ଉଛୁଳିଲା ସେୟାର ମାର୍କେଟ: ସାଢ଼େ ୧୨ ଲକ୍ଷ କୋଟି ବଢ଼ିଲା ନିବେଶକଙ୍କ ସମ୍ପତ୍ତି

1,506

କନକ ବ୍ୟୁରୋ: ଏଗଜିଟ୍ ପୋଲ ପୂର୍ବାନୁମାନ ପରେ ସେୟାର ମାର୍କେଟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ଗଣତିର ଦିନକ ପୂର୍ବରୁ ରକେଟ ଭଳି ଉପରକୁ ଉଠିଛି ବଜାର । ୩ ପ୍ରତିଶତ ବଢ଼ିଲା ନିଫ୍ଟି ଓ ସେନସେକ୍ସ । ବ୍ୟାଙ୍କ ନିଫ୍ଟି ୫୧ ହଜାର ପାଖାପାଖି ପହଁଚିଯାଇଛି । ସାଢ଼େ ୧୨ ଲକ୍ଷ କୋଟି ବଢ଼ିଛି ନିବେଶକଙ୍କ ସଂପତି ।

ପାଖାପାଖି ୩ ମାସ ଧରି ସେୟାର ବଜାର କେତେବେଳେ ଉଠୁଥିଲା, ତ କେତେବେଳେ ପଡୁଥିଲା । ତେବେ ଆଜି ରକେଟ୍ ଭଳି ଉପରକୁ ଉଠିଛି ସେୟାର ମାର୍କେଟ । ଟ୍ରେଡିଂ ଆରମ୍ଭ ହେବା ମାତ୍ରେ ଗୋଟିଏ ପରେ ଗୋଟିଏ ରେଂଜ ଭାଙ୍ଗି ଆକାଶଛୁଆଁ ହୋଇ ଯାଇଥିଲା ବଜାର ।

୨୩,୨୫୦ ହଜାର ଟପିଲା ନିଫ୍ଟି
୨୫ଶହ ପଏଂଟ ଉପରକୁ ଉଠିଲା ସେନ୍ସେକ୍ସ
୫୧ ହଜାର ପାଖାପାଖି ପହଁଚିଲା ବ୍ୟାଙ୍କ ନିଫ୍ଟି
କାହିଁକି ସେୟାର ମାର୍କେଟରେ ବଢ଼ିଲା ଉତ୍ସାହ?

ଗୋଟିଏ ପଟେ ଜିଡିପି ଅଭିବୃଦ୍ଧି ୮.୨ ପ୍ରତିଶତ ଓ ଅନ୍ୟପଟେ ଏଗଜିଟ୍ ପୋଲ ଆକଳନ, ବଜାରର ଉତ୍ସାହକୁ ବଢ଼ାଇ ଦେଇଥିଲା । ତୃତୀୟ ଥର ମୋଦୀ ସରକାର ଗଢ଼ିବା ନେଇ ବୁଥ ବାହୁଡ଼ା ମତ ଆସିବା ପରେ କର୍ପୋରେଟ୍ ଜଗତ ଏହାକୁ ସ୍ୱାଗତ କରିଥିଲା । କେବଳ ଆଇଟି ସେକ୍ଟରକୁ ଛାଡ଼ି ଉପରମୁହାଁ ହୋଇଥିଲା ଅଧିକାଂଶ ଷ୍ଟକ୍ ।

ନିର୍ବାଚନ ଓ ଦେଶର ଆର୍ଥିକ ଅଭିବୃଦ୍ଧିକୁ ନେଇ ସେୟାର ବଜାର ସକରାତ୍ମକ ସଂକେତ ଦେଇଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ବଜାର ବିଶେଷଜ୍ଞ । ସେମାନଙ୍କ କହିବା କଥା, ଆଗକୁ ଉଭୟ ଘରୋଇ ଓ ବିଦେଶୀ ନିବେଶକଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ।

ଆସନ୍ତାକାଲି ଆସବ ନିର୍ବାଚନ ଫଳାଫଳ । ତେଣୁ କାଲିର ମାର୍କେଟ ଉପରେ ରହିଛି ସମସ୍ତଙ୍କ ନଜର । ଯଦି ମୋଦୀ ସରକାର ନେଇ ସ୍ପଷ୍ଟ ମତ ଆସିବ, ତାହା ସେୟାର ବଜାରକୁ ପ୍ରଭାବିତ କରିବ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।