ସେୟାର ବଜାରର ସର୍ବକାଳୀନ ରେକର୍ଡ: ବିଜେପିର ବିଜୟ ପରେ ଉତ୍ସାହ!

89

କନକ ବ୍ୟୁରୋ: ୩ ରାଜ୍ୟରେ ବିଜେପିର ବିଜୟ. ପରେ ସେୟାର ମାେର୍କେଟରେ ଉତ୍ସାହ । ବିଏସଇ ସେନସେକ୍ସ ରେକର୍ଡ ଛୁଇଁଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କରେ ୪୩୧ ପଏଂଟ ବୃଦ୍ଧି ଘଟି ୬୯ ହଜାର ୨୯୬ ପଏଂଟରେ ବନ୍ଦ ହୋଇଛି । ଆଉ ଏହା ନିବେଶକଙ୍କୁ ଖୁସି ଆଣିଦେଇଛି । ସୁନା ଦର ମଧ୍ୟ ୧୦ଗ୍ରାମ ପିଚ୍ଛା ୭ ଶହ ଟଙ୍କା ବଢିଛି ।

ଲଗାତର ୬ଟି ବ୍ୟବସାୟିକ ଦିବସରେ ସେୟାର ମାର୍କେଟରେ ଉତ୍ସାହ ଲାଗିରହିଛି । କୁହାଯାଉଛି ଭାବାବେଗ ସହ ଜଡିତ ସେୟାର ବଜାର । ଏବଂ ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ଦମଦାର ପ୍ରଦର୍ଶନ ପରେ ଭାରତୀୟ ସେୟାର ବଜାର ଏଭଳି ଉପରମୁହାଁ ହୋଇଛି । ଯାହା ନିବେଶକଙ୍କୁ ଖୁସି କରିଦେଇଛି ।

ଉପରମୁହାଁ ସେୟାର ବଜାର
– ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ସେନସେକ୍ସରେ ୪୩୧ ପଏଂଟ ବୃଦ୍ଧି
– ୬୯ ହଜାର ୨୯୬ ପଏଂଟରେ ବନ୍ଦ ହେଲା ବିଏସଇ ସେନସେକ୍ସ
– ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ନିଫ୍ଟିରେ ମଧ୍ୟ ୧୬୮ ପଏଂଟ ବୃଦ୍ଧି
– ୨୦ ହଜାର ୮୫୫ରେ ବନ୍ଦ ହେଲା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ
– ବିଏସଇ ଲିଷ୍ଟେଡ୍ କମ୍ପାନିଙ୍କ କାରବାର ସାଢେ ୩ଲକ୍ଷ କୋଟି ପାର କରିଯାଇଛି

ପାୱାର ଗ୍ରୀଡ୍, ଏନଟିପିସି, ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଇଟନ୍ ଓ ମାରୁତୀ ଭଳି କମ୍ପାନିର ସେୟାର ମୂଲ୍ୟ ବୃଦ୍ଧି ହୋଇଥିବାବେଳେ ହିନ୍ଦୁସ୍ତାନ ୟୁନିଲିଭର, ଏଚସିଏଲ ଟେକ୍, ବଜାଜ ଫାଇନାନ୍ସର ସେୟାର ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି । ଆଦାନୀ-ହିଣ୍ଡେନବର୍ଗ ମାମଲାରେ ନିକଟରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏହି ସମୟରେ ହିଣ୍ଡେନବର୍ଗ ରିପୋର୍ଟର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ କୋର୍ଟ । ଏହାପରଠୁ ଆଦାନୀ ସେୟାରରେ ଉତ୍ସାହ ଜାରି ରହିଛି ।

ଏପଟେ ଡିସେମ୍ବର ମାସରେ ବିବାହ ଋତୁ ହୋଇଥିବାରୁ ସୁନା ଦର ମଧ୍ୟ ମହଙ୍ଗା ହୋଇଛି । ସୋମବାର ସୁନା ଦର ୧୦ ଗ୍ରାମ ପିଛା ୭୦୦ ଟଙ୍କା ମହଙ୍ଗା ହୋଇ ୬୫ ହଜାର ୫୦୦ ଟଙ୍କା ରହିଥିଲା । ଚଳିତ ମାସରେ ସୁନାର ଅଧିକ ଚାହିଦା ଯୋଗୁଁ ଆହୁରି ମହଙ୍ଗା ହେବା ଆକଳନ କରିଛନ୍ତି ବଜାର ବିଶେଷଜ୍ଞ ।