ପଥରଶିଳ୍ପୀଙ୍କ ଗାଁ କନ୍ଦାଗଡ । ପିଢୀପିଢୀ ଧରି ପଥର ଖୋଦେଇ କରି ପାଇଛନ୍ତି ପରିଚୟ । ହେଲେ କରୋନା ସାଜିଲା ଦାଉ

71

କନକ ବ୍ୟୁରୋ : ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଏବେ ଦାଦନ ମୁହାଁ । କରୋନା କାଳରେ ଲକଡାଉନ ଯୋଗୁଁ ବ୍ୟବସାୟ ମାନ୍ଦା ପଡ଼ି ଯାଇଥିବାରୁ କେମିତି ପରିବାର ଚଳାଇବେ ଏହି ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା କନ୍ଦାଗଡ଼ ଗାଁର ପଥର ଶିଳ୍ପୀ । ଅନ୍ୟ କିଛି ଉପାୟ ନଥିବାରୁ ବାଧ୍ୟ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି ।

କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ କନ୍ଦାଗଡ଼ ଗାଁ । ପଥର ଶିଳ୍ପୀର ଗାଁ କନ୍ଦାଗଡ଼, ପଥର କଳା ପାଇଁ ଏହି ଗାଁର ରହିଛି ସ୍ୱତନ୍ତ୍ର ପରିଚିତି । ଆଦିବାସୀ କାରିଗରଙ୍କ ହାତରେ ପଥରର ମୂର୍ତି ସବୁ କଥା କହୁଥିଲା । କରୋନା ମହାମାରୀ ଯୋଗୁଁ ତାଲାବନ୍ଦ କଟକଣା ଲାଗିବା ପରେ ବଦଳି ଯାଇଥିଲା ସ୍ଥିତି । ବ୍ୟବସାୟ ମାନ୍ଦା ପଡିବାରୁ ଏହି ବୃତିରୁ ପରିବାର ଚଳାଇବା ମୁସ୍କିଲ ହୋଇ ପଡ଼ିଛି । ଏବେ ବାଧ୍ୟ ହୋଇ ଚେନ୍ନାଇ, ବେଙ୍ଗାଲୁରୁକୁ ଅନେକ ପଥର ଶିଳ୍ପୀ ଦାଦନ ଖଟିବାକୁ ଯାଇଥିବା ବେଳେ କିଛି ଏବେ ଗାଈ ଜଗୁଆଳି ।

୧୯୮୫ ମସିହାରୁ ଏହି ଗାଁର ବାସିନ୍ଦା ପଥର ଶିଳ୍ପକୁ ଆଦରି ନେଇଥିଲେ । କାଳକ୍ରମେ ଆଦିବାସୀ ଶିଳ୍ପୀଙ୍କ ହାତକାମ ବେଶ ଆଦୃତ ହୋଇଥିଲା । ଗାଁ ଥିଲା ଚଳଚଂଚଳ, ଏବେ କିନ୍ତୁ ଚାରିଆଡେ ଖାଁ ଖାଁ । ହାତଗଣତି କିଛି ଲୋକ ମୂର୍ତି ଗଢ଼ା କାର୍ଯ୍ୟରେ ଲାଗିଛନ୍ତି । ଅନେକ ପରିବାର ରୋଜଗାରିଆ ପୁଅ ବାହାର ରାଜ୍ୟକୁ ଯାଇଛନ୍ତି, ଘର ଜଗିଛନ୍ତି ବୃଦ୍ଧ ବାପା ମାଆ ।