କନକ ବ୍ୟୁରୋ : ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ବଡ଼ ଖୁଲାସା । ଷ୍ଟିଙ୍ଗ ଅପରେସନରେ ଫସିଲେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତା ଚେତନ ଶର୍ମା । ଆଉ ଚେତନଙ୍କ ଖୁଲାସା ଭାରତ ସମେତ ବିଶ୍ୱ କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି । ଖାସକରି ଭାରତୀୟ ଟିମର ବଡ ବଡ ଖେଳାଳିଙ୍କୁ ନେଇ ଚେତନ ଯେଉଁ କଥା କହିଛନ୍ତି ତାହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ନୁହେଁ । କାରଣ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରାଙ୍କ ଭଳି ଷ୍ଟାର କ୍ରିକେଟର ଓ ଟିମ୍ ମ୍ୟାନେଜମେଣ୍ଟ କୁ ନେଇ ଉଠିଥିବା ଅନେକ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଚେତନ ।

Advertisment

ଷ୍ଟିଙ୍ଗ ଅପରେସନରେ କୋହଲି ଅଧିନାୟକତ୍ୱକୁ ନେଇ ଚେତନ ସାଂଘାତିକ ଖୁଲାସା କରିଛନ୍ତି । କୋହଲିଙ୍କୁ ଅଧିନାୟକ ପଦରୁ ହଟାଯିବା ପଛରେ କାହାର ମୁଖ୍ୟ ଭୂମିକା ଥିଲା ତାହା ଉପରୁ ପରଦା ହଟାଇଛନ୍ତି ଚେତନ । ପୂର୍ବରୁ କୋହଲିଙ୍କୁ ଅଧିନାୟକ ପଦରୁ ଗାଙ୍ଗୁଲି ହଟାଇଥିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଚେତନ କହିଛନ୍ତି, ଗାଙ୍ଗୁଲିଙ୍କର ଏହି ନିଷ୍ପତ୍ତି ନଥିଲା । ତେବେ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ସମ୍ପର୍କ ସେତେଟା ଭଲ ନଥିଲା । ଏହା ପଛର ସବୁଠୁ ବଡ କାରଣ ଥିଲା କୋହଲିଙ୍କ ଇଗୋ । ଏହାଛଡା ଅଧିନାୟକ ପଦ ଯିବା ପରେ ଗାଙ୍ଗୁଲିଙ୍କ ଉପରେ କୋହଲି ଯେଉଁ ଅଭିଯୋଗ ଆଣିଥିଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏହା ସେ ଜାଣିଶୁଣି କରିଥିବା କହିଛନ୍ତି ଚେତନ । ଯଦି କୋହଲିଙ୍କୁ ଅଧିନାୟକ ପଦରୁ ଗାଙ୍ଗୁଲି ହଟାଇ ନଥିଲେ ତେବେ ଏହି ନିଷ୍ପତ୍ତି ନେଇଥିଲା କିଏ?

ଏହାର ଜବାବରେ ଚେତନ କହିଛନ୍ତି କୋହଲିଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟାଇବାର ନିଷ୍ପତ୍ତି ଚୟନକର୍ତ୍ତା କମିଟିର ଥିଲା । ଆଉ ସେତେବେଳେ ଚୟନକର୍ତ୍ତା କମିଟିର ମୁଖ୍ୟ ଥିଲେ ନିଜେ ଚେତନ । ଯେହେତୁ ଗାଙ୍ଗୁଲିଙ୍କ ସହ କୋହଲିଙ୍କର ସମ୍ପର୍କ ଭଲ ନଥିଲା ତେଣୁ ସମସ୍ତଙ୍କର ଦୃଷ୍ଟି ଗାଙ୍ଗୁଲିଙ୍କ ଆଡକୁ ଉଠିଥିଲା ।ସେହିଭଳି ଟି-୨୦ କ୍ରିକେଟରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ ଖୁଲାସା କରିଛନ୍ତି ଚେତନ । ସେ କହିଛନ୍ତି, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷାନ, ଦୀପକ ହୁଡ୍ଡା, ଶୁଭମାନ ଗିଲ ଓ ଅନ୍ୟ ଖେଳାଳିଙ୍କୁ ଟିମକୁ ମୁଁ ଆଣିଛି । ଆଗକୁ ରୋହିତ ଶର୍ମାଙ୍କୁ ଭାରତୀୟ ଟି-୨୦ ଦଳରେ ଦେଖିବାକୁ ମିଳିବନି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏହି ଦାୟିତ୍ୱ ସମ୍ଭାଳିବେ । ସେହିଭଳି ଟି-୨୦ ଫର୍ମାଟରେ ଶୁଭମାନ ଗିଲଙ୍କୁ ସୁଯୋଗ ଦେବାକୁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି । ସେହିଭଳି ଆଘାତପ୍ରାପ୍ତ ଯଶପ୍ରୀତ ବୁମରାଙ୍କୁ ଦଳକୁ ଫେରାଇବାକୁ ନେଇ ଟିମ୍ ମ୍ୟାନେଜମେଣ୍ଟ ସହ ଝଗଡା ହୋଇଥିବା କହିଛନ୍ତି ଚେତନ । କେବଳ ଏତିକି ନୁହେଁ ଚେତନ କହିଛନ୍ତି, ରୋହିତଙ୍କ ସହ ଅଧ ଘଣ୍ଟା ଲେଖାଏଁ କଥା ହେଉଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଦିଲ୍ଲୀ ଆସିଲେ ଘରକୁ ଆସନ୍ତି ବୋଲି କହିଛନ୍ତି ଚେତନ । ଯେଉଁମାନଙ୍କର ମୋ ସହିତ ଆଲୋଚନା କରିବାର ଥାଏ ସେମାନେ ଘରକୁ ଆସିଥାନ୍ତି । କେବଳ ଏତିକି ନୁହେଁ କ୍ରିକେଟର ମାନେ ଇଞ୍ଜେକ୍ସନ ନେଇ ନିଜକୁ ଫିଟ୍ ଦର୍ଶାଇଥାନ୍ତି ବୋଲି କହିଛନ୍ତି ଚେତନ । ଆଉ ଚେତନଙ୍କ ଏଭଳି କଥା ଏବେ ବିସିସିଆଇରେ ହଲଚଲ ସୃଷ୍ଟି କରିଛି ।