କନକ ବ୍ୟୁରୋ : ବାତ୍ୟା ଫୋନି ପରେ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି । ପ୍ରବଳ ପବନରେ ବିଭିନ୍ନ ସ୍ଥାନରେ ବଡବଡ ଗଛ ଭାଙ୍ଗିଯାଇଛି । ରାସ୍ତା ଉପରେ ମଧ୍ୟ ଶତାଧିକ ବିଦ୍ୟୁତ ଖୁଣ୍ଟ ପଡିରହିଛି । ବାତ୍ୟାକୁ ବିତିଲାଣି ୧୦ଦିନ । ହେଲେ ଏ ପର୍ଯ୍ୟନ୍ତ ଫୋନି ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସ୍ୱାଭାବିକ ହୋଇପାରିନାହିଁ । ବିଜୁଳି ନଥିବା କାରଣରୁ ଅନେକ ସ୍ଥାନରେ ରାଜରାସ୍ତାରେ ଲୋକମାନେ ଆନ୍ଦୋଳନ କରୁଛନ୍ତି । ଯଥାଶୀଘ୍ର ବିଜୁଳି ଦେବା ପାଇଁ ଅନେକ ସ୍ଥାନକେ ବିଜୁଳି ବିଭାଗର ଉଚ୍ଚ ଅଧିକାରୀଙ୍କୁ ମାଡ ମରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ହେଲେ ଥରେ ଚିନ୍ତାକରି ଦେଖନ୍ତୁ । ସମସ୍ତଙ୍କ ପରି ବିଜୁଳି ବିଭାଗରେ କାମ କରୁଥିବା କର୍ମଚାରୀମାନେ ମଧ୍ୟ ଫୋନିରେ ପ୍ରଭାବିତ ହୋଇଛନ୍ତି ।
ହେଲେ ନିଜ ପରିବାରକୁ ପଛରେ ଛାଡି ପ୍ରଥମେ ଲୋକମାନଙ୍କୁ ବିଜୁଳି ସଂଯୋଗ ଦେବା ପାଇଁ ଦିନରାତିକୁ ଏକ କରି କାମ କରୁଛନ୍ତି । ଯେଉଁ ସମୟରେ କି ତାପମାତ୍ରା ୪୦ ଡିଗ୍ରୀ ରହୁଛି । ଖରାକୁ ସତରେ ଯେମିତି ତାଙ୍କର ଖାତିର ନାହିଁ । ବିନା କୌଣସି ବାଧାରେ ନିରବିଚ୍ଛିନ୍ନ ଭାବରେ ସେବା ଯୋଗାଇ ଦେବା ପାଇଁ କାମ କରିଛନ୍ତି ଏହି କର୍ମଚାରୀ । ଏପରିକି ସ୍ୱାଭାବିକ ଭାବରେ ବିଜୁଳି ଦେବା ପାଇଁ ନିଜ ଡ୍ୟୁଟି ସମୟରୁ ଅଧିକ କାମ କରିବାକୁ କେଉଁ କେଉଁଠାରେ କର୍ମଚାରୀଙ୍କୁ ମଧ୍ୟ ପଡୁଛି ।
୧୦ ଦିନ ହେବ ବିନା ବିଜୁଳିରେ ପ୍ରବଳ ଗରମରେ ଛଟପଟ ହେଉଛନ୍ତି ଲୋକ । ନିଜର କାମ ସରି ଘରକୁ ଫେରି ଟିକେ ବିଶ୍ରାମ ନେବା ପାଇଁ ସମସ୍ତେ ଇଚ୍ଛା ରଖିଛନ୍ତି । ତେଣୁ ନିଜ ଘରକୁ ଯଥାଶୀଘ୍ର ବିଜୁଳି ସଂଯୋଗ କରିବା ଲାଗି ସମସ୍ତେ ବ୍ୟସ୍ତ । କତିନ୍ତୁ ଏଗହି କର୍ମଚାରୀଙ୍କ କଥା ସତେ ଯେମିତି କାହାର ମନେ ନାହିଁ । ଦିନରାତି କାମ କରିବା ପରେ ସାମାନ୍ୟ ବିଶ୍ରାମ ନେବା ପାଇଁ ନା ବିଜୁଳି ଦରକାର ନା ଆଉ କିଛି । କିନ୍ତୁ ନିଜ ଘରକୁ ବିଜୁଳି ନେବା ପାଇଁ ସମସ୍ତେ ବ୍ୟସ୍ତ । ହେଲେ ଏହି କର୍ମଚାରୀଙ୍କ କଥା ଭାବିବା ପାଇଁ ସତେ ଯେମିତି କାହା ପାଖରେ ସମୟ ନାହିଁ ।