ନାଗରିକତା ଆଇନକୁ ବିରୋଧ କରିବା କହ୍ନେୟାଙ୍କୁ ପଡିଲା ମହଙ୍ଗା । ରାଲି ଅଧାରେ ହେଲା ପଥରମାଡ, ପ୍ରାଣ ବିକଳରେ ପଳାଇଲେ କହ୍ନେୟା ।

978

କନକ ବ୍ୟୁରୋ : ସିପିଆଇ ନେତା ତଥା ଜେଏନୟୁ ଛାତ୍ରସଂଘର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କ ଉପରେ ଆଜି ଆଉ ଥରେ ମାଡ଼ ହୋଇଛି । ସେ ଆଜି ବିହାରର ବକ୍ସରରୁ ଆରାକୁ ଯାଉଥିବାବେଳେ ତାଙ୍କ ଉପରକୁ ଉତ୍ତ୍ୟକ୍ତ ଜନତା ପଥରମାଡ଼ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ କହ୍ନୈୟା ପ୍ରାଣ ବିକଳରେ ପଳାଇଯାଇଥିଲେ ।

ନାଗରିକତା ଆଇନକୁ ସେ ବିରୋଧ କରୁଥିବାରୁ ତାଙ୍କ ଉପରେ ଏହି ପଥରମାଡ଼ ହୋଇଛି । ଏହି ଆଇନକୁ ବିରୋଧ କରି ସେ ଆଜି ବକ୍ସରରେ ଏକ ସଭା କରିବା ସହ ଆରାକୁ ଏକ ବାଇକ ରାଲିରେ ଯାଉଥିଲେ । ବକ୍ସରଠାରେ ତାଙ୍କୁ କଳାପତାକା ଦେଖାଯାଇଥିଲା । ସେହିପରି ବାଇକ ରାଲିବେଳେ ତାଙ୍କ ଉପରେ ପଥର ମାଡ଼ ହୋଇଥିଲା । ଏହି ପଥର ମାଡ଼ରେ ତାଙ୍କ ସହିତ ଥିବା କେତେକ ବାଇକ ଚାଳକ ପଡ଼ିଯାଇ ଆହତ ହୋଇଥିବା ଖବର ମିଳଛି ।

ସୂଚନାଯୋଗ୍ୟ ଯେ ଭାରତର ନାଗରିକତା ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ । ଆଉ ଏହି ଆଇନକୁ ନେଇ ଏବେ ପୂରା ଦେଶରେ ବିରୋଧରେ ସ୍ୱର ଉଠିଛି ।