ପଥର କଳାରେ ସୁନ୍ଦର ସୁନ୍ଦର କଳାକୃତି । ରାଧକୃଷ୍ଣ, ଗଣେଶ, ବୁଦ୍ଧ, ହନୁମାନ ଭଳି ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୂର୍ତି ତିଆରି କରୁଛନ୍ତି ଖୋର୍ଦ୍ଧାର ଶିଳ୍ପୀ ମଳୟ ପାଇକରାୟ

104

କନକ ବ୍ୟୁରୋ : କୁହାଯାଏ ଗୋଟିଏ ଚିତ୍ର ଶହେଟି ଶଦ୍ଦର କଥାକୁଏ । କଳାକାରଙ୍କ ନିଖୁଣ କଳାରେ ପଥର ମୂର୍ତି ବି ଜୀବନ୍ତ ଦିଶିଥାଏ । ବିଶାଳକାୟ ପଥର ଖଣ୍ଡକୁ ସୁନ୍ଦର ସୁନ୍ଦର ମୂର୍ତ୍ତିର ରୂପ ଦେବା କେବଳ କାରିଗରଙ୍କ ଦ୍ୱାରା ହିଁ ସମ୍ଭବ ହୋଇଥାଏ । ପଥର ଦେହରେ ନିହଣର ଠକ୍ ଠକ୍ ଶଦ୍ଦ ଆଉ କାରୀଗରଙ୍କ ଯାଦୁଗରୀ ସ୍ପର୍ଶରେ ତିଆରି ହେଉଛି ପ୍ରତିମୂର୍ତ୍ତି । ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ଗାଁରେ ଥିବା ମୃତି ଗଢ଼ା ଶାଳର । ନରଣଗଡ଼ ଅଂଚଳର ପଥର କାରିଗର ମଳୟ ପାଇକରାୟ ପ୍ରାୟ ୨୦ ବର୍ଷ ହେଲା ଏହି କାମ କରିଆସୁଛନ୍ତି । ସରକାରୀ ରାଜ୍ୟ ହସ୍ତଶିଳ୍ପ ତାଲିମ ବିକାଶ କେନ୍ଦ୍ରରେ ୪ ବର୍ଷିୟ କୋର୍ସ କରିବା ପରେ ଏହାକୁ ନିଜର ଜୀବିକା ଭାବେ ଗ୍ରହଣ କରିଛନ୍ତି । ଏହାସହ ସ୍ଥାନୀୟ ଅଂଚଳର ୮ରୁ ୧୦ ଜଣ ଏହି କାମକୁ ନେଇ ତାଙ୍କ ଜୀବିକା ନିର୍ବାହ କରୁଛନ୍ତି । ସ୍ଥାନୀୟ ବଜାର ସହ ବିଭିନ୍ନ ମନ୍ଦିର ଏବଂ ଅନୁଷ୍ଠାନରେ ଏହି ପ୍ରତିମୂର୍ତି ଲାଗୁଛି । ବିଭିନ୍ନ ପ୍ରଦର୍ଶନୀ ମେଳାରେ ରାଜ୍ୟ ବାହାରକୁ ଯାଇ ବିକ୍ରି କରୁଛନ୍ତି କାରିଗର । ଏହି ପଥର କଳାରେ ସେ ସମାଜକୁ ସୁନ୍ଦର ସୁନ୍ଦର ବାର୍ତା ମଧ୍ୟ ଦେଉଛନ୍ତି । ପିମ୍ପୁଡ଼ି ଛୋଟ ଜୀବ ହେଲେ ବି ସେ କିପରି ଭବିଷ୍ୟତ ପାଇଁ ତାର ଖାଦ୍ୟ ସଂଗ୍ରହ କରେ ତାହା ପ୍ରତିମୂର୍ତିରେ ପ୍ରଦର୍ଶିତ କରିଛନ୍ତି ।

ରାଧକୃଷ୍ଣ, ଗଣେଶ, ବୁଦ୍ଧ, ହନୁମାନ, ଶିବଙ୍କ ଭଳି ଦେବାଦେବୀଙ୍କ ପ୍ରତିମୂର୍ତି ନିର୍ମାଣ କରୁଛନ୍ତି ଏହି କୁଶଳି କାରିଗର । ଏହା ସହ ସାରୁ ଗଛମୂଳେ ବେଙ୍ଗ ବେଙ୍ଗୁଲୀ, ହାତୀ, ଘୋଡ଼ା ମଧ୍ୟ ପଥରେ ଖୋଦେଇ କରି ତିଆରି କରୁଛନ୍ତି । ବଜାରରେ ଦିନକୁ ଦିନ ଏହି ପଥର ମୂର୍ତିର ଚାହିଦା ବଢ଼ୁଛି । ମୂର୍ତି ଗଢିବା ପରେ ବିଭିନ୍ନ ସହରରେ ଏହାକୁ ବିକ୍ରି କରାଯାଉଛି । ଅନେକ ସମୟରେ ଲୋକମାନେ ଏଠାକୁ ଆସି ଅର୍ଡର ଦେଇ ମୂର୍ତି କିଣିଛନ୍ତି । ଛୋଟ ମୂର୍ତି ଠାରୁ ଆରମ୍ଭ କରି ୫ରୁ ୭ ଫୁଟ୍ ପର୍ଯ୍ୟନ୍ତ ମୂର୍ତି ଗଢ଼ି ଗ୍ରାହକଙ୍କୁ ବିକ୍ରି କରୁଛନ୍ତି କାରିଗର । ରାଜ୍ୟ ତଥା ଦେଶ ବିଦେଶରେ ବି ମୂର୍ତି କଳାର ପ୍ରସିଦ୍ଧି ରହିଛି ।

ବାହାର ଦେଶରେ ଏହାର ଚାହିଦା ରହିଥିଲେ ମଧ୍ୟ ବିକ୍ର କରିବାର ସୁଯୋଗ ନଥିବାରୁ ବ୍ୟବସାୟରେ ଉନ୍ନତି ଆସିପାରୁନଥିବା କହିଛନ୍ତି କାରିଗର । ବିକ୍ରିବଟା ପାଇଁ ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳିଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି କାରିଗର ମାନେ କହିଛନ୍ତି ।