର୍ଖା ପିନ୍ଧା ଏହି ମହିଳା ମାନେ ଦୂରରେ ଥାଇ ସୁରକ୍ଷାକର୍ମୀଙ୍କ ଗାଡି ଉପରକୁ ପଥର ଫିଙ୍ଗୁଥିବାର ଦୃଶ୍ୟ ସାମନାକୁ ଆସିଛି ।

ଏହି ପଥର ମାଡରେ ଗଣମାଧ୍ୟମ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଖବର ସଂଗ୍ରହ କରିବାକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଜାତୀୟ ଗଣମାଧ୍ୟମ ଗାଡିର କାଚ ଭାଙ୍ଗି ଯାଇଛି । ଗତକାଲି ରାତିରୁ ପ୍ରଥମେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ବଡଗାମ  ଜାଗୋ ଏରିଜଲ ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ପ୍ରଥମେ ଆତଙ୍କବାଦୀଙ୍କ ପକ୍ଷରୁ ସେନା ଉପରକୁ ଗୁଳିମାଡ଼ କରାଯାଇଥିଲା । ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ ।

ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା । ଦୁଇ ମୃତ ଆତଙ୍କବାଦୀ ପାକିସ୍ତାନର ନାଗରିକ ବୋଲି ଜଣାପଡିଛି । ତେବେ ଆହୁରି ୨ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସେନା ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଥିଲା । ଗତକାଲି ରାତିରୁ ଏହି ଏନକାଉଁଟର ଚାଲିଥିଲା । ନିକଟରେ ପୁଲୱାମା ଜିଲ୍ଲା ତ୍ରାଲରେ ଏନକାଉଁଟରରେ ଜୈସ-ଏ-ମହମ୍ମଦ ମୁଖିଆ ମସୁଦ ଅଜହରର ଭଣଜା ଉସ୍ମାନ ହୈଦର ନିହତ ହୋଇଛି । ଯେଉଁଥିପାଇଁ ଆତଙ୍କବାଦୀ ଅଧିକ ସକ୍ରୀୟ ହୋଇଉଠିଛନ୍ତି ।