କନକ ବ୍ୟୁରୋ: ତିନି ରାଜ୍ୟରେ ବିଜେପିର ବିଜୟ ଉପରେ ସେୟାର ବଜାରରେ ପ୍ରବଳ ଉତ୍ସାହ । ସପ୍ତାହର ପ୍ରଥମ ଦିନରେ ଷ୍ଟକ୍ ମାର୍କେଟ୍ ରେକର୍ଡ ଉଚ୍ଚା ରହିଛି । ବଜାର ଖୋଲିବା ସହିତ ସେନସେକ୍ସ ଏବଂ ନିଫ୍ଟି ସେମାନଙ୍କର ସର୍ବକାଳୀନ ରେକର୍ଡ ଉଚ୍ଚରେ ଖୋଲିଛି । ବିଏସଏ ସେନସେକ୍ସ ୧,୦୪୯.୩୧ କିମ୍ବା ୧.୫୫ ପ୍ରତିଶତ ଲାଭ ସହିତ ୬୮,୫୩୦.୫୦ ପଏଂଟରେ ଏବଂ ନିଫ୍ଟି ୩୧୬.୭୦ ପଏଂଟ କିମ୍ବା ୧.୫୬ ପ୍ରତିଶତ ବୃଦ୍ଧି ସହିତ ୨୦,୫୮୪.୬୦ ପଏଂଟରେ ଖୋଲିଛି । ସେହିପରି ନିଫ୍ଟିରେ ଆଦାନୀ ଏଂଟରପ୍ରାଇଜେସ୍ ଏବଂ ଆଦାନୀ ବନ୍ଦରର ସେୟାର ୪-୭% ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ, ବଜାର ଖୋଲିବାର ୧୫ ମିନିଟ ମଧ୍ୟରେ ବିଏସଇ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରିଛି । ସୋମବାର ଷ୍ଟକ୍ ମାର୍କେଟ ଖୋଲିବାର ୧୫ ମିନିଟ୍ ମଧ୍ୟରେ, ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ମାର୍କେଟ କ୍ୟାପ୍ ୪ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୩୪୧.୭୬ ଲକ୍ଷ କୋଟିରେ ପହଂଚିଛି । ଅର୍ଥାତ୍ ବଜାର ଖୋଲିବାର ୧୫ ମିନିଟ୍ ମଧ୍ୟରେ ବିଏସ୍ଇ ୪ ଲକ୍ଷ କୋଟି ଟଙ୍କା ରୋଜଗାର କରିଛି । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ୪ ଟି ରାଜ୍ୟର ନିର୍ବାଚନ ଫଳାଫଳ ଯୋଗୁଁ ବଜାରରେ ସକରାତ୍ମକ ପ୍ରତିକ୍ରିୟା ଦେଖାଯାଉଛି ।