ପରିଚୟ ସହ ରୋଜଗାର ଦେଇଛି ମୂର୍ତ୍ତି ନିର୍ମାଣ । ୫ରୁ ୫୦ ହଜାର ପର୍ଯ୍ୟନ୍ତ ଟଙ୍କାରେ ବିକ୍ରି ହେଉଛି ମୂର୍ତ୍ତି, ସ୍ୱାବଲମ୍ବୀ ହୋଇ ଉଦାହରଣ ସାଜିଛନ୍ତି ପଥର ମୂର୍ତ୍ତି କାରିଗର ମନୋଜ ।

132

କନକ ବ୍ୟୁରୋ : ପିଲାଦିନୁ ମୂର୍ତ୍ତି ଗଢିବାର ନିଶା ତାଙ୍କୁ ସଜାଇ ଦେଲା କାରିଗର । ଏବେ ସେ ଜଣେ ସଫଳ ପଥର ମୂର୍ତ୍ତି କାରିଗର । ଏହା ତାଙ୍କୁ ସ୍ୱାବଲମ୍ବୀ କରାଇଛି  । ନିଜେ ରୋଜଗାର କରିବା ସହ ୭ରୁ ୮ଜଣଙ୍କୁ ସେ ନିଯୁକ୍ତିର ସୁଯୋଗ ମଧ୍ୟ ଦେଇଛନ୍ତି  । ଏହେଉଛି ଯାଜପୁର ଜିଲ୍ଳା ଛତିଆର ପଥର ମୂର୍ତ୍ତି  କାରିଗର ମନୋଜ ନାଥଙ୍କ କାହାଣୀ । ଏବେ ତାଙ୍କର ଏହି ମୂର୍ତି କର୍ମଶାଳା ୨୦ରୁ ୨୫ ଲକ୍ଷ ଟଙ୍କାରେ ପହଞ୍ଚିଥିବା ବେଳେ ୭ରୁ ୮ଜଣ ମୂର୍ତ୍ତି  କାରିଗରଙ୍କୁ ମିଳିଛି ରୋଜଗାରର ସୁଯୋଗ  । ମନୋଜଙ୍କ ଏହି କର୍ମଶାଳାରେ ଗୋଟିଏ ଗୋଟିଏ ମୂର୍ତ୍ତି ୫ହଜାରରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଏହାର ଯଥେଷ୍ଟ ବଜାର ଚାହିଦା ବି ରହିଛି ।

ବଡଚଣା ବ୍ଲକ ଛତିଆ ଇଛାନଗର ପାଟଣା ଗାଁର ଅଭିରାମ ନାଥଙ୍କ ପୁଅ ମନୋଜ କୁମାର ନାଥ । ପିଲାଦିନୁ ମୂର୍ତ୍ତି ତିଆରି କରିବାରେ ଥିଲା ତାଙ୍କ ପ୍ରବଳ ଆଗ୍ରହ । ସ୍କୁଲରେ ପାଠ ପଢିବା ସମୟରୁ ମୂର୍ତ୍ତି ତିଆରି କରି ଘର ଲୋକ ଓ ସାଙ୍ଗ ସାଥିଙ୍କୁ ଦେଖାଉଥିଲେ । ଆଉ ତାଙ୍କର ଏହି ଆଗ୍ରହ ତାଙ୍କୁ ପାଠପଢାରେ ଡୋରୀ ବାନ୍ଧିବାକୁ ବାଧ୍ୟ କରିଲା । ମାତ୍ର ୧୧ବର୍ଷ ବୟସରୁ ପଥର ମୂର୍ତ୍ତି କାରିଗରୀ ଶିଖିବା ପାଇଁ ଛତିଆର ପ୍ରତିଷ୍ଠିତ ରାଷ୍ଟ୍ର୍ରପତି ପୁରସ୍କାରପ୍ରାପ୍ତ ପଥର ଶିଳ୍ପୀ ମହେଶ୍ୱର ଓଝାଙ୍କ ନିକଟକୁ ଚାଲି ଆସିଥିଲେ । ଆଉ ଏଇଠୁ ବଦଳି ଯାଇଥିଲା ତାଙ୍କ ଜୀବନର ଗତିପଥ । ଏବେ ସେ ତିଆରି କରୁଛନ୍ତି ଭଳିକି ଭଳି ଭଙ୍ଗୀର ପଥର ମୂର୍ତ୍ତି  । ମୂର୍ତ୍ତି ଗୁଡିକରେ ହୋଇଥିବା ନିଖୁଣ କାରିଗରିକୁ ଦେଖିଲେ ମନୋଜ ଓ ତାଙ୍କର ସହକର୍ମୀମାନେ ଏହି କାମରେ କେତେ ଦକ୍ଷ ତାହା ସହଜରେ ଅନୁମାନ କରିହୁଏ ।

ମହେଶ୍ୱରଙ୍କଠାରୁ ପଥର କାରିଗରୀ ଶିଖିବା ପରେ ନିଜସ୍ୱ ଉଦ୍ୟମରେ ଛୋଟିଆ କର୍ମଶାଳାଟିଏ ଆରମ୍ଭ କରିଥିଲେ ମନୋଜ । ନିଜର ସ୍ୱଳ୍ପ ସମ୍ବଳରେ ମନୋଜ ଆରମ୍ଭ କରିଥିବା ତାଙ୍କର କର୍ମଶାଳାରେ ପ୍ରସ୍ତୁତ କରିଥିବା ମୂର୍ତ୍ତିର ଚାହିଦା ବଢିବା ସହ ତାଙ୍କର ରୋଜଗାର ମଧ୍ୟ ବଢିବାରେ ଲାଗିଲା । ଏବେ ତାଙ୍କର ଏହି ମୂର୍ତ୍ତି  କର୍ମଶାଳାଟି ୨୦ରୁ ୨୫ଲକ୍ଷଟଙ୍କାରେ ପହଂଚିଥିବା ବେଳେ ସେ ୭ରୁ ୮ଜଣ କୁଶଳୀ ମୂର୍ତ୍ତି କାରିଗରଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇପାରିଛନ୍ତି । ମନୋଜଙ୍କ ଏହି କର୍ମଶାଳାରେ ଗୋଟିଏ ଗୋଟିଏ ମୂର୍ତ୍ତି ୫ହଜାରରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରହିଥିବା ବେଳେ ଏହାର ଯଥେଷ୍ଟ ବଜାର ଚାହିଦା ବି ରହିଛି । ମନୋଜ ପ୍ରସ୍ତୁତ କରୁଥିବା ମୁଗୁନି ପଥରର ମୂର୍ତ୍ତିଗୁଡିକ ଅଢେଇ ହଜାରରୁ ୨୫ହଜାର ଟଙ୍କାରେ ବିକ୍ରି ହୋଇଥାଏ । ମାତ୍ର ଏବେ ଏହି ପଥର ବ୍ୟବସାୟରେ ବାଧକ ସାଜିଛି କଂଚାମାଲ । ମୂର୍ତ୍ତିପାଇଁ ଆବଶ୍ୟକୀୟ ପଥର ଚଢା ଦରରେ କିଣିବାକୁ ପଡୁଥିବାରୁ ଏହାର ଦର ମଧ୍ୟ ବଢିଛି । ଅନ୍ୟପଟେ ମନୋଜ କଳିଙ୍ଗନଗର ଶିଳ୍ପକେନ୍ଦ୍ର ପକ୍ଷରୁ ତାଲିମ ନେଇ ନିଜେ ମାସିକ ପନ୍ଦର ହଜାର ଟଙ୍କା ପାରିଶ୍ରମିକ ପାଉଥିବା ବେଳେ ଏଠାରେ ମଧ୍ୟ ୧୫ଜଣ ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ରାଜ୍ୟ ସରକାର ଏହି ପଥର କାରିଗରୀକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ କଂଚାମାଲର ସୁବିଧା କରିବା ସହ ବଜାର ଚାହିଦା ସୃଷ୍ଟି ଦିଗରେ ଧ୍ୟାନ ଦେଲେ ମନୋଜଙ୍କ ପରି ଅନେକ ଶିଳ୍ପୀଙ୍କ ମୁହଁରେ ହସ ଫୁଟିପାରନ୍ତା ।