୯/୧୧ ଆକ୍ରମଣକୁ ୨୦ ବର୍ଷ : ଆମେରିକା ଇତିହାସରେ ଘଟିଥିଲା ସବୁଠୁ ଦୁଃଖଦ ଘଟଣା

141

କନକ ବ୍ୟୁରୋ : ଆଜିଠାରୁ ଠିକ୍ ୨୦ ବର୍ଷ ତଳେ ଆମେରିକା ଇତିହାସରେ ଘଟିଥିଲା ସବୁଠୁ ଦୁଃଖଦ ଘଟଣା । ସେଦିନର ଦୁଃଖ ଆଜି ବି ଆମେରିକାବାସୀଙ୍କ ମନରୁ ଲିଭିନି । ଅଲକାଏଦା ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଥିଲା ବିଶ୍ୱର ସବୁ ଶକ୍ତିଶାଳୀ ଦେଶ । ସମସ୍ତ ସୁରକ୍ଷା ବଳୟକୁ ଭେଦ କରି ୧୧୦ ମହଲା ବିଶିଷ୍ଟ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଉପରେ ବିମାନ ମାଡ କରିଧ୍ୱଂସ କରିଦେଇଥିଲେ ଆତଙ୍କବାଦୀ । ଏଥିରେ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ୨୫ ହଜାର ଲୋକ ଆହତ ହୋଇଥିଲେ । ୧୦ ବିଲୟନ ଡଲାର ମୂଲ୍ୟର ସମ୍ପତି ନଷ୍ଟ ହୋଇଥିଲା । ଏହି ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆମେରିକା ଆତଙ୍କବାଦ ନିପାତ ଅଭିଯାନ ଆରମ୍ଭ କରିଥିଲା ।

ଅଲକାଏଦା ମୁଖ୍ୟ ଓସମା-ବିନ୍-ଲାଡେନ୍ ଆଫଗାନିସ୍ତାନ ମାଟିରେ ରହି ଆତଙ୍କ ରଚିଥିବାରୁ ତକ୍ରାଳିନ ତାଲିବାନ ସରକାରକୁ ଟାର୍ଗେଟ କରିଥିଲା ଆମେରିକା । ଆଉ ଆଫଗାନିସ୍ତାନରୁ ତାଲିବାନକୁ ତଡିପାର କରିବାରେ ଆମେରିକା ସକ୍ଷମ ହୋଇଥିଲା । ଆଫଗାନିସ୍ତାନରେ ଗଣତନ୍ତ୍ର ସ୍ଥାପନ ହୋଇଥିଲା । ଆକ୍ରମଣ ଘଟାଇଥିବା ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ଖୋଜି ଖୋଜି ପାକିସ୍ତାନ-ସୀମାବର୍ତ୍ତୀ ଅଂଚଳ ଆବୋଟାବାଦରେ ୨୦୧୧ରେ ମାରିଥିଲା ଆମେରିକା । ତାଲିବାନୀ ଶାସନ ଯିବା ପରେ ଆମେରିକା, ନାଟୋ ରାଷ୍ଟ୍ର ଓ ଭାରତ ଭଳି ଦେଶର ସହାୟତାରେ ବିକାଶ ଦିଗରେ ଆଗେଇ ଚାଲିଥିଲା ଆଫାଗାନିସ୍ତାନ । ମହିଳାମାନଙ୍କୁ ପୁରୁଷଙ୍କ ଭଳି ସମାନ ଅଧିକାର ମିଳିଥିଲା । ପାଠ ପଢ଼ିବା ସହ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇଥିଲେ ।

ହେଲେ ଏବେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ଚାଲିଯିବା ପରେ ସେଠାକାର ସ୍ଥିତି ପୁଣି ୨୦ ବର୍ଷ ତଳକୁ ଫେରିଯାଇଛି । ଯେଉଁ ତାଲିବାନକୁ ଆମେରିକା ତଡିପାର କରିଥିଲା ଏବେ ସେହି ତାଲିବାନୀମାନେ ଆଫଗାନିସ୍ତାନକୁ କବଜା କରଛନ୍ତି । ନୂଆ ରାଷ୍ଟ୍ରମୁଖ୍ୟ ସହ ସରିଆ ଆଇନ ଅନୁସାରେ ଦେଶ ଚଳାଇବାକୁ ଘୋଷଣା କରିଛି ତାଲିବାନ । ତାଲାବାନ ଫେରିବା ପରେ ପୁଣି ଥରେ ଆଫଗାନ ମହିଳାଙ୍କ ସ୍ୱାଧୀନତା ବାଜିରେ ଲାଗିଛି । ନିର୍ଯାତନାର ଶିକାର ହେବାର ଆଶଙ୍କା ବଢ଼ି ଯାଇଛି । ପ୍ରତି ମୂହୂର୍ତରେ ଜୀବନ ଯିବାର ଭୟ ସେମାନଙ୍କୁ ଘାରିଛି । ଏକ ପ୍ରକାର ବାରୁଦ ଗଦା ଉପରେ ଛିଡା ହୋଇଛି ଆଫଗାନିସ୍ତାନ ।

୨୦ ବର୍ଷ ଭିତରେ ବିଜ୍ଞାନ ଓ ପ୍ରଯୁକ୍ତିରେ ଅନେକ ପରିବର୍ତ୍ତନ ଆସିଛି । ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରି ନ୍ୟୁୟର୍କର ଟ୍ବିନ ଟାୱାର ବିମାନ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଆଉ ୨ ଜଣଙ୍କ ପରିଚୟର ସନ୍ଧାନ ମିଳିଛି ବୋଲି ନ୍ୟୁୟର୍କର ମୁଖ୍ୟ ମେଡିକାଲ ଏକ୍‌ଜାମିନର ଗତ ମଙ୍ଗଳବାର ଘୋଷଣା କରିଛନ୍ତି । ଏଠାରେ ମୃତ୍ୟୁବରଣ କରିଥିବା ୨୭୫୩ ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୬୪୭ ଜଣଙ୍କର ପରିଚୟ ମିଳିଛି । ଅତ୍ୟାଧୁନିକ ଡିଏନଏ ପ୍ରଯୁକ୍ତି ମାଧ୍ୟମରେ ୧୬୪୬ତମ ଏବଂ ୧୬୪୭ତମ ମୃତକଙ୍କୁ ଚିହ୍ନଟ କରାଯାଇଛି ।