ଦାଦନ ମୁହାଁ ପଥର ଶିଳ୍ପୀ । ନୀର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ସାଜିଛନ୍ତି ଦାଦନ ।

85

କନକ ବ୍ୟୁରୋ : ଦାଦନ ମୁହାଁ ପଥର ଶିଳ୍ପୀ । ନୀର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଦାଦନ ସାଜିଛନ୍ତି । କରୋନା କାଳରେ ବ୍ୟବସାୟ ନଥିବାରୁ କୌଳିକ ବୃତି ଛାଡି ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଶିଳ୍ପୀ ।
କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଅଛି ପଥର ଶିଳ୍ପି ଗାଁ କନ୍ଦାଗଡ । ପଥର କଳା ପାଇଁ ଗାଁର ସ୍ୱତନ୍ତ୍ର ପରିଚୟରହିଛି ।

ଏଠାକାର କାରିଗରଙ୍କ ହାତରେ ତିଆରି ପଥର ନିର୍ମିତ ମୁର୍ତ୍ତି ସବୁ କଥା କୁହେ । ହେଲେ ବର୍ତ୍ତମାନ ମହାମରି ଏମାନଙ୍କ ଠାରୁ ବୃତ୍ତି ଛଡାଇ ନେଇଛି। ବେପାର ନଥିବାରୁ ପଥର ଶିଳ୍ପି ବାଧ୍ୟ ହୋଇ ଚେନ୍ନାଇ-ବାଙ୍ଗଲୋର ଦାଦନ ଖଟି ଯାଇଥିବା ବେଳେ କେତେ ଜଣ ଏବେ ଗାଇ ଜଗୁଆଳି ସାଜିଛନ୍ତି ।

୧୯୮୫ ମସିହାରୁ ଏହି ଗାଁରେ ପଥର ଶିଳ୍ପର ଆରମ୍ଭ । କାଳକ୍ରମେ ବର୍ତ୍ତମାନର ପିଢି ଏହି କଳାକୁ ଆପଣାଇ ବେଶ ପ୍ରସିଦ୍ଧି ଲାଭ କରିଛି । ପଥର ଶିଳ୍ପକୁ ନେଇ ଅନେକ ସ୍ୱପ୍ନ ଦେଖିଥିବା କାରିଗରମାନେ ବାଧ୍ୟ ବାଧକତାରେ ଦାଦନ ଖଟି ଯାଉଛନ୍ତି । ଘରର ରୋଜଗାରିଆ ପୁଅ ଦାଦନ ଖଟି ଯାଇଥିବା ବେଳେ ଘର ଜଗିଛନ୍ତି ବୃଦ୍ଧ ବାପା ମା। ଗାଁରେ ହାତ ଗଣତି କିଛି ଲୋକ ଗାଁରେ ଅନ୍ୟ କୌଣସି କାମ ଧନ୍ଦା ନଥିବାରୁ ବର୍ତ୍ତମାନ ମଧ୍ୟ ପଥର ମୁର୍ତ୍ତି କାମରେ ଲାଗିଛନ୍ତି ।

କରୋନୋ ଅନେକ ଲୋକଙ୍କ କୁଳ ବେଉସା ଛଡାଇ ନେଇଥିବା ବେଳେ ପଥର ଶିଳ୍ପ ପାଇଁ ପ୍ରସିଦ୍ଧ ଲାଭ କରିଥିବା କନ୍ଦାଗଡର ପଥର ଶିଳ୍ପୀ ନିଜ ମୂଳ ବେଉସାକୁ ଛାଡି ଦାଦନ ମୁହାଁ ହୋଇଛନ୍ତି ।